କେନ୍ଦୁଝର/ବାଂଶପାଳ : କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ନୟାକୋଟ ଥାନା ବାରାକ୍ ଭିତରେ ଚୋରାକାଠରେ ତିଆରି ଚାଲିଥିଲା ପଲଙ୍କ। ପୁଲିସ ବାବୁଙ୍କ ଝିଅ ବାହାଘର ପାଇଁ ଏହା ପ୍ରସ୍ତୁତ ହେଉଥିଲା। ଆଜି ଏ ସଂପର୍କରେ 'ସମ୍ବାଦ'ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ଓ ପୁଲିସ ତତ୍ପର ହୋଇଛନ୍ତି। ବନ ବିଭାଗରଏକ ଟିମ୍‌ ନୟାକୋଟ ଥାନାକୁ ଯାଇ ଖୋଳତାଡ଼ କରିଥିଲେ ମଧ୍ୟ ସେଠାରେ କାଠ, ପଲଙ୍କ କିଛି ପାଇ ନଥିଲେ। ମିଳିଥିଲା କିଛି କରତଗୁଣ୍ଡ, ଗୋଟିଏ ରଙ୍ଗ ଡବା ଓ ଖଣ୍ଡେ ପ୍ଲାଇଉଡ୍‌। ଅପରପକ୍ଷେ ଏହି ଘଟଣାର ବିଧିବଦ୍ଧ ତଦନ୍ତ ହେବ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଆଜି ଭୂ୍ୟାଁ ଜୁଆଙ୍ଗପିଢ଼ ‌ରେଞ୍ଜ୍‌ର ରେଞ୍ଜର ମାନସ କୁମାର ମୁର୍ମୁ, ଆସିଷ୍ଟାଣ୍ଟ ରେଞ୍ଜର ମୁକ୍ତିକାନ୍ତ ପରିଡ଼ାଙ୍କ ସମେତ ବନ ବିଭାଗ ପକ୍ଷରୁ ଏକ ଟିମ୍‌ ନୟାକୋଟ ଥାନାକୁ ଯାଇଥିଲେ। ସେଠାରେ ବିଭିନ୍ନ ରୁମ୍ ‌ଖୋଜାଖୋଜି କରିଥିଲେ ବି କାଠ ପଟା କିମ୍ବା ଆସବାବପତ୍ର ପାଇ ନ ଥିଲେ। ଏକ କୋଠରି କୋଣରେ କିଛି କରତ ଗୁଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ ବୋଲି ରେଞ୍ଜର ମାନସ କୁମାର ମୁର୍ମୁ ସ୍ପଷ୍ଟ କରିଛନ୍ତି। ନୟାକୋଟ ଥାନାରେ ପୂର୍ବରୁ କେତେ କାଠ ଜବତ ହୋଇ ରହିଥିଲା ସେ ନେଇ ଖୋଳତାଡ଼ କରିବା ପରେ ବିଧିବଦ୍ଧ ଭାବେ ଏ ସଂପର୍କରେ ଆସନ୍ତାକାଲି ବନ ବିଭାଗକୁ ଜଣାଇ ଦିଆଯିବ ବୋଲି ନୟାକୋଟ ଥାନା ପକ୍ଷରୁ କୁହାଯାଇଛି।

ଏ ବିଷୟରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଥିଲେ, ଘଟଣାର ତଦନ୍ତ ହେବ ଏବଂ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲ ଘେରା ବାଂଶପାଳ ବ୍ଲକ ନୟାକୋଟ ଥାନା ପୁଲିସ ଅନେକ ସମୟରେ ମୂଲ୍ୟବାନ ଶାଳ, ପିଆଶାଳ କାଠ ଜବତ କରିଥାଏ। ସେହି ଚୋରା କାଠକୁ ପୁଲିସ ସରକାରୀ ଭାବେ ଫାଇଲରେ ନଦର୍ଶାଇ ନିଜନିଜ ପାଇଁ ଦାମୀ ଉପକରଣ ତିଆରି କରି ନେଇଯାଇଥାନ୍ତି। ଏ ବିଷୟରେ ବହୁଦିନରୁ ଶୁଣିବାକୁ ମିଳୁଥିଲା। ଗତକାଲି ଜନତା କର୍ଫ୍ୟୁ ସମୟରେ ଆମ ପ୍ରତିନିଧି ବାରାକ୍‌ ଭିତରକୁ ଯିବାରୁ କାଠ କାମ ଚାଲିଥିବା ଶବ୍ଦ ଶୁଣାଯାଇଥିଲା। ଭିତରେ ଏକ କୋଠରିରେ କବାଟ ଦେଇ ଜଣେ କାରିଗର ପିଆଶାଳ କାଠରେ ଦୁଇଟି ପଲଙ୍କ ତିଆରି କରୁଥିବା ଦେଖିବାକୁ ମିଳିଥିଲା।