ବାରିପଦା: ନିର୍ବାଚନ ଯେତେ ନିକଟତର ହେଉଛି ସବୁ ଦଳରୁ ଆଶାୟୀଙ୍କ ସଂଖ୍ୟା ସେତେ ବଢ଼ିବାରେ ଲାଗିଛି। କ୍ଷମତାରେ ଥିବା ନେତା, ପୂର୍ବ ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କ ସହ ଟିକେଟ୍ ରେସ୍ରେ ଯୋଡ଼ି ହେଉଛନ୍ତି ଅନେକ ନୂଆମୁହଁ। ଏଭଳି କ୍ଷେତ୍ରରେ ବିଜେଡି ମହିଳା କାର୍ଡକୁ ଆୟୁଧ କରି ଯଦି ୩୩ ପ୍ରତିଶତ ଆସନ ସଂରକ୍ଷଣ ନୀତି ଲାଗୁ କରେ ତେବେ ଅନେକ ଆଶାୟୀଙ୍କ ଗଣିତ ଓଲଟପାଲଟ ହୋଇଯିବାର ଆଶଙ୍କା ରହିଛି। ଏଥର ଟିକେଟ୍ ବଣ୍ଟନ ବେଳେ ବିଜେଡି ନିଜ ନୀତିରେ କାଏମ୍ ରହିଲେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଆସନରୁ ଅତିକମ୍ରେ ୩ଟି ଆସନରୁ ମହିଳା ପ୍ରାର୍ଥୀ ଦେବା ସୁନିଶ୍ଚିତ। ତେବେ କେଉଁ ୩ଟି ଆସନରେ ଦଳ ମହିଳାଙ୍କୁ ପ୍ରାର୍ଥୀ କରିବ ତାହା ଘୋଷଣା ହୋଇ ନଥିଲେ ସୁଦ୍ଧା ଏ ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
ଯେଉଁ ଆସନରେ ଦଳରେ ଗୋଷ୍ଠୀ କନ୍ଦଳ ଅଧିକ, ପ୍ରାର୍ଥୀ ସଂଖ୍ୟା ବି ଅଧିକ ଓ ବିଜୟ ସମ୍ଭାବନା କମ୍; ଉକ୍ତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବାକୁ ଉଦ୍ୟମ କରିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ। ଯଦି ଏମିତି ହୁଏ, ତେବେ ବଡ଼ସାହି ବିଧାନସଭା ଆସନରୁ ଦଳ ମହିଳା ପ୍ରାର୍ଥୀ ଦେବାର ସମ୍ଭାବନା ଅଧିକ। ଗତ ନିର୍ବାଚନରେ ବିଜେଡି ହାତରୁ ଏହି ଆସନ ଛଡ଼ାଇ ନେଇଥିଲେ ବିଜେପିର ସନାତନ ବିଜୁଳି। ବିଜେଡିର ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର ଆଗାମୀ ନିର୍ବାଚନ ପାଇଁ ପୂରାଦମ୍ରେ ଲାଗିଛନ୍ତି।
ଲଲାଟେନ୍ଦୁ ବେହେରା, ଲମ୍ବୋଦର ବେହେରା, ବିକାଶ କୁମାର ସେଠୀଙ୍କ ପରି କେତେକ ଆଶାୟୀ ଟିକେଟ୍ ଦୌଡ଼ରେ ଅଛନ୍ତି। କୌଣସି ମହିଳାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କଲେ ସମସ୍ତ ପୁରୁଷ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିବ। ମୋରଡ଼ା ଆସନରେ ବରିଷ୍ଠ ନେତା ରାଜକିଶୋର ଦାସ ବିଧାୟକ ଅଛନ୍ତି। ଅଣସଂରକ୍ଷିତ ବର୍ଗଙ୍କ ପାଇଁ ଏହା ମୟୂରଭଞ୍ଜ ଜିଲ୍ଲାର ଏକମାତ୍ର ଆସନ ହୋଇଥିବାରୁ ଏଠାରେ ସର୍ବାଧିକ ଆଶାୟୀଙ୍କ ନଜର ରହିଛି। ତେଣୁ ମୂଳୁ ମାଇଲେ ଯିବ ସରି ନୀତିରେ ଦଳ ଏଠାରେ କୌଣସି ମହିଳାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କ ମୁହଁ ଚୁପ୍ କରିବାକୁ ଉଦ୍ୟମ କରିପାରେ। ଏମିତି ହେଲେ ଆଶାୟୀମାନେ ନିଜନିଜ ପତ୍ନୀଙ୍କୁ ରାଜନୀତି ମଇଦାନରେ ଛାଡ଼ିବାର ସମ୍ଭାବନା ରହିଛି।
ଗତଥର ବାରିପଦାରେ ମହିଳା କାର୍ଡ ଖେଳି ବରିଷ୍ଠ ନେତ୍ରୀ ସରୋଜିନୀ ହେମ୍ବ୍ରମ୍ଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ବିଜେପିର ଟାଣୁଆ ନେତା ପ୍ରକାଶ ସୋରେନ ତାଙ୍କୁ ପରାସ୍ତ କରିଥିଲେ। ସରୋଜିନୀଙ୍କ ପରାଜୟକୁ ଆଳ କରି ଏଠାରୁ ପୁଣି ଥରେ ନିଜ ଉପସ୍ଥିତି ଜାହିର କରିପାରନ୍ତି ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି। ଯଦି ସାନନ୍ଦଙ୍କୁ ଦଳ ଭରସା ନ କରେ ତେବେ ପୁଣି ଥରେ ବାରିପଦାରୁ ଲଢ଼ିବାର ସୁଯୋଗ ପାଇବେ ସରୋଜିନୀ। ଗତ ନିର୍ବାଚନରେ ଜିଲ୍ଲାର ଏକମାତ୍ର ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କରଞ୍ଜିଆର ବାସନ୍ତୀ ହେମ୍ବ୍ରମ୍। ବିଜେଡି ସରକାରରେ ସେ ଏବେ ମହିଳା, ଶିଶୁ ବିକାଶ ଓ ମିସନ୍ଶକ୍ତି ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ତାଙ୍କ ସାଙ୍ଗଠନିକ ଦକ୍ଷତା ଉପରେ ଅନେକ ବରିଷ୍ଠ ନେତାଙ୍କ ସନ୍ଦେହ ଥିବାରୁ ବାସନ୍ତୀଙ୍କୁ ଭରସା କରାଯାଇ ନପାରେ। ଯଦି ଏଠାରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଦଳ ମନସ୍ଥ କରେ ତେବେ ବାସନ୍ତୀଙ୍କ ପାଇଁ ପଥ ପରିଷ୍କାର ହୋଇଯିବ। ଉଦଳା ଆସନ ଉପରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଆଖି ପକାଇଥିଲେ ମଧ୍ୟ ଶେଷ ସମୟରେ ଏହା ସବିତା ହାଁସଦା କିମ୍ବା କୌଣସି ନୂଆ ମହିଳା ଆଶାୟୀଙ୍କ ହାତକୁ ଯିବାର ସମ୍ଭାବନା ରହିଛି।