ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନବିଭାଗ ଫଳସାଘାଟ ଗ୍ରାମରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିବା ସହ ଜଣକୁ ଅଟକ ରଖିଛି। ସୂଚନା ଅନୁସାରେ କେନାଭେଟା ପଞ୍ଚାୟତ ଫଳସାଘାଟ ଗ୍ରାମର ଚନ୍ଦ୍ରଶେଖର ସାହୁ ବେଆଇନ ଭାବେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ଘରର କବାଟ, ଝରକା ନିର୍ମାଣ କରିବାକୁ ଚୋରା କାଠ ପଟା ରଖିଥିବା ବନବିଭାଗକୁ ଖବର ମିଳିଥିଲା। ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଧିକାରୀ ମନୋଜ ପାତ୍ରଙ୍କ ନେତୃତ୍ବରେ ବଣାଇ, ତାମଡା, କୁଳିପୋଷ ରେଞ୍ଜରୁ ବନପାଳ ଗଗନ ତ୍ରିପାଠୀ, ଜ୍ଞାନରଞ୍ଜନ ମହାନ୍ତି, ହରେକୃଷ୍ଣ ସାହୁ, ବନରକ୍ଷୀ ରିଙ୍କିରାଣୀ ପ୍ରଧାନ, ଆରତୀ ନାଏକଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ପୁଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମିଳିତଭାବେ ଗତକାଲି ଚଢ଼ଉ କରିଥିବାବେଳେ ଅଭିଯୁକ୍ତଙ୍କ ଘରୁ ୨୩ ଖଣ୍ଡ ମୂଲ୍ୟବାନ ଶାଳ ପଟା, ଚୌକାଠ ୪ ସେଟ୍ , ବାନ୍ଧଣ କାଠ ଗଣ୍ଡି ପ୍ରଭୃତି ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରି ବଣାଇ ରେଞ୍ଜ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରାଯାଉଛି। ତାଙ୍କ ନାମରେ ଓଡ଼ିଶା ଜଙ୍ଗଲ ଆଇନ୍ ୧୯୭୨ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବଣାଇ ବନାଞ୍ଚଳ ଅଧିକାରୀ ମନୋଜ ପାତ୍ର ପ୍ରକାଶ କରିଛନ୍ତି।