ଉଦ୍‌ବେଗଜନକ ସ୍ଥିତିରେ ମହିଳା ସୁରକ୍ଷା: ପ୍ରତିଘଣ୍ଟାରେ ଜଣେ ମହିଳା ଯୌନ ଶୋଷଣର ଶିକାର

୩ ବର୍ଷରେ ୧୯୭୩୪ ଅସଦାଚରଣ, ୩୫୫୭ ଯୌନ ନିର୍ଯାତନା
ଅସଦାଚରଣରେ ପୁରୀ, ଯୌନ ନିର୍ଯାତନାରେ ଜଗତସିଂହପୁର ଆଗ‌ରେ

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଯୌନ ଶୋଷଣ ବଢ଼ି ଚାଲିଛି। ପ୍ରତି ଘଣ୍ଟାରେ ଜଣେ ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି। ପ୍ରତିଦିନ ୨୧ଜଣ ମିହିଳା ଯୌନଶୋଷଣ କରାଯାଉଛି। କର୍ମକ୍ଷେତ୍ର ହେଉ କି ଶିକ୍ଷା କିମ୍ବା ଘରୋଇ, ସବୁଠି ମହିଳା ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଲୋକଲଜ୍ଜା କାରଣରୁ ଅନକେ ଘଟଣା ପଦାକୁ ଆସିପାରୁ ନାହିଁ। ଆପୋସ ବୁଝାମଣାରେ ମାମଲା ରହିଯାଉଛି। ସେମିତି କେତେକ କ୍ଷେତ୍ରରେ ମହିଳାଙ୍କୁ ଧମକ ଚମକ, ଭୟଭୀତ କରାଇ ଘଟଣାକୁ ଚାପି ଦିଆଯାଉଛି।

ଗତ ତିନି ବର୍ଷରେ ରାଜ୍ୟରେ ୧୯ହଜାର ୭୩୪ଜଣ ମହିଳା ଅସଦାଚରଣ ଏବଂ ୩୫୫୭ଜଣ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ୨୦୧୯ରେ ୬୮୪୮, ୨୦୨୦ରେ ୭୯୩୭ ଏବଂ ୨୦୨୧ ଜୁନ୍ ସୁଦ୍ଧା ୪୯୪୯ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ସେହିପରି ୨୦୧୯ରେ ୧୩୦୫ଜଣ, ୨୦୨୧ରେ ୧୪୬୦ଜଣ ଏବଂ ୨୦୨୧ରେ ୭୯୨ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି।

ପୁରୀ ଜିଲ୍ଲାରେ ସର୍ବାଧିକ ୧୪୯୨ ଜଣ ଅସଦାଚରଣର ଶିକାର ହୋଇ ଆଗରେ ରହିଥିବା ବେଳେ ଏହା ପଛକୁ ଯାଜପୁରରେ ୧୨୫୦ଜଣ, କେନ୍ଦ୍ରାପଡ଼ାରେ ୧୨୩୯ଜଣ, ବଲାଙ୍ଗୀରରେ ୧୧୪୧ଜଣ, ବାଲେଶ୍ବରରେ ୧୧୧୨, ମୟୂରଭଂଜରେ ୧୦୯୨ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାର ସର୍ବାଧିକ ୩୦୯ଜଣ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥିବା ବେଳେ ପଛକୁ ପୁରୀରେ ୩୦୪, ଗଞ୍ଜାମରେ ୨୪୯, ଯାଜପୁରରେ ୨୦୯ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି। ସେମାନଙ୍କୁ ସ୍ବାବଲମ୍ବୀ ପାଇଁ ବିଭିନ୍ନ ସ୍କିମ୍‌ରେ ରୋଜଗାର ଯୋଗାଉଛନ୍ତି। ରାଜନୀତି କ୍ଷେତ୍ରରୁ କର୍ମକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ସରକାର ମହିଳାଙ୍କୁ ଗୁରୁତ୍ବ ଦେଉଛି। ହେଲେ ରାଜ୍ୟରେ ଯେ ମହିଳ ଅସୁରକ୍ଷିତ ହୋଇ ପଡ଼ିଲେଣି। ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ,ଏଥିରୁ ତାହା ସ୍ପଷ୍ଟ ବାରି ହେଉଛି।

ସମ୍ବନ୍ଧିତ ଖବର