ଟିକରପଡ଼ା: ନାଳରେ ୨୫ ଫୁଟର ଗଭୀର ପାଣି। କୁମ୍ଭୀର ଭୟ ବି ଅଛି। ହେଲେ ସ୍କୁଲ ଯିବା ପାଇଁ ବିପଜ୍ଜନକ ଅବସ୍ଥାରେ ଏହି ନାଳକୁ ପାର ହେବାକୁ ପଡ଼ୁଛି। ଛାତ୍ରଛାତ୍ରୀଙ୍କ ପାଇଁ କାଠଡଙ୍ଗା ହିଁ ଏକମାତ୍ର ଭରସା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତରେ। ସୂଚନା ଅନୁଯାୟୀ, ଟିକରପଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମରେ ବିଦ୍ୟାଳୟ ଥିବା ବେଳେ ଅନ୍ୟ ଗ୍ରାମର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ନାଳପାର ହୋଇ ଯାଉଛନ୍ତି। ଉକ୍ତ ନାଳ ପାର ହୋଇଗଲେ ସ୍କୁଲ୍ ଦୁଇ କିଲୋମିଟର ହେଉଥିବା ବେଳେ ରାସ୍ତାରେ ଗଲେ ପ୍ରାୟ ୧୦ କିଲୋମିଟର ହେବ। ଅଭୟାରଣ୍ୟ ଭିତରେ ପରିବାର ଚଳାଇବା କାଠିକର ପାଠ ହେଉଥିବା ବେଳେ ପିଲାମାନଙ୍କୁ ସାଇକଲ୍ଟିଏ ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ।
ଝଡ଼ବର୍ଷା ହେଲେ ମଧ୍ୟ ପିଲାମାନେ ପାଠ ପଢ଼ିବାକୁ ବିଦ୍ୟାଳୟ ଯାଉଛନ୍ତି। ବର୍ଷା ଋତୁରେ ପିଲାମାନେ ଡଙ୍ଗା ପାର ହେଉଥିବା ବେଳେ ଅନ୍ୟ ଦିନେ ନାଳ ଶୁଖିଲା ହୋଇ ଯାଉଥିବାରୁ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ଟିକରପଡ଼ା ପଞ୍ଚାୟତର ଗଇଁନ୍ଦି, ବେହେରାସାହି, ନୂଆଗଇଁନ୍ଦି, ଅଣାଖଣି ଏବଂ ମଝିପଡ଼ା ଗ୍ରାମରୁ ୪୦ରୁ ଊର୍ଦ୍ଧ୍ବ ପିଲା ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି। ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୁନା କଅଁର କହିଛନ୍ତି, ପ୍ରତ୍ୟେକ ବର୍ଷ ପିଲାମାନେ ଡଙ୍ଗାରେ ନାଳ ପାର ହୋଇ ପାଠ ପଢ଼ିବାକୁ ଆସୁଛନ୍ତି। ସେମିତି କିଛି ଅସୁବିଧା ହୋଇ ନାହିଁ। ବିଦ୍ୟାଳୟ ପକ୍ଷରୁ ମଧ୍ୟ ଏ ବିଷୟରେ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କୁ ଅବଗତ କରାଯାଇନଥିବା କହିଛନ୍ତି। ଉକ୍ତ ନାଳ ଉପରେ ଗୋଟିଏ ପୋଲ ନିର୍ମାଣ ପାଇଁ ଆଖପାଖ ଗାଁର ଲୋକେ ବନ ବିଭାଗ ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/09/dgdadgdgvz-2025-07-09-02-56-14.jpg)