ସବୁ ଆସନରେ ବିଜେଡି; ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ସବୁ ମହିଳା ସଦସ୍ୟ ଆଶାୟୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ଓ ଗଣତି ସଂପୂର୍ଣ୍ଣ ହୋଇ ଯାଇଛି। ଜିଲ୍ଲାର ସମସ୍ତ ୯ ଟି ଆସନ ବିଜେଡି ଖାତାକୁ ଯାଇଥିବା ବେଳେ ବିଜେପି ଓ କଂଗ୍ରେସ ମୂଳପୋଛ ହୋଇ ଯାଇଛି। ଚଳିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ବିଜେଡି ଦଳରୁ ବିଜୟୀ ହୋଇଥିବା ୫ ଜଣ ମହିଳା ସଦସ୍ୟା ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଆଶାୟୀ ହୋଇ ପଡ଼ିଥିବା ବେଳେ ମନ୍ତ୍ରୀ ନବ ଦାସଙ୍କ ସମ୍ମତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଜିଲ୍ଲାର ଝାରସୁଗୁଡ଼ା ଜୋନ୍-୧ରୁ ଝରଣା ସାଗର, ଲଇକେରା ଜୋନ୍-୧ରୁ ତୁଳାବତୀ ମିଞ୍ଜ, କିର୍ମିରା ଜୋନ୍ରୁ ରୀତା ବାଗ ଓ ଲଖନପୁର ବ୍ଲକ ଜୋନ୍-୩ରୁ ପୁଷ୍ପଲତା ସେଠ୍ ବିଜୟୀ ହୋଇଥିବା ବେଳେ ଏହି ୫ ଜଣଙ୍କ ମଧ୍ୟରୁ ଜଣଙ୍କୁ ପରିଷଦରେ ଅଧ୍ୟକ୍ଷ ଆସନରେ ଅଳଙ୍କୃତ କରାଯିବ। ଜିଲ୍ଲା ବିଜେଡିର ମୁଖ୍ୟ ନାୟକ ନବ ଦାସ ଯାହାଙ୍କୁ ଚାହିଁବେ ତାଙ୍କୁ ଏହି ଆସନରେ ଅଭିଷିକ୍ତ କରାଯିବ।

୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଛାଡ଼ି ବିଜେଡି ରାଜନୀତିରେ ପ୍ରବେଶ କରିବା ପରେ ଜିଲ୍ଲା ପରିଷଦକୁ ବିଜେଡି କବ୍ଜାକୁ ନେଇ ପାରିଥିବା ନବ ଦାସଙ୍କ ଏହା ଆଉ ଏକ ସଫଳତା ଅଟେ। ୨୦୧୭ ପଞ୍ଚାୟତ ନର୍ବାଚନରେ ମଧ୍ୟ ଶ୍ରୀ ଦାସଙ୍କ କଂଗ୍ରେସ ନେତୃତ୍ବାଧିନ ଦଳ ଜିଲ୍ଲା ପରିଷଦ ଦଖଲ କରିଥିଲା। ଗତ ନିର୍ବାଚନରେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ବାକି ୮ ଗୋଟି ଆସନ କଂଗ୍ରେସକୁ ଯାଇଥିଲା। ୨୦୦୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪ ଓ କଂଗ୍ରେସ ୫ ଆସନ ପାଇଥିଲା। ୨୦୧୨ ନିର୍ବାଚନରେ କଂଗ୍ରେସ ୮ ଓ ବିଜେଡି ୧ ଆସନରେ ବିଜୟୀ ହୋଇଥିଲା।

ଝାରସୁଗୁଡ଼ା ଜିଲ୍ଲା ପରିଷଦ ଆରମ୍ଭରୁ କଂଗ୍ରେସ ହାତକୁ ଯାଉଥିବା ବେଳେ ଏଥର ପ୍ରଥମ କରି ବିଜେଡି ହାତକୁ ଯାଇଛି। ୧୯୯୭ରେ ଭବାନୀ ଶଙ୍କର ନାୟକ(କଂଗ୍ରେସ), ୨୦୦୨ରେ ମିନି ଟଣ୍ଡକର( କଂଗ୍ରେସ)୨୦୦୭ରେ ନୁରବିଦ୍ୟା ଟୁଟି(କଂଗ୍ରେସ), ୨୦୧୨ରେ ରେଣୁକା କଂସରାଳି(କଂଗ୍ରେସ) ଓ ୨୦୧୭ରେ ଲକ୍ଷ୍ମୀନାରାୟଣ ପଟେଲ(କଂଗ୍ରେସ) ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ। ଏଥର ବିଜେଡିର ବିପୁଳ ବିଜୟ ପରେ ବିଜେଡି ପରିଷଦ ଗଠନ କରିବା ସହିତ କିଏ ହେବ ପରିଷଦର ଅଧ୍ୟକ୍ଷ ତାକୁ ନେଇ ଚର୍ଚ୍ଚା ଯୋର ଧରିଛି।

ତେବେ ପରିଷଦ ଆସନଟି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର କୌଣସି ଜୋନ୍ରୁ ଦିଆଯାଇ ପାରେ ବୋଲି ଅନୁମାନ କରାଯାଉଛି। ଏହା ହେଲେ ଏହି ନିର୍ବାଚନ ମଣ୍ଡଳୀର ଲଇକେରା, କିର୍ମିରା ଓ ଝାରସୁଗୁଡ଼ା ଜୋନ୍ରୁ ବିଜୟୀ ହୋଇଥିବା ସଦସ୍ୟାଙ୍କ ନାମ ଉଠୁଛି। ଝାରସୁଗୁଡ଼ା ଜୋନ୍-୧ରୁ ବିଜୟୀ ହୋଇଥିବା ଝରଣା ସାଗରଙ୍କ ନାମ ସର୍ବାଗ୍ରେ ରହିଥିବା କୁହାଯଉଛି। ଉପାଧ୍ୟକ୍ଷ ଆସନରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର କୌଣସି ଜୋନ୍ର ଜଣେ ସଦସ୍ୟଙ୍କୁ ଆସିନ କରାଯିବା ସମ୍ଭାବନା ରହିଥିବା ବେଳେ ଏଥିପାଇଁ ନବଙ୍କ ଅତି ଘନିଷ୍ଟ ତଥା ବିଶ୍ବାସୀ ସନତ ସିଂଙ୍କ ନାମ ଉଠୁଥିବା ଜଣାଯାଇଛି। ତେବେ ନବ ଏ ପର୍ଯ୍ୟନ୍ତ କୌଣସି ଇସାରା ଦେଇନଥିବାରୁ ଦଳ ମଧ୍ୟରେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି।

ସମ୍ବନ୍ଧିତ ଖବର