ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଆଜି ଶହ ଶହ ମହିଳା ହାତରେ ଠେଙ୍ଗା ଧରି ପଟୁଆରରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏକ ନମ୍ବର ୱାର୍ଡ ପଦାସାହିରେ ପ୍ରଥମେ ମଦ ବିକ୍ରି ଆଡ଼ାରେ ପଶି ଭଙ୍ଗାରୁଜା କରିବା ସହ ମଦ, ପୋଚ ସବୁ ନଷ୍ଟ କରିଥିଲେ। ସହରର ଅନେକ ସ୍ଥାନରେ ଯେଉଁଠି ଯେଉଁଠି ମଦ ରନ୍ଧା ଓ ବିକ୍ରି ହେଉଥିଲା ସବୁଠି ଗଚ୍ଛିତ ପୋଚ, ମଦ ନଷ୍ଟ କରିଥିଲେ। ଆଉ କେବେ ମଦ ନ ବିକିବାକୁ ତାଗିଦ୍ କରିଥିଲେ।
କନ୍ଧମାଳ ଜିଲ୍ଲାରେ ସରକାରୀ ଦେଶୀ ମହୁଲି ମଦ ବିକ୍ରି ଅନୁମତି ନଥିବା ବେଳେ ଏବେ ପ୍ରତିସାହିର ଗଳି ଓ କନ୍ଦିରେ ଦେଶୀ ମହୁଲି ମଦ ଅବାଧରେ ବିକ୍ରି ଚାଲିଛି। କହିବାକୁ ଗଲେ ସ୍ଥାନୀୟ ଅଞ୍ଚଳରେ ଦେଶୀ ମହୁଲି ମଦ ଏବେ କୁଟୀରଶିଳ୍ପରେ ପରିଣତ ହୋଇ ସାରିଲାଣି। ମଦ ବିକ୍ରି ଏତେ ବହୁଳମାତ୍ରାରେ ବଢ଼ିଗଲାଣି, ଅବକାରୀ ବିଭାଗ ଏଠାରେ ଥିଲା ଭଳି ମନେ ହେଉନି। ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ସାରା ଅଞ୍ଚଳରେ ଅବାଧ ମହୁଲିମଦ କାରବାର ବୃଦ୍ଧି ପାଇଛି। ମଦ ଯୋଗୁ ଯୁବପିଢ଼ି ବିପଥଗାମୀ ହେଉଥିବା ବେଳେ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ବେଆଇନ ମଦ କାରବାରକୁ ନେଇ ସ୍ଥାନୀୟ ମହିଳା ବିରୋଧ କରୁଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ଦେଖି ଶେଷରେ ଆଜି ଅଣ୍ଟା ଭିଡ଼ିଛନ୍ତି ମହିଳା ଗୋଷ୍ଠୀ। ମେଳି ବାନ୍ଧିଲେ, ବୈଠକ ଆୟୋଜନ କରି ସାହି ବାସିନ୍ଦାଙ୍କ ସହଯୋଗରେ ଗତକାଲି ସହରରେ ବୁଲି ବୁଲି ମଦ ବେପାରୀଙ୍କୁ ତାଗିଦ୍ କରିଥିଲେ।
ମଦ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରି ଅନ୍ୟ ପେସା ଆପଣାଇବାକୁ ଶେଷଥର ପାଇଁ ବୁଝାଇଥିଲେ। ହେଲେ ମହିଳାଗୋଷ୍ଠୀଙ୍କ କଥାକୁ ମଦ ପ୍ରସ୍ତୁତକର୍ତ୍ତା ହେୟଜ୍ଞାନ କରିଥିବା ବେଳେ ଆଜି ପୁଣି ମହିଳା ତାତିଛନ୍ତି। ଆଜି ମହିଳା ଗୋଷ୍ଠୀ ହାତରେ ଠେଙ୍ଗାବାଡ଼ି ଧରି ସାରା ଅଞ୍ଚଳ ବୁଲି ବୁଲି ମଦ କେଉଁଠି ପ୍ରସ୍ତୁତ ହେଉଛି ଖୋଜିଥିଲେ। ମହୁଲ ପୋଚ ଥିବା ସ୍ଥାନ ଠାବ କରି ସମସ୍ତ ମହୁଲ ପୋଚ ନଷ୍ଟ କରିବା ସହ ଏକାଧିକ ପ୍ଲାଷ୍ଟିକ ବ୍ୟାରେଲ୍, ମଦ ରୋଷେଇରେ ବ୍ୟବହୃତ ସରଞ୍ଜାମ ସାଙ୍ଗରେ ଆଣି ରାଜରାସ୍ତାରେ ରଖିଥିଲେ। ମହିଳାଙ୍କ ହାତରେ ଠେଙ୍ଗାବାଡ଼ି ଦେଖି ମଦ ବ୍ୟବସାୟୀ ଛତ୍ରଭଙ୍ଗ ଦେଇଥିବା ବେଳେ ଏଭଳି ପ୍ରୟାସ ନିଶ୍ଚିତ ପକ୍ଷେ ପ୍ରଶଂସନୀୟ ବୋଲି ସାଧାରଣରେ ମତ ପ୍ରକାଶ କରିଥିଲା। ଆଗକୁ ଏଭଳି ମଦ ବନ୍ଦ ଅଭିଯାନ ବ୍ୟାପକ ହେବ ବୋଲି ମହିଳା ଗୋଷ୍ଠୀ କହିଛନ୍ତି।