କଟକ: ଏକଦା କାଠଯୋଡ଼ି କଟକବାସୀଙ୍କ ଜୀବନରେଖା ସାଜିଥିଲା। ଲୋକେ ସ୍ନାନ, ଶୁଦ୍ଧି ସମେତ ସମସ୍ତ ଧାର୍ମିକ କାର୍ଯ୍ୟ ପାଇଁ କାଠଯୋଡ଼ି ଉପରେ ନିର୍ଭର କରୁଥିଲେ। କିନ୍ତୁ ପରିସ୍ଥିତି ବଦଳିଯାଇଛି। କାଠଯୋଡ଼ି ପାଣି ଆଉ ପାଣି ‌ହୋଇ ରହି ନାହିଁ, ବିଷାକ୍ତ ହେଲାଣି। ଏଥିପାଇଁ ଆଉ କାଠଯୋଡ଼ି ପାଖ ମାଡୁ ନାହାନ୍ତି ଲୋକେ। କାଠଯୋଡ଼ି ‌ଏବେ ଆବର୍ଜନା ନିଷ୍କାସନର ପଥ ପାଲଟିଛି। ଏହି ନଦୀକୂଳରେ ଗଢ଼ି ଉଠିଥିବା ସାହିବସ୍ତିର ନାଳନର୍ଦ୍ଦମା ସିଧାସଳଖ ଏବେ କାଠଯୋଡ଼ି ନଦୀରେ ମିଶୁଛି। ସମସ୍ତଙ୍କ ଆଖି ସାମ୍‌ନାରେ ପ୍ରତିଦିନ ସହରର ନାଳନର୍ଦ୍ଦମା ପାଣି କାଠଯୋଡ଼ିକୁ ଯାଉଥିବା‌ ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଶାସନ, ଜନସାଧାରଣ ସମସ୍ତେ ଦେଖି ନ ଦେଖିବା ଭଳି ଅଭିନୟ କରୁଛନ୍ତି।

Advertisment

୨୦ବର୍ଷ ତଳେ ସହର ପାର୍ଶ୍ବରେ ଖାନନଗରରୁ ମର୍କତନଗର ଓ ସହର ବିପରୀତ ପାର୍ଶ୍ବରେ କାଜିପାଟଣା, ରାମନଗର ଆଦି ବାସିନ୍ଦା ପ୍ରତି କାର୍ଯ୍ୟ ପାଇଁ କାଠଯୋଡ଼ି ଉପରେ ନିର୍ଭର କରୁଥିଲେ। ବିଗତ କିଛିବର୍ଷ ହେଲା ଖାନନଗର ରେଳଲାଇନ୍ କଡ଼ରେ ରହିଥିବା ସହରର ମୁଖ୍ୟ ଆବର୍ଜନା ନାଳରୁ ନିରନ୍ତର ଆବର୍ଜନା ଖାନ୍‌ନଗର ପାଖରେ କାଠଯୋଡ଼ି ନଦୀକୁ ଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେବଳ ବର୍ଷା ସମୟରେ ବଡ଼ ନାଳର ଗେଟ୍‌ ‌ଖୋଲାଯାଉଛି। ହେଲେ, ‌ଗେଟ୍ ବନ୍ଦ ଥିଲେ ବି ପ୍ରତିଦିନ ଆବର୍ଜନା କାଠଯୋଡ଼ି ନଦୀକୁ ଯାଉଛି। ବଡ଼ନାଳରେ ଲାଗିଥିବା ସ୍ଲୁଇସ୍‌ ଗେଟ୍‌ ପାଖ ନଦୀଜଳକୁ ଦେଖିଲେ ତାହା ସ୍ପଷ୍ଟ ଜଣାପଡ଼ୁଛି। ଖା‌ଲି ବଡ଼ ନାଳ ନୁହେଁ, ସହରର ଅଧିକାଂଶ ବସ୍ତିର ନାଳନର୍ଦ୍ଦମା ସିଧାସଳଖ କାଠଯୋଡ଼ି ସହ ସଂଯୋଗ ହୋଇଛି। ‌ପଞ୍ଚମୁଖୀ ହନୁମାନ ମନ୍ଦିର ଅଞ୍ଚଳରେ ଗଢ଼ିଉଠିଥିବା ଜନବସତିର ଅନେକ ଡ୍ରେନ୍‌ର ପାଣି କାଠଯୋଡ଼ିକୁ ଯାଉଛି। ଇଏ ଆଜିକାଲିର କଥା ନ‌ୁହେଁ, ଦୀର୍ଘ ବର୍ଷ ହେଲା ଏଭଳି ଚାଲିଛି।

ହେଲେ, ସ୍ଥାନୀୟ ଲୋକଙ୍କ ସମେତ ସିଏମ୍‌ସି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ବିଷୟରେ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହି ପ୍ରସଙ୍ଗରେ କାଠଯୋଡ଼ି ବଞ୍ଚାଅ କମିଟି ପକ୍ଷରୁ ବହୁବାର ପ୍ରତିବାଦ ହୋଇଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। କାଠଯୋଡ଼ି ବଞ୍ଚାଅ କମିଟି ସଂପାଦକ ପ୍ରଫୁଲ କୁମାର ସାହୁ କହିଛନ୍ତି ଯେ, କ‌ାଠଯୋଡ଼ି ନଦୀ ଜଳ ପ୍ରଦୂଷଣକୁ ନେଇ ଆମେ ହାଇକୋର୍ଟରେ ମାମଲା ଦାୟର କରୁଥିଲୁ। ଏବିଷୟରେ ହାଇକୋର୍ଟଙ୍କ ଆଦେଶ ଥିଲା ଯେ, ସହରର ଆବର୍ଜନାକୁ ବିଶୋଧନ କରି ନଦୀକୁ ଛଡାଯିବ। ଖାଲି କଟକ ନୁହେଁ, ସାରା ଓଡ଼ିଶା ପାଇଁ ଏହି ଆଦେଶ କାଏମ୍‌ କରିବାକୁ ହାଇକୋର୍ଟ ଆଦେଶରେ ଉଲ୍ଲେଖ କରିଥିଲେ। କିନ୍ତୁ ଏହାକୁ ଅବମାନନା କରି ଆବର୍ଜନା ପାଣିକୁ ସିଧା ନଦୀକୁ ଛଡାଯାଉଛି ବୋଲି କହିଛନ୍ତି ସଂପାଦକ ଶ୍ରୀ ସାହୁ।