ଓଡ଼ିଶାକୁ ପ୍ରଂଶସା କଲେ ଭାରତୀୟ ମହିଳା ହକି ଦଳର ଅଧିନାୟିକା

ଭୁବନେଶ୍ୱର: ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର ପ୍ରାୟୋଜକ ହେବାକୁ ଆଗେଇ ଆସିଛନ୍ତି । ଯାହା ଭାରତୀୟ ହକିକୁ ଏକ ନୂଆ ପରିଚୟ ଦେଇଛି । ଆଉ ରାଜ୍ୟ ସରକାର ଏଭଳି କରି ପୂରା ଦେଶରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ଦେଶର ଅନ୍ୟ ରାଜ୍ୟ ଗୁଡିକ ଆପଣାଇବା ଉଚିତ୍ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ । ପ୍ରତି ରାଜ୍ୟ ଗୋଟିଏ ଗୋଟିଏ କ୍ରୀଡା ଆପଣାଇବା ସହ ପୋତ୍ସାହନ ଦେଲେ ଦେଶରେ କ୍ରୀଡାର ବିକାଶ ହେବ ବୋଲି ରାନୀ କହିଛନ୍ତି ।ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଡାକି ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛି । ଆଉ ଏଭଳି ନିଷ୍ପତ୍ତି ନେଇ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ । କ୍ରୀଡାର ବିକାଶ ପାଇଁ ନବୀନ ଯେଉଁ ପ୍ରତିବଦ୍ଧତା ଦେଖାଇଛନ୍ତି ତାହା ବେଶ ପ୍ରଂଶସନୀୟ ବୋଲି କହିଛନ୍ତି ରାନୀ ।

ଗତ କିଛି ବର୍ଷ ହେବ ଓଡ଼ିଶାରେ ଉଭୟ ହକି ଓ ହକି ଖେଳାଳୀଙ୍କୁ ଯେଉଁ ଭଲପାଇବା ମିଳିଛି ତାହା ଅତୁଳନୀୟ । ଓଡ଼ିଶାବାସୀଙ୍କ ହୃଦୟରେ ହକି ରହିଛି । ହକି ବାବଦରେ ଏତେଟା ଜାଣିନଥିବା ଲୋକ ବି ଟିମକୁ ଚିୟରଅପ କରିବାକୁ ଷ୍ଟାଡିୟମକୁ ଆସୁଛନ୍ତି । ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ । ଆଉ ଷ୍ଟାଡିୟମରେ ଓଡ଼ିଶାର ଲୋକଙ୍କ ଏଭଳି ଚିୟର ଅପ୍ ଖେଳାଳିଙ୍କ ମନୋବଳକୁ ବଢାଇବା ସହ ଦମଦାର ପ୍ରଦର୍ଶନ ପାଇଁ ଜୋସ ଭରିଥାଏ ବୋଲି କହିଛନ୍ତି ରାନୀ । ତେବେ ଆଗକୁ ହକି ବିଶ୍ୱକପ ଟିକେଟ କିଭଳି ହାତେଇବୁ ତାହା ଉପରେ ପୂରା ଟିମର ଫୋକସ ରହିଛି ବୋଲି ରାନୀ କହିଛନ୍ତି ।

ସମ୍ବନ୍ଧିତ ଖବର