ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ‘ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ’ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। 
ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଡ. ହୃଷୀକେଶ ମଲ୍ଲିକ, ସ୍ୱତନ୍ତ୍ର ଅତିଥି ଭାବେ  ସମ୍ବିତ  ତ୍ରିପାଠୀ, ପୂର୍ବତନ ଆୟକର କମିସନର, ଡ. ହିମାଦ୍ରି ତନୟା ମିଶ୍ରଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।  କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପିଆଇବି ଏଡିଜି ଶ୍ରୀ ମିଶ୍ର କହିଲେ, ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ନାରୀଙ୍କୁ ଏକ ସଶକ୍ତ ଶକ୍ତି ଭାବରେ ଦେଖାଯାଇଛି। ସେମାନଙ୍କର ସହନଶୀଳତା, ସତ୍ୟ ପ୍ରତି ଅଗାଢ ବିଶ୍ୱାସ ଓ ନୀତିମୂଳକ ଦୃଢ଼ତା, ସମାଜକୁ ନୂଆ ଦିଗରେ ଆଗେଇ ନେବାରେ ସବୁବେଳେ ଶକ୍ତିଶାଳୀ ହୋଇଥାଏ।  ଗାନ୍ଧୀଜୀଙ୍କ ସମୟରେ, ନାରୀଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରାଇବା

Advertisment

ପ୍ରତୀକାତ୍ମକ ପଦକ୍ଷେପ ନଥିଲା, ବରଂ ସମାଜରେ ତାଙ୍କର ସଶକ୍ତ ସ୍ଥାନକୁ ସ୍ୱୀକାର କରିବାର ଏକ ସଚେତନ ପ୍ରୟାସ ଥିଲା। କାର୍ଯ୍ୟକ୍ରମରେ ବିଶେଷ ଅତିଥି ଡ଼. ହୃଷିକେଶ ମଲ୍ଲିକ କହିଥିଲେ, ସାହିତ୍ୟ ଓ ଇତିହାସରେ ଯେପରି ନାରୀଙ୍କ ଅବଦାନ ରହିଛି, ସେହିପରି ଗାନ୍ଧୀଜୀଙ୍କ ଆନ୍ଦୋଳନରେ ମଧ୍ୟ ସେମାନଙ୍କର ଭୂମିକା ଅସାଧାରଣ। ଗାନ୍ଧୀଜୀଙ୍କ ପାଇଁ, ନାରୀ କେବଳ ସ୍ୱାଧୀନତାର ସହଭାଗୀ ନୁହେଁ, ବରଂ ସମାଜର ନୀତିମୂଳକ ଦିଗରେ ଏକ ପ୍ରେରଣା। ସମ୍ମାନିତ ଅତିଥି ଡ. ହିମାଦ୍ରି ତନୟା ମିଶ୍ର କହିଥିଲେ,  ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀମାନେ ସମାଜର ମୂଳ ଶକ୍ତି। ନାରୀ ଓ ପୁରୁଷ, ଦୁହେଁ ସମାନ ଭାବରେ ଦେଶର ଉନ୍ନତିରେ ଅବଦାନ ରଖନ୍ତି। ସମ୍ବିତ ତ୍ରିପାଠୀ  କହିଥିଲେ, ଗାନ୍ଧୀଜୀଙ୍କ ଚିନ୍ତାଧାରାରେ ନାରୀଙ୍କୁ ଯେଉଁ ସମ୍ମାନ ଓ ସ୍ଥାନ ଦିଆଯାଇଛି, ତାହା ଏକ ସାହସିକ ପଦକ୍ଷେପ। ଆଜିର ସମୟରେ, ଯେତେବେଳେ ସମାଜରେ ନାରୀଙ୍କ ସ୍ଥାନକୁ ନେଇ ଆଲୋଚନା ହେଉଛି, ଗାନ୍ଧୀଜୀଙ୍କ ଦୃଷ୍ଟିକୋଣ ଆମ ପାଇଁ ଏକ ପଥପ୍ରଦର୍ଶକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଯାଇଥିଲା। ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ ।