ଜୟପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାତ୍ରାଧିକ ନିଶା ସେବନ ବଡ଼ ସାମାଜିକ ସମସ୍ୟା। ଆତ୍ମନିର୍ଭର ହେବା ପାଇଁ ମହିଳାମାନେ ଦିନରାତି ଖଟୁଛନ୍ତି। ଏପଟେ ସ୍ବାମୀ ମଦ୍ୟପାନ କରି ଘରବାଡ଼ିଠୁ ଆରମ୍ଭ ଜମି ପର୍ଯ୍ୟନ୍ତ ସବୁ କିଛି ବିକ୍ରି କରି ଦେଉଛନ୍ତି। ଯେଉଁ ପର୍ଯ୍ୟନ୍ତ ନିଶାମୁକ୍ତ ସମାଜ ଗଠନ ହୋଇନି, ମହିଳା ଯେତ‌େ ସଶକ୍ତ ଓ ସ୍ବାବଲମ୍ବୀ ହେଲେ ମଧ୍ୟ ତାହା ଅର୍ଥହୀନ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

Advertisment

‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସଙ୍କ ସଭାପତିତ୍ବରେ ଜୟପୁର ଟାଉନ୍‌ ହଲ୍‌ରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା-୫୦ ଚତୁର୍ଥ ସଂସ୍କରଣ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବାହିନୀପତି କହିଛନ୍ତି, ମହିଳା ସଶକ୍ତୀକରଣ ପାଇଁ ସରକାର ଗାଁରେ ଗାଁରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ଆର୍ଥିକ କ୍ଷେତ୍ରରେ ମହିଳା ସ୍ବାବଲମ୍ବୀ ହୋଇଛନ୍ତି। କିନ୍ତୁ ଅନୁରୂପ ଭାବେ ସରକାର ଗାଁ ଗାଁରେ ମଦ ଭାଟି ଖୋଲିବାକୁ ଅନୁମତି ଦେଇଛନ୍ତି। ମଦ ପାଇଁ ସାମାଜିକ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଯେତିକି ତତ୍ପରତା ପ୍ରକାଶ କରିଛନ୍ତି ମଦଭାଟି ବନ୍ଦ କରିବା ଦିଗରେ ମଧ୍ୟ ସେତିକି ଆବେଗର ସହ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ଶ୍ରୀ ବାହିନୀପତି ମତ ପ୍ରକାଶ କରିଥିଲେ। 

ସମ୍ମାନିତ ଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକାଭର୍‌ମ ଶସ୍ୟା ରେଡ୍ଡୀ ଯୋଗଦେଇ କହିଲେ, ବ୍ୟବସାୟକୁ ନେଇ ମନରେ ଥିବା ନୂଆ ଯୋଜନା ସମ୍ପର୍କରେ ଭଲ ଭାବେ ଅବଗତ ହୁଅନ୍ତୁ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପ୍ରକଳ୍ପ କ୍ଷେତ୍ରରେ ସଫଳତା ପାଇବା ଲାଗି ସରକାରୀ ଯୋଜନା ଓ ସୁବିଧା ଦିଗ ପ୍ରତି ଅଧିକ ଦୃଷ୍ଟି ଦିଅନ୍ତୁ। ଯାହା ଲାଭବାନ୍‌ ହେବା ସହ ବ୍ୟବସାୟକୁ ନୂଆ ଦିଗ ଦେବାରେ ସହାୟକ ହେବ ବୋଲି ଉପଜିଲ୍ଲାପାଳ ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ କେସିସି ବ୍ୟାଙ୍କ ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକ ଯୋଗଦେଇ କହିଲେ, କେବଳ କୋରାପୁଟ ଜିଲ୍ଲାର ୧୧୨୨ ସ୍ବୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ଆତ୍ମନିର୍ଭରଶୀଳ ପାଇଁ ୨୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ପ୍ରଦାନ କରିଛି। ସଭାପତିତ୍ବ ଅଭିଭାଷଣରେ ଆମ ଓଡ଼ିଶା ସମ୍ପାଦକ ଅରବିନ୍ଦ ଦାସ ସଂଘର୍ଷ ମାଧ୍ୟମରେ ସଫଳ କାହାଣୀର ନାୟିକା ହୋଇଥିବା ମହିଳା ଚାହିଲେ ମଦମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସମାବେଶରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ୧୭୫ ଉଦ୍ୟୋଗୀ ମହିଳା ଅଂଶଗ୍ରହଣ କରି ଭାବ ବିନିମୟ କରିଥିଲେ। ଶେଷରେ ମାଲକାନଗିରି ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ।