ସୁନ୍ଦରଗଡ଼: ଗଣତିରେ ଜିତିଥିଲେ। ସମର୍ଥକମାନଙ୍କ ଗହଣରେ ସେ ଏକ ପ୍ରକାର ବିଜୟ ଉତ୍ସବ ମଧ୍ୟ ମନାଇ ସାରିଥିଲେ। କିନ୍ତୁ ସକାଳେ ବ୍ଲକରେ ବିଜୟୀ ପ୍ରାର୍ଥୀ ଭାବେ ଅନ୍ୟ ଜଣେ ପ୍ରତିଦ୍ବନ୍ଦ୍ବୀଙ୍କ ନାମ ଘୋଷଣା କରାଗଲା। ଏପରି ଏକ ଅଭିଯୋଗ ଆସିଛି ବାଲିଶଙ୍କରା ବ୍ଲକ୍ ରାମପୁର ପଞ୍ଚାୟତରୁ। ଗଣତିରେ ବିଜୟ ହାସଲ କରିଥିବା ସମିତିସଭ୍ୟ ପ୍ରାର୍ଥୀ ପ୍ରମୋଦ କୁମାର ମିଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ତୁରନ୍ତ ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।  ତ୍ରୁଟିପୂର୍ଣ୍ଣ ଭାବେ ତାଙ୍କ ବିଜୟୀ ଭୋଟକୁ ଏପଟସେପଟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଶ୍ରୀ ମିଞ୍ଜଙ୍କ ଅଭିଯୋଗ ଅନୁସାରେ, ରାମପୁର ପଞ୍ଚାୟତ ସମିତିସଭ୍ୟ ପ୍ରାର୍ଥୀ ଭାବେ ତାଙ୍କ ସହ ସୀତାରାମ ଦଣ୍ଡସେନା, ସୁଶାନ୍ତ ଖାଲକୋ, ସୂର୍ଯ୍ୟକାନ୍ତି ମାଝୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଫେବ୍ରୁଆରି ୨୦ ତାରିଖରେ  ଏଠାରେ ମତଦାନ ହୋଇଥିବା ବେଳେ  ୨୭ ତାରିଖରେ ଗଣତି ହୋଇଥିଲା। ଗଣତି ଶେଷ ହେବା ପରେ ସେ ୭୭୯ ଭୋଟ୍ ପାଇ ନିକଟତମ ପ୍ରତିଦ୍ବନ୍ଦ୍ବୀ ସୁଶାନ୍ତ ଖାଲକୋଙ୍କ ଠାରୁ ୨୦୨ ଭୋଟରେ ବିଜୟୀ ହୋଇଥିବା ସୂଚନା ଏଜେଣ୍ଟଙ୍କ ଠାରୁ ପ୍ରାପ୍ତ ହୋଇଥିଲେ।

ଏଜେଣ୍ଟକୁ ଠାରୁ ପ୍ରାପ୍ତ ଗଣତି ତଥ୍ୟରେ ତାଙ୍କ ନିଜ ଗାଁ ରାମପୁର ୫ ନମ୍ବର ବୁଥରେ ସେ ସେ ୧୦୫ ଭୋଟ୍ ପାଇଥିବା ବେଳେ ସୁଶାନ୍ତ ୫୩, ସୂର୍ଯ୍ୟକାନ୍ତି ୧୦, ସୀତାରାମ ୨୭ ଭୋଟ୍ ପାଇଥିଲେ। ୧୦ ଖଣ୍ଡ ଭୋଟ୍ ନାକଚ ହୋଇଥିଲା। ଏହା ପରେ ସେ ଗାଁକୁ ଯାଇ ବିଜୟ ଖୁସି ମନାଇଥିଲେ। କିନ୍ତୁ ୨୮ ତାରିଖ ସକାଳେ ମତଗଣନା କେନ୍ଦ୍ର ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସୁଶାନ୍ତ ଖାଲକୋଙ୍କୁ ବିଜୟ ଘୋଷଣା କରାଯାଇଥିଲା। ଏ ସମ୍ପର୍କରେ ସେ ସୂଚନା ପାଇ ଗଣନା କେନ୍ଦ୍ରକୁ ଆସି ଗଣତି ତଥ୍ୟ ଦେଖିଥିଲେ।  ରାମପୁର ୫ ନମ୍ବର ବୁଥରେ ତାଙ୍କୁ ମାତ୍ର ଗୋଟିଏ ଭୋଟ୍ ମିଳିଥିବା ଉଲ୍ଲେଖ ଥିଲା। ସେହିପରି ସୀତାରାମ ୧୩, ସୁଶାନ୍ତ ଖାଲକୋ ୧୭୯, ସୂର୍ଯ୍ୟକାନ୍ତୀ ୫ ଭୋଟ୍ ପାଇଥିବା ଓ ୭ଟି ଭୋଟ୍ ନାକଚ ଥିବା ଦର୍ଶାଯାଇଥିଲା।

ସୁଶାନ୍ତ ୭୦୩ ଭୋଟ୍ ପାଇ ବିଜୟୀ ହୋଇଥିବା ପ୍ରକାଶ ପାଇଥିଲା। ଏ ତଥ୍ୟରେ ପ୍ରମୋଦ ହତଚକିତ ହୋଇଯାଇଥିଲେ। ୫ ନମ୍ବର ବୁଥରେ ୨୦୫ ମତଦାନ ହୋଇଥିବା ବେଳେ ଉଭୟ ସମିତିସଭ୍ୟ ଓ ସରପଞ୍ଚଙ୍କୁ ମିଳିଥିବା ସେହି ବୁଥର ଗଣତିପତ୍ରରେ ସମାନ ଭୋଟ୍ ଉଲ୍ଲେଖ ରହିଥିବା ସେ ପ୍ରକାଶ କରିଛନ୍ତି।  ସମିତିସଭ୍ୟ ଭଳି ସରପଞ୍ଚ ଆର୍ଶିତା ହେମ୍ରମଙ୍କୁ ଗୋଟିଏ ଭୋଟ୍, ତା ତଳକୁ ଉଷା ଟପ୍ପୋଙ୍କୁ ୧୩, ମୀନା ଦିଶାରୀଙ୍କୁ ୧୭୯, ରୋଶନୀ ଓରାମଙ୍କୁ ୫ ଓ ୭ଟି ଭୋଟ୍ ନାକଚ ଉଲ୍ଲେଖ ରହିଛି। ସରପଞ୍ଚ ପାଇଥିବା ଭୋଟ୍କୁ ତ୍ରୁଟିପୂର୍ଣ୍ଣ ଭାବେ ସମିତିସଭ୍ୟ ଗଣତିପତ୍ରରେ କପିପେଷ୍ଟ କରି ବିଜୟ ଘୋଷଣା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।