ଲେଫ୍ରିପଡା : ଲେଫ୍ରିପଡ଼ା ବନାଞ୍ଚଳ ଅନ୍ତର୍ଗତ ଗୁଣ୍ଡିଚାବିହି ସେକ୍ସନର ହଲମା ବିଟ୍ ସଂରକ୍ଷିତ ଜଙ୍ଗଲରୁ କେତେକ ରାଜ୍ୟ ବାହାରର କାଠଚୋର ମୂଲ୍ୟବାନ ଶାଳକାଠ ଚୋରାଚାଲାଣ ଉଦ୍ୟମ କରୁଥିବା ବେଳେ ବନବିଭାଗ ଦ୍ବାରା ଧରାପଡ଼ି ଜେଲ୍ ଯାଇଥିବା ଜଣାପଡ଼ିଛି।

Advertisment

ଝାଡ଼ଖଣ୍ଡର ଜାମତରା ଜିଲ୍ଲା ନାରାୟଣପୁର ଥାନା ଅଞ୍ଚଳର ୩ ଜଣ କାଠଚୋର ବାସହରା ଅନସାରୀ (୩୦), ସୁଦାମ ଅନସାରୀ (୩୨) ଏବଂ ଅବଦୁଲ ଅନସାରୀ ସ୍ଥାନୀୟ ଉପାନ୍ତ ଜଙ୍ଗଲରୁ ମୂଲ୍ୟବାନ ଶାଳ, ଶାଗୁଆନ ଆଦି ଗଛ କାଟି ପଟା, ଚୌକାଠ ଆଦି ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରିଆସୁଥିଲେ। ସେମାନେ କିଛି ଦିନ ଧରି ସ୍ଥାନୀୟ ଗୁଣ୍ଡିଆଡିହି  ସଂରକ୍ଷିତ ଜଙ୍ଗଲରେ ଥିବା ମୂଲ୍ୟବାନ ଶାଳଗଛ କାଟି ଚୌକାଠ ଓ ସାଇଜ୍‌ କାଠ ପ୍ରସ୍ତୁତ କରୁଥିବା ବେଳେ ସ୍ଥାନୀୟ ବନବିଭାଗକୁ ସୂଚନା ମିଳିଥିଲା। ଲେଫ୍ରିପଡ଼ା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ବୁଧବାର ବନପାଳ ସବ୍ୟସାଚୀ କାଲୋ, ଅଶ୍ବିନୀ ପଟେଲ, ମିତ୍ରଭାନୁ ପଟେଲ ଚଢ଼ାଉ କରି ସେମାନଙ୍କୁ ଗିରଫ କରିବା ସହିତ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୩୮ ଖଣ୍ଡ ଶାଳଗଣ୍ଡି ଏବଂ ୭୦ ଖଣ୍ଡ ଚୌକାଠ ସାଇଜ କାଠ ମୋଟ ୨୬୬ ଘନଫୁଟ୍‌ କାଠ ଜବତ କରିଛନ୍ତି। ଅଭିଯୁକ୍ତ ତିନି କାଠଚୋରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ସେପ୍ଟେମ୍ବର ମାସରେ ଏହି ସେକ୍ସନର ଆଠକୋଶିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ କରାଯାଇଥିଲା।