ଭରାନଈରେ କାଠ ପୋଲ ଭରସା

୮ ବର୍ଷ ହେଲା ଶିଳାନ୍ୟାସରେ ଅଟକିଛି ସେତୁ

ବ୍ରହ୍ମଗିରି : ଭରା ନଦୀରେ ଲୋକେ କାଠ ପୋଲରେ ପାରି ହେଉଛନ୍ତି। ବର୍ଷା ଦିନେ ନଦୀରେ ବନ୍ୟା ପାଣି ଆସିଲେ କାଠ ପୋଲ ଭାସି ଯାଉଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି। କାଠ ପୋଲରୁ ନଦୀ ଗର୍ଭକୁ ପିଲାମାନେ ଗଳି ପଡୁଛନ୍ତି। ଅନ୍ୟପକ୍ଷରେ ଅଧାଗଢା ସେତୁ କାର୍ଯ୍ୟ ଶେଷ ହେଉ ନାହିଁ। ବ୍ରହ୍ମଗିରି ବ୍ଲକ୍ ତିନିକୁଦିଠାରେ ଭାର୍ଗବୀ ନଦୀ ଉପରେ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଏହି ସେତୁର ଶିଳାନ୍ୟାସ କରିଥିଲେ। ଏହି ବିଜୁ ସେତୁ ଦ୍ବାର ୫ଟି ପଞ୍ଚାୟତର ଲୋକେ ଉପକୃତ ହୋଇ ପାରିବେ। କାମ ଆରମ୍ଭ ହେଲା। କିନ୍ତୁ ବର୍ଷ ବର୍ଷ ଧରି କାମ ଶେଷ ହେଲା ନାହିଁ।

ଏଠାରେ ଲୋକ ନିଜସ୍ବ ଉଦ୍ୟମରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି। ଯାତାୟାତ ବେଳେ ଅନେକ ଦୁର୍ଘଟଣା ଘଟୁଛି। ନଦୀ ଆରପାରିରେ ବିଦ୍ୟାଳୟ ରହିଛି। ହାଇସ୍କୁଲ ପିଲାମାନେ ପ୍ରତିଦିନ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢିବାକୁ ଯାଉଛନ୍ତି। ବର୍ଷା ଦିନେ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡୁଛି। ବନ୍ୟା ପାଣି ଆସିଲେ କାଠ ପୋଲଟି ଭାସି ଯାଉଛି। ତେଣୁ ବର୍ଷା ଋତୁରେ ପିଲାଙ୍କ ପାଠ ପଢାରେ ଡୋରି ବନ୍ଧା ହେଉଛି। ୧୫ କିଲୋମିଟର ବୁଲି ଲୋକେ ଯାତାୟାତ କରୁଛନ୍ତି। ଏହି ସେତୁ ତୁରନ୍ତ ନିର୍ମାଣ ଶେଷ କରିବାକୁ ଅନେକ ଥର ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ପରିଦର୍ଶନ କରି ସାରିଛନ୍ତି। ଅନେକ ଥର ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। କିନ୍ତୁ ସବୁ ଶୂନ। ଆଜି ମଧ୍ୟ ଅଧାଗଢା କେତକ ପିଲାରରେ ଏହା ଅଟକି ରହିଛି।

ଏବେ ଭରା ନଈରେ ସେହି କେତୋଟି କାଠ ଓ ବାଉଁଶରେ ତିଆରି ପୋଲ ଉପରେ ଯିବା ଭରଷା ପାଲଟିଛି। କେବଳ ଚାଲିକରି ଯିବା ପାଇଁ ଲୋକେ ଏହାକୁ ନିର୍ମାଣ କରିଛନ୍ତି। ଏବେ ବନ୍ୟା ପାଣି ଆସୁଛି। ଏହି ପୋଲଟି ପୁଣି ଭାସି ଯିବାର ଆଶଙ୍କା ରହିଛି। ଯାତାୟାତ ପୁଣି ଠପ ହୋଇଯିବ। ତୁରନ୍ତ ଏହି ସେତୁ ନିର୍ମାଣ ପାଇଁ ସ୍ଥାନିୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର