ଭୁବନେଶ୍ବର : ମୋଦୀ ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ ଆଗତ ହେଉଥିବା ବାର୍ଷିକ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି। ଚଳିତ ବର୍ଷ ଆଗତ ହୋଇଥିବା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଶ୍ରୀମତୀ ସୀତାରମଣ କହିଥିଲେ ଯେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ସଶକ୍ତୀକରଣ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ତାଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟକୁ ଦେଶ ତଥା ବିଦେଶ ବଜାରରେ ପହଞ୍ଚାଇବା ସହିତ ସେମାନଙ୍କୁ ସମସ୍ତ ପ୍ରକାରର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯିବାର ବ୍ୟବସ୍ଥା ରହିଛି। ଏପରିକି ଡିଜିଟାଲ ବଜାରରେ ମଧ୍ୟ ତାଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ମହିଳା ସମ୍ମାନ ସଞ୍ଚୟ ପତ୍ର ଜରିଆରେ ମହିଳାମାନଙ୍କୁ ୨ ବର୍ଷିଆ ଡିପୋଜିଟରେ ସର୍ବାଧିକ ୭.୫ ପ୍ରତିଶତ ସୁଧ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଚଳିତ ବଜେଟ୍ରେ ଦେଶର ପାରମ୍ପରିକ କାରିଗରଙ୍କ ପାଇଁ ଉଦ୍ଦିଷ୍ଟ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଏକ ନୂତନ ଓ ଐତିହାସିକ ପଦକ୍ଷେପ।
ନୂତନଭାବେ ପ୍ରଚଳିତ ହେବାକୁ ଥିବା ପିଏମ୍ ବିକାଶ ଯୋଜନା ଦ୍ୱାରା ପାରମ୍ପରିକ କାରିଗରମାନେ ନିଜର ଉତ୍ପାଦିତ ସାମଗ୍ରୀର ମାନ ଓ ପରିମାଣ ବଢ଼ାଇ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବେ। ଏହି ଯୋଜନା ଦ୍ୱାରା ଓଡ଼ିଶା ଭଳି ରାଜ୍ୟର ଲୋକେ ଅଧିକ ଉପକୃତ ହେବେ ବୋଲି ସେ କହିଥିଲେ।
ଶ୍ରୀମତୀ ସୀତାରମଣ ଆଜି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସମ୍ବର୍ଧନା ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/m29-1.jpg)