ଭୁବନେଶ୍ବର, (ସୁରଜ କୁମାର ମଲ୍ଲିକ): ମହିଳା ସଶକ୍ତୀକରଣ ପାଇଁ ଦେଶ ଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଏପରିକି ପଞ୍ଚାୟତ ଓ ନଗର ନିଗମରେ ମାଳମାଳ ଯୋଜନା କରାଯାଉଛି। ରାଜ୍ୟରେ ନିର୍ବାଚନରୁ ଆରମ୍ଭ କରି ସବୁକ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏପରିକି ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ପାଇଁ ନିଯୁକ୍ତି ଠୁ ଆରମ୍ଭ କରି ନିର୍ବାଚନ ପର୍ଯ୍ୟନ୍ତ ୩୩ପ୍ରତିଶତ ସଂରକ୍ଷଣ ମଧ୍ୟ ଘୋଷଣା କରାଯାଇଛି। ମାତ୍ର ପରିତାପର ବିଷୟ, ନିକଟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ ଆଣ୍ଡ୍ ଡେଭଲପମେଣ୍ଟ(ବିପିଆର୍ଡି) ରିପୋର୍ଟରେ ରାଜ୍ୟ ପୁଲିସ ବିଭାଗରେ ମହିଳା ନିଯୁକ୍ତି ନୈରାଶ୍ୟଜନକ ସ୍ଥିତିରେ ରହିଛି। କେବଳ ଓଡ଼ିଶା ନୁହେଁ, ଦେଶରେ ମଧ୍ୟ ପୁଲିସ ବିଭାଗରେ ମହିଳା ନିଯୁକ୍ତି ହାର ପଛୁଆ ରହିଛି। ସମୁଦାୟ ନିଯୁକ୍ତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୧୦.୪୯ପ୍ରତିଶତ ମହିଳା ଥିବା ଜଣାପଡ଼ିଛି। ୨୦୨୧ ଜାନୁଆରି ୧ ସୁଦ୍ଧା ବିପିଆର୍ଡି ତିଆରି କରିଥିବା ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୁଲିସ ଚାକିରି କରିବା ପାଇଁ ରାଜ୍ୟରେ ମହିଳାଙ୍କ ଆଗ୍ରହ ନାହିଁ ନା ନିଯୁକ୍ତି ପାଇଁ ନିର୍ଧାରିତ ହୋଇଥିବା ମାନଦଣ୍ଡରେ ଯୋଗ୍ୟତା ଅର୍ଜନ କରିପାରୁନାହାନ୍ତି ସେ ନେଇ ପ୍ରଶ୍ନ ଉଠିଛି।
ଜାତୀୟ ହାର ବଢ଼ୁଛି ରାଜ୍ୟ ହାର କମୁଛି
ପ୍ରତିବର୍ଷ ଖାଲି ପଡ଼ୁଛି ୨୩ପ୍ରତିଶତ ପଦବି
ପ୍ରତି ୩୮୬୮ଜଣ ମହିଳାରେ ଜଣେ ପୁଲିସ
/sambad/media/post_attachments/wp-content/uploads/2022/05/police-ad-300x165.jpg)
ବିପିଆର୍ଡି ତଥ୍ୟ ମୁତାବକ, ରାଜ୍ୟରେ ସମୁଦାୟ ୬୪ହଜାର ୩ଶହ ୫୯ଜଣ ପୁଲିସ କାମ କରୁଛନ୍ତି। ସେଥିରୁ ମାତ୍ର ୫ହଜାର ୮ଶହ ୪୭ଜଣ ମହିଳା ପୁଲିସ ରହିଛନ୍ତି। ଯାହା ସମୁଦାୟ କାର୍ଯ୍ୟରତ ପୁଲିସ ସଂଖ୍ୟାର ମାତ୍ର ୯.୦୮ପ୍ରତିଶତ। ଏହି କ୍ରମରେ ରାଜ୍ୟରେ ପ୍ରତି ୩୮୬୮ଜଣ ମହିଳାଙ୍କ ପାଇଁ ଜଣେ ମାତ୍ର ମହିଳା ପୁଲିସ ଥିବା ଜଣାପଡ଼ିଛି। ବିଡ଼ମ୍ବନାର ବିଷୟ ହେଉଛି, ପ୍ରତିବର୍ଷ ଜାରି ହେଉଥିବା ବିପିଆର୍ଡି ରିପୋର୍ଟରେ ମହିଳା ପୁଲିସ ନିଯୁକ୍ତିରେ ଜାତୀୟ ହାର ଉପରମୁହାଁ ହେଉଥିବା ବେଳେ ରାଜ୍ୟ ହାର ଖସିବାର ଲାଗିଛି। ଅପରପକ୍ଷରେ ମହିଳାଙ୍କ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ସର୍ବାଧିକ ୨୨.୧୪ପ୍ରତିଶତ ମହିଳା ରହିଥିବା ରାଜ୍ୟ କ୍ଷେତ୍ରରେ ତାମିଲନାଡ଼ୁରେ ୧୯.୩୭ପ୍ରତିଶତ ମହିଳା ପୁଲିସରେ କାର୍ଯ୍ୟରତ ଅଛନ୍ତି। ସେହିଭଳି ଆମ ପଡ଼ୋଶୀ ରାଜ୍ୟ ବିହାର ମଧ୍ୟ ଆମଠୁ ଯଥେଷ୍ଟ ଆଗରେ ରହିଛି। ବିହାରରେ ୧୭.୪୦ପ୍ରତିଶତ ମହିଳା ପୁଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି।
/sambad/media/post_attachments/wp-content/uploads/2022/05/pp-300x169.jpg)
ସେହିଭଳି ଗତବର୍ଷ ବିପିଆର୍ଡି କରିଥିବା ଜାରି ରିପୋର୍ଟ ମୁତାବକ, ଯେ ମହିଳା ପୁଲିସ ନିଯୁକ୍ତି କ୍ଷେତ୍ରରେ ଜାତୀୟ ହାର ୧୦.୩୦ପ୍ରତିଶତ ଓ ରାଜ୍ୟରେ ଏହା ୧୦.୦୧ପ୍ରତିଶତ। ମାତ୍ର ୨୦୨୧ରେ ରାଜ୍ୟ ହାର ପ୍ରାୟ ୧ ପ୍ରତିଶତ ତଳକୁ ଖସିଥିବା ଜଣାପଡ଼ିଛି। ଏହି ରିପୋର୍ଟ ଆଧାରରେ, ରାଜ୍ୟରେ ଥିବା ୨ତଦନ୍ତକାରୀ ସଂସ୍ଥା ସିଆଇଡି ଓ କ୍ରାଇମ୍ବ୍ରାଞ୍ଚ୍ରେ ମାତ୍ର ୨୨.୯୭ପ୍ରତିଶତ ମହିଳା କାମ କରୁଥିବା ବେଳେ ଗୁଇନ୍ଦା ପାଇଁ କାମ କରୁଥିବା ସ୍ପେସାଲ୍ ବ୍ରାଞ୍ଚ୍ରେ ମାତ୍ର ୫.୭୦ପ୍ରତିଶତ ମହିଳା ପୁଲିସ ରହିଛନ୍ତି। ସେହିଭଳି ଟ୍ରାଫିକ୍ ପୁଲିସରେ ୨୪.୭୦ପ୍ରତିଶତ ମହିଳା ନିଯୁକ୍ତ ହୋଇଛନ୍ତି। ରାଜ୍ୟମାନଙ୍କରେ ସ୍ବତନ୍ତ୍ର ଅପରେସନ୍ ପାଇଁ ଗଠିତ ହୋଇଥିବା ଟିମ୍ ଆତଙ୍କବାଦୀ, ମାଓବାଦୀ ଓ ଉଗ୍ରବାଦୀଙ୍କ ବିରୋଧରେ କାମ କରୁଥିବା ଏସ୍ଓଜିରେ ବି ୧ପ୍ରତିଶତରୁ କମ୍ ମହିଳା ରହିଛନ୍ତି।