ଯାଜପୁରସଦର : ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’ । ରାଜନୀତି କ୍ଷେତ୍ରରେ ମହିଳମାନେ କିଭଳି ସଶକ୍ତ ହେବାସହ ଆଗରେ ପହଞ୍ଚିଛନ୍ତି, ଯାଜପୁରର ଜିଲ୍ଲା ତାହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛି। ଏହି ଜିଲ୍ଲାରେ ଚଳିତଥର ଜିଲ୍ଲା ପରିଷଦ ସହ ଦୁଇ ପୌରାଧ୍ୟକ୍ଷ ଆସନରେ ମହିଳା ବସିବେ। ସେହିଭଳି, ୧୦ଟି ପଞ୍ଚାୟତ ସମିତି ମଧ୍ୟରୁ ୫ଟି ମହିଳାମାନଙ୍କ ପାଇଁ ସଂରକ୍ଷଣ ଥିବାରୁ ସେଠି ମଧ୍ୟ ସେମାନେ ଅଧ୍ୟକ୍ଷ ପଦ ଅଳଙ୍କୃତ କରିବେ।
ଯାଜପୁର ଜିଲ୍ଲା ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳକୁ ନେଇ ଗଠିତ। ନିକଟରେ ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନ ଶେଷ ହୋଇଥିବା ବେଳେ ପୌର ନିର୍ବାଚନର ସଜବାଜ ଚାଲିଛି। ଏହାରି ଭିତରେ ଯାଜପୁର ରାଜନୀତି ପାଣିପାଗରେ ମହିଳାଙ୍କ ଉପସ୍ଥିତି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରୁଛି। ଜିଲ୍ଲାରେ ୩୯ଟି ଜିଲ୍ଲାପରିଷଦ ଜୋନ ରହିଥିବା ବେଳେ ୨୦ ଜଣ ମହିଳା ଜିଲ୍ଲାପରିଷଦ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅର୍ଥାତ ୫୦ ପ୍ରତିଶତରୁ ମଧ୍ୟ ଅଧିକ। ଚଳିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୫ ଟି ଜୋନର ଜିଲ୍ଲାପରିଷଦ ସଦସ୍ୟା ଏହି ପଦ ପାଇଁ ଦାବିଦାର ରହିଛନ୍ତି। ସେହିପରି ବଡ଼ଚଣା ବ୍ଲକର ଅଧ୍ୟକ୍ଷ ପଦ ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଯାଜପୁର ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ଅସଂରକ୍ଷିତ ମହିଳାଙ୍କ ପାଇଁ ରହିଛି। ଦାନଗଦୀ ବ୍ଲକର ଅଧ୍ୟକ୍ଷ ପଦ ସାଧାରଣବର୍ଗ ମହିଳା ରହିଥିବା ବେଳେ କୋରେଇ ବ୍ଲକ ଅଧ୍ୟକ୍ଷା ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ବିଂଝାରପୁର ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ରହିଛି। ୧୦ଟି ବ୍ଲକରୁ ୫ଟିରେ ମହିଳା ଅଧ୍ୟକ୍ଷ ପଦରେ ବସିବେ।
ଯାଜପୁର ପୌରପାଳିକାରେ ପୌରାଧ୍ୟକ୍ଷ ପଦବି ଅସଂରକ୍ଷିତ ମହିଳାଙ୍କ ପାଇଁ ରହିଥିବା ବେଳେ ବ୍ୟାସନଗର ପୌରାଧ୍ୟକ୍ଷ ଚୌକି ଅନୂସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ। ଏହା ହିଁ ମହିଳାଙ୍କ ନିମନ୍ତେ ମହିଳା ଦିବସରେ ଶ୍ରେଷ୍ଠ ପୁରସ୍କାର/ଉପହାର କୁହାଯାଉଥିବା ବେଳେ ସେମାନେ ମଧ୍ୟ ନିଜ ଦକ୍ଷତା ପ୍ରମାଣିତ କରିବା ନିମନ୍ତେ ବଡ଼ ସୁଯୋଗ ପାଇବାକୁ ଯାଉଛନ୍ତି। ଯଦି ସେମାନେ ନିଜ ବିଦ୍ୟାବୁଦ୍ଧି ଓ ଦକ୍ଷତାର ପୂର୍ଣ୍ଣ ଉପଯୋଗ କରିପାରିବେ ତେବେ ମହିଳା ଦିବସର ବାର୍ତ୍ତା ସଫଳ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/jajpur-1.jpg)