ଚୋରା ମଦ ସହ କ୍ୟାବିନ୍‌ ଜାଳିଦେଲେ, ମଦ ବିରୋଧରେ ମାତିଲେ ମହିଳା

ଖଣ୍ତଗିରି: ସ୍ଥାନୀୟ ଗଣ୍ତମୁଣ୍ତାସ୍ଥିତ ତାରିଣୀ ବସ୍ତିରେ ଆଜି ମହିଳାମାନେ ମଦ ବିକ୍ରିକୁ ବିରୋଧ କରି ରାଜରାସ୍ତାରେ ନିଆଁ ଜାଳିଛନ୍ତି। ଚୋରା ମଦ ବିକ୍ରି ହେଉଥିବା ଏକ କ୍ୟାବିନ୍‌କୁ ରାସ୍ତାରେ ଜାଳି ଦେଇଛନ୍ତି। ଖବର ପାଇ ଖଣ୍ତଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମଦ ବିକୁଥିବା ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି। ତେବେ ମୁଖ୍ୟ ମଦ ବେପାରୀ ଘଟଣାସ୍ଥଳରୁ ଫେରାର‌୍‌ ହୋଇଯାଇଛି। ଅପରାହ୍ଣ ପ୍ରାୟ ୩ଟାବେଳେ ମହିଳାମାନେ ଅତର୍କିତଭାବେ ଉକ୍ତ କ୍ୟାବିନ୍‌ ଉପରେ ଚଢ଼ଉ କରିଥିଲେ। କ୍ୟାବିନ୍‌କୁ ରାସ୍ତା ମଝିକୁ ଗଡ଼ାଇ ଦେଇଥିଲେ ଓ ସେଥିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖଣ୍ତଗିରି ଥାନା ପୁଲିସ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିବାକୁ ବସିଥିବାବେଳେ ମହିଳାମାନେ ପ୍ରତିରୋଧ କରିଥିଲେ। ରାସ୍ତା ଉପରେ କ୍ୟାବିନ୍‌ ଜଳୁଥିବାରୁ ଖଣ୍ତଗିରି-ପୋଖରୀପୁଟ ରାସ୍ତାରେ ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର