ଆନନ୍ଦପୁର: ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଗୋହିରା ଢାବା ନିକଟରୁ ଗୁରବାର ଦିନ ୨ଟାବେଳେ ଏକ ଶାଗୁଆନ କାଠ ବୋଝେଇ ଟାଟା ଏସି ଗାଡ଼ି ଜବତ କରିଛି ବନ ବିଭାଗ। ଟାଟା ଏସି (ଓଡି-୦୯-ପି-୬୦୮୧)ରେ ୧୩ଖଣ୍ତ ଶାଗୁଆନ କାଠ ବୋଝେଇ ହୋଇ  ଗୋହିରାରୁ ଦରଖଳା ଯାଉଥିଲା। ବନ ବିଭାଗ କର୍ମଚାରୀ ଚଢ଼ଉ କରି ଏହାକୁ ଜବତ କରିଛନ୍ତି। ଜବତ କାଠର ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। କାଠ ଚୋରା ଚାଲାଣ ଅଭିଯୋଗରେ ଖପରାଖାଇର ସୁଦର୍ଶନ ନାୟକ (୪୪)କୁ ଗିରଫ କରାଯାଇଛି। ଡିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ନିର୍ଦେଶକ୍ରମେ ଦେଓଗାଁ ରେଞ୍ଜର ସୁରେନ୍ଦ୍ରନାଥ ହେମ୍ବ୍ରମ ,ଡେପୁଟି ରେଞ୍ଜର ନବକିଶୋର ନାୟକ, ବନପାଳ ମଳୟ କୁମାର ସାହୁ, ଫରେଷ୍ଟ ଗାର୍ଡ ମଧୁସୂଦନ ସାହୁ, ନିରୁପମା ମିଶ୍ର, ପ୍ରିୟଦର୍ଶିନୀ ଜେନା ଚଢ଼ଉରେ ସାମିଲ ହୋଇଥିଲେ।

Advertisment

publive-image

ସେହିପରି ଗତକାଲି ବିଳମ୍ବିତ ରାତିରେ ଏକ ଅଙ୍ଗାର ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରାଯାଇଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ଅଙ୍ଗାର ବୋଝେଇ କରି ଦରଖଳାରୁ ପାଣିକୋଇଲି ଯାଉଥିଲା। ବନ ବିଭାଗର କର୍ମଚାରୀ ପିଛା କରି ୨୦ ନମ୍ବର ଜାତୀୟ ରାଜପଥ ହସନପୁର ଟୋଲ୍‌ପ୍ଲାଜା ନିକଟରୁ ତାହାକୁ ଜବତ କରିଥିଲେ। ଗାଡ଼ିରେ ୪୦ ବସ୍ତା ଅଙ୍ଗାର ଥିଲା। ଏହି ଘଟଣାରେ ଗାଡ଼ି ଚାଳକ ଆକାଶ ମହାନ୍ତି (୨୨) ଓ ପ୍ରକାଶ ମହାନ୍ତି (୫୨)କୁ ଗିରଫ କରାଯାଇଛି। ଉଭୟ ବାପପୁଅ ବୋଲି ଜଣାପଡ଼ିଛି।