ବାଲେଶ୍ବର: ସମାଜରେ ପୁରୁଷଙ୍କୁ ଯେତିକି ଅଧିକାର ମିଳୁଛି, ମହିଳାମାନଙ୍କୁ ମଧ୍ୟ ସେତିକି ଅଧିକାର ମିଳିବା ଦରକାର। ନୂତନ ସରକାର ନୂତନ ଓଡ଼ିଶା ଗଠନର ପ୍ରୟାସ କରୁଥିବା ବେଳେ ଏଥିରେ ମହିଳାମାନେ ଭାଗୀଦାର ହୁଅନ୍ତୁ। ମା’ମାନେ ଆଗକୁ ଆସିଲେ, ସମାଜ ଆଗେଇବ। ‘ସମ୍ବାଦ’ ପକ୍ଷରୁ ବାଲେଶ୍ବରରେ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳାଙ୍କୁ ନେଇ ହୋଟେଲ ଭେନିୟା ପାରାଡାଇଜ୍‌ରେ ଅନୁଷ୍ଠିତ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସରକାରୀ ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ ଏହା କହିଛନ୍ତି। ଶୁକ୍ରବାର ଦିନ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବସ୍ତା ବିଧାୟିକା ତଥା ମହିଳା ଶିଳ୍ପୋଦ୍ୟୋଗୀ ସୁବାସିନୀ ଜେନା କହିଥିଲେ, ଇଂଲଣ୍ଡରେ ଲୋକ ଚାଷ କରି ଧନୀ, କିନ୍ତୁ ଆମେ ଚାଷରୁ ବିମୁଖ ହେଉଛୁ। ବିଭିନ୍ନ ସରକାର ବିଭିନ୍ନ ଯୋଜନା କରି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ମହିଳାଙ୍କୁ ସ୍ବାବଲମ୍ବୀ, ସ୍ବଂୟସିଦ୍ଧା ହେବାକୁ ହେଲେ ନିଜସ୍ବ ପ୍ରଚେଷ୍ଟା ଲୋଡ଼ା। ସେ ଆହୁରି ମଧ୍ୟ କହିଥିଲେ, ଇଂରେଜ ଶାସନ ସମୟରେ ସେମାନେ ଭାରତୀୟ ମହିଳାଙ୍କୁ ଆଗେଇବାରେ ରୋକ୍‌ ଲଗାଉଥିବା ବେଳେ କୁଟୀର ଶିଳ୍ପକୁ ବୁଡ଼ାଇଦେବାକୁ ଚାହୁଁଥିଲେ। ଏଥିରୁ ଜାଣିପାରିବେ ଆମ ମହିଳା ଶକ୍ତି, କୁଟୀର ଶିଳ୍ପର ଶକ୍ତି କେତେ। ଏହି ଅବସରରେ ସେ ନିଜସ୍ବ ଉଦ୍ୟୋଗ ସମ୍ପର୍କରେ ସୂଚନା ଦେବାସହିତ ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହେବାପାଇଁ ଆଗେଇ ଆସିବା ଉଚିତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଲେଶ୍ବର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ କହିଥିଲେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଆମ କାମର ଅନେକ ଫିଡ୍‌ବ୍ୟାକ୍‌ ଆମେ ଗଣମାଧ୍ୟମରୁ ପାଇଥାଉ। ‘ସମ୍ବାଦ’ର ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ବେଶ୍‌ ଉତ୍ସାହିତ କରିଛି। 

Advertisment

ବାଲେଶ୍ବରରେ ମହିଳା ସମାବେଶ ‘ଓଡ଼ିଶା-୫୦’

ମହିଳାମାନେ ହେଉଛନ୍ତି ଅଧା ବିଶ୍ବ: ସୌମ୍ୟ
ସ୍ବୟଂସିଦ୍ଧା ହେବା ପାଇଁ ନିଜସ୍ବ ପ୍ରଚେଷ୍ଟା ଲୋଡ଼ା: ସୁବାସିନୀ

ସଭାପତିତ୍ବ ଅଭିଭାଷଣରେ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ, ବିଶ୍ବରେ ଯେତିକି ପୁରୁଷ, ସେତିକି ମହିଳା ଈଶ୍ବର ସୃଷ୍ଟି କରିଛନ୍ତି। ତେଣୁ ଅଧା ବିଶ୍ବକୁ ଛାଡ଼ି ଆମେ ଆଗକୁ ଯାଇପାରିବା ନାହିଁ। ମହିଳାମାନଙ୍କୁ ଆଗେଇବା, ସମୃଦ୍ଧ କରିବା ନିମନ୍ତେ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ମହିଳା ସୁରକ୍ଷିତ ରହିବାକୁ ହେଲେ ପାଠ ପଢ଼ିବା ସହିତ ରୋଜଗାରକ୍ଷମ ହେବା ଜରୁରୀ। ସମାଜରେ ପାଠ ପଢୁଆ, ରୋଜଗାରିଆ ବୋହୂର ଆଦର ଏବେ ଅଧିକ। ଝିଅଟିଏ ପାଠ ପଢ଼ିଲେ, ଦେଶ ଆଗେଇବ। ଖାଲି ପାଠ ପଢ଼ିଲେ ହେବନାହିଁ, ଆମକୁ ୫ ‘ଏମ୍‌’, ୫ ‘ଏନ୍‌’ ପ୍ରତି ଧ୍ୟାନ ଦେବାକୁ ହେବ। ୫ ‘ଏମ୍‌’, ୫ ‘ଏନ୍‌’ର ସୂତ୍ର ଶ୍ରୀ ପଟ୍ଟନାୟକ ବତାଇଥିଲେ। ମା’, ମାଟି, ମାତୃଭାଷାକୁ ନଭୁଲିବା ସହିତ ଆଜିର ଦୁନିଆରେ ମୋବାଇଲ ବିନା କିଛି ହେଉନାହିଁ। ତେଣୁ ମୋବାଇଲ ବ୍ୟବହାର ସହିତ ମଦମୁକ୍ତ ଓଡ଼ିଶା ଗଠନ ଲାଗି ସେ ମହିଳାମାନଙ୍କୁ ଆହ୍ବାନ ଦେଇଥିଲେ। ସେହିଭଳି ନିରୋଗ ରହିବା, ନିରାଡ଼ମ୍ବର ଜୀବନ ବିତାଇବା, ନିରହଙ୍କାର, ନିଡର, ନିଶାମୁକ୍ତ ପରିବେଶ ଗଠନ ଲାଗି ଆହ୍ବାନ ଦେଇଥିଲେ। 
‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ୪ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ଲାଭ କରିଛି। ବର୍ଷକୁ ବର୍ଷ ଅଧିକରୁ ଅଧିକ ମହିଳା ସ୍ବାବଲମ୍ବୀ ହେବା ସହିତ ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେଉଛନ୍ତି।

ଆପଣଙ୍କ ଭଳି ସ୍ବାବଲମ୍ବୀ ମହିଳାମାନଙ୍କଠାରୁ ଅନ୍ୟମାନେ ପ୍ରେରଣା ପାଇ ରୋଜଗାରର ପନ୍ଥା ଆପଣାଉଛନ୍ତି। ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ‘ମହିଳା ଉଦ୍ୟୋଗ ଓ ଆହ୍ବାନ’ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇଏସ୍‌ ଅଧିକାରୀ ଅଭିଷେକ ଦୁଧାଲ, ଫକୀରମୋହନ ବିଶ୍ବବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଡ.ଗୀତାଞ୍ଜଳି ପଣ୍ଡା, ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା (ଆର୍‌ଏସ୍‌ଇଟିଆଇ)ର  ନିର୍ଦ୍ଦେଶକ ସୁବ୍ରତ ମହାକୁଳ, ମିସନ୍‌ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକଚନ୍ଦ୍ର ନାୟକ ଆଲୋଚକ ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକରୁ ସମାବେଶରେ ଯୋଗ ଦେଇଥିବା ପାଖାପାଖି ୨୫୦ଜଣ ମହିଳାଙ୍କ ମଧ୍ୟରୁ ବହୁ ମହିଳା ବଜାର ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ଆଲୋଚକଙ୍କୁ ପଚାରିଥିଲେ। ଦ୍ବିତୀୟ ଅଧିବେଶନ ପ୍ରାରମ୍ଭରେ ବରିଷ୍ଠ ସହସମ୍ପାଦକ ରୁଦ୍ରରଂଜନ ଶେଜପଡ଼ା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ‘ସମ୍ବାଦ’ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।