ରଥ ନିର୍ମାଣ ଲାଗି ପୁରୀରେ ପହଁଚିଲା ରଥ କାଠ, ପଞ୍ଚମୀରେ ହେବ ଅନୁକୂଳ

ପୁରୀ:‌ ଚଳିତ ବର୍ଷ ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ପ୍ରଥମ ପର୍ଯ୍ୟାୟର ରଥ କାଠ ପହଂଚିଛି। ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ଜଂଗଲରୁ ଏହି କାଠ ଏକ ‌ଟ୍ରକରେ ବୋଝେଇ ହୋଇ ବଡ଼ଦାଣ୍ଡରେ ପହଂଚିଛି। ପ୍ରଥମ ପର୍ଯ୍ୟାୟରେ ୪୯ ଖଣ୍ଡ ଧଉରା ଓ ଅସନ କାଠ ଆସିଛି। ମହାପ୍ରଭୁଙ୍କ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଦରକାର ହୋଇଥାଏ। ଗଲାବର୍ଷର ୬୯ କାଠ ବଳକା ଥିବାରୁ ଚଳିତ ବର୍ଷ ଆହୁରି ୭୯୬ ଖଣ୍ଡ କାଠର ଆବଶ୍ୟକତା ଅଛି।

ସୂଚନାଯୋଗ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ହେବ। ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଏହି ଅନୁକୂଳ କାର୍ଯ୍ୟ ଆୟୋଜନ ହେବ। ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ପରମ୍ପରା ରାଜନଅର ପକ୍ଷ ଓ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିବେ। ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯିବ। ଶ୍ରୋତ୍ରିୟ ବ୍ରାହ୍ମଣମାନେ ବାଗ୍‌ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରି ଚଳିତ ବର୍ଷର ରଥଯାତ୍ରା ଯେପରି ନିର୍ବିଘ୍ନରେ ଶେଷ ହେବ, ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର