‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ କବିଙ୍କ କବିତା ପାଠୋତ୍ସବ

ବଲାଙ୍ଗୀର : ସମାଜରେ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇ ପାଖ ପରି। ସାଂପ୍ରତିକ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ଆଜି ସମସ୍ତ ପ୍ରକାର ଭିତ୍ତିଭୂମିର ଆଗରେ ଠିଆ ହୋଇ ପାରିଛି। ଏକ ନୂତନ ଦୃଷ୍ଟିକୋଣ ନେଇ ଆଜିର ସମାଜକୁ ଚିନ୍ତା କରିବାକୁ ପଡ଼ିବ। ଆଗାମୀ ସମୟ ପାଇଁ ସମାଜର ଗଠନଶୈଳୀକୁ ପରିବର୍ତ୍ତନ କରିବାକୁ ନାରୀ ଆଗେଇ ଆସିଛି। ସମୟ ଏବେ ସମାଜର ହାତରେ। ନୂତନ ଦୃଷ୍ଟିକୋଣକୁ ଗ୍ରହଣ କରିବା ପାଇଁ ସମାଜକୁ ସଜାଡ଼ିବାରେ ସବୁ ବର୍ଗର ସହଯୋଗ ଜରୁରି ବୋଲି ଆଜି ‘ସମ୍ବାଦ ସାହିତ୍ୟ ଘର’ ବଲାଙ୍ଗୀର ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ନିମନ୍ତ୍ରିତ ନାରୀ କବିଙ୍କ କବିତା ପାଠୋତ୍ସବ ଅବସରରେ ଏହି ମତ ପ୍ରକାଶ ପାଇଛି।

ସାହିତ୍ୟ ଘର ସଭାପତି ସନ୍ଦୀପ କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମି ବଲାଙ୍ଗୀର ସଦସ୍ୟା  ଡ. ଜ୍ୟୋତିର୍ମୟୀ ସାହୁ ଅତିଥି ଭାବେ ଯୋଗ ଦେଇ ଆଜିର ନାରୀର ଭିନ୍ନ ଭିନ୍ନ ସ୍ବରୂପ ସଂପର୍କରେ ଆଲୋଚନା କରି କବିତା ପ୍ରତି ସେମାନଙ୍କ ରୁଚିବୋଧ ବଢ଼ିବା ଏକ ଶୁଭସୂଚନା ବୋଲି କହିଥିଲେ। ସଂପାଦକ ଜୟଦେବ କର ସ୍ବାଗତ ବକ୍ତବ୍ୟ ଦେଇଥିଲେ। କବୟିତ୍ରୀ ସସ୍ମିତା ନେପାକ ଓ କବୟିତ୍ରୀ ବନ୍ଦନା କରଙ୍କ କବିତା  ସଂଯୋଜନାରେ ନିମନ୍ତ୍ରିତ କବୟିତ୍ରୀ ଭାବରେ କସ୍ତୁରୀ ରଥ, ମାଳତୀ ଉଦଗାତା, ବର୍ଷାରାଣୀ  ସାହୁ, ଗୀତାଞ୍ଜଳି ରଥ, ସୁଶ୍ରୀ କୁମୁଦିନୀ ପୃଷ୍ଟି, ମୀରା ଶତପଥୀ, ଚୁମକି ସାହୁ, ରାଜଶ୍ରୀ ଆଚାର୍ଯ୍ୟ, ଅନ୍ବେଷା ଦାଶ, କବିତା ମିଶ୍ର, ଅନୁପ୍ରିୟା ମିଶ୍ର, ପ୍ରଭାସିନୀ ଭୋଇ, ସବିତା ମହରା, ଜ୍ୟୋତିର୍ମୟୀ ତ୍ରିପାଠୀ, ତପସ୍ବିନୀ ପଶାୟତ, ନଳିନୀପ୍ରଭା ଶତପଥୀ, ସସ୍ମିତା ନେପାକ ଓ ବନ୍ଦନା କର ସ୍ବରଚିତ କବିତା ପାଠ କରିଥିଲେ।

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏପରି ଏକ ସାରସ୍ବତ ସମାରୋହ ଆୟୋଜନ ସମସ୍ତଙ୍କୁ ଆମୋଦିତ କରିଥିଲା। ସାହିତ୍ୟ ଘର ସଂଗଠନ ସଂପାଦକ ରଂଜିତ ମିଶ୍ର ସାରସ୍ବତ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସମ୍ବନ୍ଧିତ ଖବର