ପାଣି ଟୋପେ ପାଇଁ ବାଜିରେ ମହିଳାଙ୍କ ଜୀବନ: ବିପଦସଙ୍କୁଳ ଜଙ୍ଗଲ ରାସ୍ତାରେ ଦିନକୁ ଦୁଇ କିଲୋମିଟର ଯାତ୍ରା

ସୂର୍ଯ୍ୟ ଲେଙ୍କା

ରାଜନଗର: ଡ଼ହଡହ ଖରାରେ ଅଢେଇ କିଲୋମିଟର ଚାଲି ଚାଲି ଗଲେ ମିଳୁଛି ପିଇବା ପାଣି। ଖରାର ପ୍ରକୋପ ଦୃଷ୍ଟିରୁ ଗାଁର ମହିଳା ଓ ପିଲାମାନେ ବାଟ କମ୍ କରିବା ପାଇଁ ବାଧ୍ୟ ହୋଇ ଭିତରକନିକା ଜଙ୍ଗଲ ଭିତରେ ପଶି ପାଣି ପାଇଁ ଯାଉଛନ୍ତି। ଜଙ୍ଗଲରେ ହିଂସ୍ର ବାରହା ଓ ବିଷଧର ସାପ ରହିଥିଲେ ବି ପାଣି ଟୋପାଏ ପାଇଁ ଜୀବନକୁ ବାଜି ଲଗାଇବାକୁ ବାଧ୍ୟ ହେଉଛନ୍ତି ପାଖାପାଖି ଶହେ ପରିବାର। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ରଂଗଣୀ ପଂଚାୟତର ଭେକ୍ଟା ଗାଁରେ ଏଭଳି ଜଳ ଯନ୍ତ୍ରଣା ଉଦ୍‌ବେଗର କାରଣ ହୋଇଛି।

ଏହି ଗାଁରେ ୪୫୦ ପରିବାରର ପ୍ରାୟ ୨୬ଶହ ଲୋକ ବସବାସ କରୁଛନ୍ତି। ଦୁଇଟି ୱାର୍ଡରେ ଭୋଟରଙ୍କ ସଂଖ୍ୟା ୧୧ ଶହରୁ ଅଧିକ। ଭୌଗୋଳିକ ଦୃଷ୍ଟିରୁ ଏହି ଗାଁର ପରିସୀମା ୮ କିଲୋମିଟରରୁ ଅଧିକ ହେବ। ଏଠାରେ ବସବାସ କରୁଥିବା ବଂଗୀୟ ଭାଷାଭାଷୀ ଲୋକେ ଛାଡି ଛାଡି ଘର କରି ପରିବାର ସହ ରହୁଛନ୍ତି। ଗାଁର ୧ ନଂ ୱାର୍ଡରେ ୬ଟି ଓ ୨ ନମ୍ବର ୱାର୍ଡରେ ୫ଟି ନଳକୂପ ଲୋକଙ୍କ ପାଣି ଆବଶ୍ୟକତା ପୂରଣ କରୁଥିଲା। କିନ୍ତୁ ୧ ନମ୍ବର ୱାର୍ଡରେ ୪ଟି ନଳକୂପ ଭଲ ଥିବା ବେଳେ ୨ଟି ନଳକୂପ ୩ ବର୍ଷ ହେଲା ଅଚଳ ହୋଇପଡିଛି। ୨ ନମ୍ବର ୱାର୍ଡରେ ୨ଟି ନଳକୂପ ଭଲ ଥିବା ବେଳେ ମସଜିଦ ନିକଟ ନଳକୂପ, ଭୀମ ଜେନାଙ୍କ ଘର ପାଖ ନଳକୂପ ଓ ମାନା ସାହି ନଳକୂପ ଦୁଇ ବର୍ଷ ହେଲା ଅଚଳ ହୋଇ ପଡିଛି। ଏହି ୱାର୍ଡର ଗୋଟିଏ ପଟେ ପ୍ରଭାତ ଜେନାଙ୍କ ଘର ନିକଟ ନଳକୂପ ଓ ଶେଷ ମୁଣ୍ତରେ ଚୌରାଙ୍ଗୀ ଛକ ନିକଟ ନଳକୂପ ଭଲ ଥିବା ବେଳେ ମଝିରେ ଥିବା ୩ଟି ନଳକୂପ ଅଚଳ ହୋଇପଡିଛି। ୨ ନମ୍ବର ୱାର୍ଡର ପ୍ରଥମ ମୁଣ୍ତରୁ ଶେଷ ମୁଣ୍ତର ଦୂରତା ୩ କିଲୋମିଟର।

ଏହି ୱାର୍ଡର ପ୍ରାୟ ଶହେ ପରିବାର ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଇ ଅଢେଇ କିଲୋମିଟର ଚାଲି ଚାଲି ଯାଇ ମହିଳାମାନେ ପିଇବା ପାଣି ଘରକୁ ଆଣୁଛନ୍ତି। ଘର ପାଖରୁ କାଦୁଅ ରାସ୍ତାରେ ନଳକୂପର ଦୂରତା ୨ କିଲୋମିଟରରୁ ଅଧିକ ହୋଇଥିବାରୁ ଚାଲି ଚାଲି ଯାଇ ଧାଡିରେ ଛିଡା ହୋଇ ପାଣି ଆଣି ଫେରିବା ମହିଳାଙ୍କ ପାଇଁ ଯନ୍ତ୍ରଣା ପାଲଟିଛି। ମାଟି ରାସ୍ତାର ବିକଳ୍ପ ଭାବେ ଜଙ୍ଗଲ ଭିତରେ ନଳକୂପ ନିକଟକୁ ଦୂରତା ୧ କିଲୋମିଟରରୁ ସାମାନ୍ୟ ଅଧିକ ଥିବାରୁ କମ୍ ବାଟ ପାଇଁ ମହିଳାମାନେ ଜଙ୍ଗଲ ଭିତରେ ପଶି ନଳକୂପ ନିକଟକୁ ପାଣି ପାଇଁ ଯାଉଛନ୍ତି ଓ ଜଙ୍ଗଲ ଦେଇ ପାଣି ନେଇ ଫେରୁଛନ୍ତି। ହିଂସ୍ର ବାରହା ଓ ବିଷଧର ସାପ ଏହି ମହିଳାଙ୍କ ପାଇଁ ବିପଦର କାରଣ ହୋଇଛନ୍ତି।

ଆମିନା ବେୱା, ରୁବୁନ ବିବିଙ୍କ କହିବା କଥା ହେଲା ପାଣି ପାଇଁ ଆମେ ନର୍କ ଯନ୍ତ୍ରଣା ଭୋଗୁଛୁ। ସକାଳ ୬ଟା ରେ ପାଣି ପାଇଁ ଯାଇ ଲାଇନରେ ଛିଡା ହୋଇ ପାଣି ଆଣି ଘରେ ପହଞ୍ଚିବା ବେଳକୁ ଦିନ ୧୧ଟା ହୋଇଯାଉଛି। ଜଙ୍ଗଲ ଭିତରେ ହିଂସ୍ର ଜନ୍ତୁ ଥିବାରୁ ସବୁ ବେଳେ ୪/୫ ଜଣ ମହିଳା ସାଙ୍ଗ ହୋଇ ପାଣି ପାଇଁ ଯିବାକୁ ପଡୁଛି। ନଳକୂପ ଅଚଳ ହେବା ପରେ ନୂଆ ନଳକୂପ ବସାଇବା ପାଇଁ ପ୍ରଶାସନକୁ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ। ଆମର ଜୀବନ ବଂଚିବା ପାଇଁ ପାଣି ଟୋପେର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଇନସାର ଅଲ୍ଲୀ ସାହା, ସେକ୍ କାସୀମୁଦ୍ଦିନ, ଝାଡୁ ଅଲ୍ଲୀ ସାହା, ସେକ୍ ଇସଲାମ, ସେକ ଖଇରୁଲ ପ୍ରମୁଖ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର