ରଥଯାତ୍ରାର ପ୍ରାରମ୍ଭିକ ପର୍ବ ଆରମ୍ଭ: ରଥକାଠ କଟା ପାଇଁ ଗଲା ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ

ନୟାଗଡ଼ ବନଖଣ୍ଡରୁ କଟାଯିବ ୬୭୦ ଖଣ୍ଡ କାଠ

ପୁରୀ:‌ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠୁ ପ୍ରାରମ୍ଭିକ ପର୍ବ ଆରମ୍ଭ ହୋଇଗଲାଣି। ରଥ ସଂହିତା ମୁତାବକ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ଯୋଗାଉଥିବା ରଥକାଠ କଟା ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୫ ଜଣିଆ ଦଳ ନୟାଗଡ଼ ଗସ୍ତ କରିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ, ଏସ୍‌ଇ ବିନ୍ଧେଶ୍ବର ପାତ୍ର, ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ଆଜି ଅପରାହ୍ଣରେ ମହାପ୍ରଭୁଙ୍କ ଲାଗିମାଳ, ମାହାର୍ଦ୍ଦ, ଖଣ୍ଡୁଆ, ପତନୀ, ଧୂପଦୀପ ସହ ନୟାଗଡ଼ ଯାତ୍ରା କରିଛନ୍ତି। ଆସନ୍ତାକାଲି ଗଣିଆ ବ୍ଲକ୍ ବଡ଼ମୂଳସ୍ଥିତ ମା’ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ଲାଗିମାଳ, ମହାପ୍ରସାଦ, ଖଣ୍ଡୁଆ, ପତନୀ, ଧୂପଦୀପ ଆଦି ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠକଟା ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ଦଳ ରଥ କାଠ କଟା ପାଇଁ ଅନୁମତି ନେଇ ଫେରିବେ। ପରେ ନୟାଗଡ଼ ବନଖଣ୍ଡରୁ ଆବଶ୍ୟକ ରଥକାଠ କଟାଯିବ। ଯଦି କାଠ ନିଅଣ୍ଟ ପଡ଼େ ବୌଦ୍ଧ ବନଖଣ୍ଡରୁ ଆବଶ୍ୟକ ରଥକାଠ କଟାଯିବ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ରଥ ସଂହିତା ଅନୁଯାୟୀ, ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ। ପୂର୍ବବର୍ଷର ୧୯୫ ଖଣ୍ଡ କାଠ ବଳକା ରହିଥିବାରୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୬୭୦ ଖଣ୍ଡ କାଠ କଟାଯିବ। କାଠ କଟାଯିବା ପରେ ୬୭୦ ଖଣ୍ଡ କାଠରୁ ୩୦୪ ଖଣ୍ଡ କାଠ କଟକସ୍ଥିତ ସ’ ମିଲକୁ ଯିବ ଓ ବାକି ୩୫୬ ଖଣ୍ଡ କାଠ ରଥଖଳାକୁ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧିତ ଖବର