ସୁକିନ୍ଦାରୁ ୪୬୧ ଘନଫୁଟ କାଠଗଣ୍ଡି ଉଦ୍ଧାର

କାଳିଆପାଣି : କରୋନା କଟକଣାକୁ କଡ଼ାକଡ଼ି ଅନୁପାଳନ ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଓ ସଟ୍‌ଡାଉନ ଘୋଷଣା କରାଯାଇଛି। ଅମାନିଆଙ୍କ ପାଇଁ ପୁଲିସର ଦାୟିତ୍ବ ବଢ଼ିଯାଇଛି। ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଶୁଖିଲା ପତ୍ରରୁ ସୃଷ୍ଟି ହେଉଥିବା ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ବନ ବିଭାଗରେ ତତ୍ପରତା ଦେଖାଉଛି। ପୁନଶ୍ଚ କିଛି ନଛୋଡ଼ବନ୍ଦା ଜୁଆଙ୍ଗ, ଆଦିବାସୀ ଓ ନ୍ୟସ୍ତସ୍ବାର୍ଥୀ ବ୍ୟକ୍ତି ପୋଡ଼ୁଚାଷ ପାଇଁ ଯୋଜନାବଦ୍ଧ ଭାବେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଏହି କାରଣରୁ ବନ ବିଭାଗ ଆଖିରୁ ନିଦ ହଜିଯାଇଛି। ସାଧାରଣ ପ୍ରଶାସନ ଓ ଦୁଇ ଖାକି ବିଭାଗ କାର୍ଯ୍ୟବ୍ୟସ୍ତ ଥିବା ବେଳେ ଏ ପରିସ୍ଥିତି କିନ୍ତୁ କାଠ ମାଫିଆଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। କଟକ, ଆଠଗଡ଼, ଢେଙ୍କାନାଳ, ଅନୁଗୁଳ ଓ ଆନନ୍ଦପୁର ବନଖଣ୍ଡରେ କେତେକ କୁଖ୍ୟାତ କାଠ ମାଫିଆ ଏବେ ବେଶ୍‌ ସକ୍ରିୟ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଲକ୍‌ଡାଉନ୍ ସମୟରେ କେବଳ କଟକ ବନଖଣ୍ଡ ଅନ୍ତର୍ଗତ ସୁକିନ୍ଦା ରେଞ୍ଜ ପକ୍ଷରୁ ଦୈତାରୀ ଓ ମହାଗିରି ସୁରକ୍ଷିତ ଜଙ୍ଗଲର ସୁକୁରଙ୍ଗି, ଗୁରୁଜଙ୍ଗ, କୁମୁଡ଼ିବାହାଳି, କାକୁଡ଼ିଆ, ପୁରୁଣାପାଣି, କରଡ଼ାଗାଡ଼ିଆ, ରାଙ୍କିଆ, କଣ୍ଟାପାଳ ଓ ଗୁଣ୍ଡୁଚିପଶିରେ ଚଢ଼ଉ କରାଯାଇ ୪୬୧ ଘନଫୁଟ କାଠଗଣ୍ଡି ଜବତ କରାଯାଇଛି ବୋଲି ରେଞ୍ଜର ବିପିନ ବିହାରୀ ରାଉତରାୟ ‘ସମ୍ବାଦକୁ ସୂଚନା ଦେଇଛନ୍ତି। ଟମକା ରେଞ୍ଜ ପକ୍ଷରୁ ଚଢ଼ଉ କରାଯାଇ ଏକ କାଠଗଣ୍ଡି ଭର୍ତ୍ତି ଟ୍ରାକ୍ଟର ଓ କିଛି କାଠଗଣ୍ଡି ଉଦ୍ଧାର ହୋଇଥିବା ନେଇ ରେଞ୍ଜର ଘନଶ୍ୟାମ ମୁଦୁଲି କହିଛନ୍ତି। ଏସବୁ କାଠଗଣ୍ଡିର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ପାଖାପାଖି ହେବ। ତଥାପି ଜଙ୍ଗଲରେ ବିକ୍ଷିପ୍ତ ଭାବେ ଆହୁରି ଅନେକ କାଠଗଣ୍ଡି ପଡ଼ି ରହିଥିବା ଏକାଧିକ ବନରକ୍ଷୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଘଞ୍ଚ ଜଙ୍ଗଲ ମଧ୍ୟକୁ ଯାଇ କାଠଗଣ୍ଡି ଖୋଜିବା କଷ୍ଟକର ବ୍ୟାପାର ହୋଇଥିବାରୁ ଏ କ୍ଷେତ୍ରରେ ବନ ବିଭାଗକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ୁଛି ବୋଲି ରାଁସୋଳ ଫରେଷ୍ଟର ରବି ନାରାୟଣ ମହାନ୍ତି ବିବୃତି ରଖିଛନ୍ତି। ବନ ବିଭାଗ ପାଇଁ ଏବେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ମୁଖ୍ୟ କାର୍ଯ୍ୟ ଓ ଅନ୍ୟସବୁ କାର୍ଯ୍ୟ ଗୌଣ ଥିବା ବେଳେ କାଠ ମାଫିଆଙ୍କ ପାଇଁ ସେମାନଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି ‌ବୋଲି ଉଭୟ ରେଞ୍ଜର ସ୍ପଷ୍ଟ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର