ପୁରୀ ରଥଯାତ୍ରା ପାଇଁ ଘୁମୁସର ବନଖଣ୍ଡରୁ ଯିବ କାଠ, ଗଛକଟା ଆରମ୍ଭ

ଭଞ୍ଜନଗର: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ନିର୍ମାଣ ପାଇଁ ଚଳିତବର୍ଷ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡରୁ କାଠ ନିଆଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଗଛ ଚିହ୍ନଟ କରାଯାଇଥିଲା। ଏହିକ୍ରମରେ ଆଜି ଉତ୍ତର ଘୁମୁସର ବନଖଣ୍ଡର ପୁରୁଣାପାଣି ଗ୍ରାମ ନିକଟ କାଳିଆମ୍ବା ସଂରକ୍ଷିତ ଜଙ୍ଗଲରୁ ଆଜି ୨ ଗଛକୁ କଟାଯାଇଥିଲା। ରେଞ୍ଜର୍ କୁମର ବେହେରାଙ୍କ ନେତୃତ୍ବରେ ଓ ବନପାଳ ଶରତ ଚନ୍ଦ୍ର ମହାନ୍ତି ଏବଂ ବନରକ୍ଷୀ ସନ୍ତୋଷ ପାତ୍ରଙ୍କ ଉପସ୍ଥିତିରେ ନୟାଗଡ଼ରୁ ଆସିଥିବା ସ୍ବତନ୍ତ୍ର ଗଛକଟାଳି ଗଛକୁ କାଟିଥିଲେ। ଆଜି ପୁରୁଣାପାଣି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗିନି ଏବଂ ମୃଦଙ୍ଗ ବଜାଇ ଚିହ୍ନଟ ହୋଇଥିବା ଗଛ ନିକଟରେ ଏକାଠି ହୋଇଥିଲେ। ବନ୍ଦାପନା ସହ ନଡ଼ିଆ ଭାଙ୍ଗି ଓ ଧୂପ ଦେଇ ପୂଜାର୍ଚ୍ଚନା କରିଥିଲେ। ପରେ ଗଛ କଟାଯାଇଥିଲା। ରଥ ନିର୍ମାଣ ପାଇଁ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସମସ୍ତ ଗଛକୁ କଟାଯିବା ପରେ କାଠଗୁଡ଼ିକୁ ବୋହି ରାସ୍ତାକଡ଼କୁ ଅଣାଯିବ। ଏହାପରେ ସ୍ବତନ୍ତ୍ର ଗାଡ଼ିରେ କାଠଗଣ୍ଡିଗୁଡ଼ିକୁ ଏକାଠି କରି ପୁରୀ ପଠାଯିବ।ତେବେ ପବିତ୍ର ଘୋଷଯାତ୍ରା ପାଇଁ ‘ଆମ ଅଞ୍ଚଳରୁ କାଠ ଯାଉଥିବାରୁ ଆମେ ଗର୍ବିତ’ ବୋଲି ସ୍ଥାନୀୟବାସିନ୍ଦା କହିଛନ୍ତି।

ସୂଚନା ଅନୁଯାୟୀ, ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୧୮ ଟି କାଠ ଗଚ୍ଛିତ ରହିଛି। ଅବଶିଷ୍ଟ ୭୪୭ଟି ଅସନ, ଫାଶି ଓ ଢଉରା କାଠ ସଂଗ୍ରହ କାର୍ଯ୍ୟ ଚାଲିଛି ବୋଲି ଗତ କିଛିଦିନ ତଳେ ଗଛ ଚିହ୍ନଟ କରିବାକୁ ଆସିଥିବା ଶ୍ରୀମନ୍ଦିର ପ୍ରଶାସନର ରଥକାଠ ତତ୍ତ୍ବାବଧାରକ ସେବାୟତ ସୁଦର୍ଶନ ମେକାପ କହିଥିଲେ। ଏହି କାଠଗୁଡ଼ିକ ପଣାସଂକ୍ରାନ୍ତି ସୁଦ୍ଧା ଶ୍ରୀମନ୍ଦିର ରଥଖଳାରେ ପହଞ୍ଚିବ। ଆବଶ୍ୟକ ରଥକାଠ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ସମେତ ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା ଓ ରେଢ଼ାଖୋଲ ବନଖଣ୍ଡରୁ ସଂଗ୍ରହ କରାଯିବା ପାଇଁ‌ ଯୋଜନା ରହିଛି।

ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରୁ ୨୯ଟି ଗଛ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ବାଇବାଲି ଜଙ୍ଗଲରୁ ୨୦ଟି ଢଉରା ଗଛ ଚିହ୍ନଟ ହୋଇଛି। ଯାହାକି ତିନିରଥର ଅଖ, ଦଣ୍ଡା ଓ ଗୟଳ ନିର୍ମାଣରେ ଲାଗିବ। ସେହିପରି କେନ୍ଦ୍ରୀୟ ବନାଞ୍ଚଳର କାଳିଆମ୍ବା ସେକ୍‌ସନ୍‌ର ପୁରୁଣାପାଣି ଜଙ୍ଗଲରୁ ୩ଟି ଫାଶୀ ଗଛ ଏବଂ ତାରସିଂ ବନାଞ୍ଚଳରୁ ୬ଟି ଫାଶୀ ଗଛ ଚିହ୍ନଟ ହୋଇଛି। ତାରସିଂ ବନାଞ୍ଚଳର ୬ଟି ଗଛ ମଧ୍ୟରୁ ଗୋ‌ଟିଏ ତାରସିଂ ଗ୍ରାମର ରାସ୍ତା ନିକଟରେ ଚିହ୍ନଟ କରାଯାଇଥିବା ବେଳେ ରାଜସ୍ବ ପ୍ଲଟ୍‌ରେ ରହିଥିବା ୫ ଟି ଗଛକୁ ଶିଶୁଣ୍ଡା ଗ୍ରାମବାସୀ ସ୍ବଇଚ୍ଛାରେ ପ୍ରଦାନ କରିଥିବା ଡିଏଫ୍‌ଓ ସୁଦର୍ଶନ ବ‌େହେରା ପ୍ରକାଶ କରିଛନ୍ତି। ଫାଶୀ ଗଛର କାଠରେ ରଥର ଚକ, ପଇ ଓ ତୁମ୍ବ ନିର୍ମାଣ ହେବ।

ସମ୍ବନ୍ଧିତ ଖବର