ମାତିଛନ୍ତି କାଠ ମାଫିଆ, ୧୦ ଦିନରେ ୧୫ ଶାଳଗଛ ଉଭାନ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢେଙ୍କିକୋଟ ଫରେଷ୍ଟ ସେକ୍ସନର ଦୁବୁଲାବେଡ଼ା ଜଙ୍ଗଲରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। କାଠ ମାଫିଆମାନେ ୧୦ ଦିନରେ ୧୫ଟି ଶାଳଗଛ କାଟି ଚାଲାଣ କରିଥିବା ଜଣାପଡ଼ିଛି। ଦିନ ଦ୍ବିପ୍ରହରରେ ମାଫିଆମାନେ ଗଛକାଟି ଚାଲାଣ କରୁଥିଲେ ମଧ୍ୟ ବନ ବିଭାଗ ଟେର୍‌ ପାଉନି।

ଗତକାଲି ଅପରାହ୍‌ଣରେ ଦୁବୁଲାବେଡ଼ା ଜଙ୍ଗଲର ବଳସାହି ନିକଟରୁ ଦୁଇଟି ବଡ଼ବଡ଼ ଶାଳଗଛ କଟାଯାଇ ଚାଲାଣ କରାଯାଇଛି। ପଶ୍ଚିମବଙ୍ଗର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ତାହାକୁ ଖଣ୍ଡଖଣ୍ଡ କରି ପିକ୍‌ଅପ୍‌ ଭ୍ୟାନ୍‌ରେ ନେଇଯାଇଛନ୍ତି। ଏକ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ମାଫିଆମାନେ କାଠ ନେଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ କବେଳ ଡାଳପତ୍ର ପଡ଼ିଥିଲା। ୧୦ ଦିନ ମଧ୍ୟରେ ଏହି ଜଙ୍ଗଲର ବିଭିନ୍ନ ସ୍ଥାନରୁ ୧୫ରୁ ଊର୍ଦ୍ଧ୍ବ ଗଛ କାଟି ନେଇଗଲେଣି ମାଫିଆ। ଜଙ୍ଗଲର ସୁରକ୍ଷା ପାଇଁ ଦୁବୁଲାବେଡ଼ା ଗ୍ରାମରେ ବନ ସୁରକ୍ଷା ସମିତି ରହିଛି। ଏହାସତ୍ତ୍ବେ ଦିନଦ୍ବିପ୍ରହରରେ ମାଫିଆମାନେ ଜଙ୍ଗଲରୁ ଗଛ କାଟିନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେହିପରି ଗଛ କଟା ସମ୍ପର୍କରେ ଖବର ଦେବା ପାଇଁ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟରଙ୍କୁ ଯୋଗାଯୋଗ କଲେ ସେମାନେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହେଉଛି। ବନ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଦୁବୁଲାବେଡ଼ା ଜଙ୍ଗଲ ସଫା ହୋଇଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର