ପୁଲିସ କର୍ମଚାରୀଙ୍କ ଘରୁ କାଠ ଜବତ

କେନ୍ଦୁଝର : ଜଣେ ପୁଲିସ କର୍ମଚାରୀଙ୍କ ଘରୁ ବହୁ ପରିମାଣର କାଠ ଜବତ କରାଯାଇଛି। ବନ ବିଭାଗର ଏକ ସ୍କ୍ବାଡ୍‌ ଚଢ଼ଉ କରି ଏହି କାଠ ଜବତ କରିଛି।
ନୟାକୋଟ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଚକ୍ରଧର ଡାଙ୍ଗୁଆଙ୍କ ବାସଭବନରେ ଚୋରା କାଠ ଥିବା ନେଇ ବନ ବିଭାଗ ଖବର ପାଇଥିଲା। ଗତ ୩୦ ତାରିଖ ଅପରାହ୍‌ଣରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଶ୍ରୀ ଡାଙ୍ଗୁଆଙ୍କ ଘରେ ଚଢ଼ଉ କରିଥିଲା। ଏଠାରୁ ୬୦ ଖଣ୍ଡ ପିଆଶାଳ କାଠ ଜବତ କରାଯାଇଥିଲା। ବନ ବିଭାଗର ଚଢ଼ଉ ସମୟରେ ହୋମଗାର୍ଡ ଜଣକ ଜିଏସ୍‌ଟି ବିଲ୍‌ ଓ ଟ୍ରାନ୍‌ଜିଟ୍‌ ପରମିଟ କାଗଜପତ୍ର ଦେଖାଇ ପାରିନଥିଲେ। ଏଥି ପାଇଁ ୩ ଦିନ ସମୟ ଦେବାକୁ କହିଛନ୍ତି । ଏହି କାଠକୁ ଶୁଆକାଟି ଫରେଷ୍ଟରଙ୍କ ଜିମାରେ ରଖାଯାଇଛି।

ସାଧାରଣତଃ ଯେଉଁ ପୁଲିସ କର୍ମଚାରୀ ଜଣକ ଏତେ ପରିମାଣ କାଠ ଡିପୋରୁ କିଣିଛନ୍ତି, ଏହାର ବିଲ୍‌ ନିଜ ପାଖରେ ରହିବା କଥା। କାଠ ଯେତେବେଳେ ପରିବହନ ହୋଇ ଆସିଥିବ, ସେତେବେଳେ ଚାଲାଣ ସହିତ ବିଲ୍‌ ନିଶ୍ଚିତ ଆସିବା କଥା। ଏହି ହୋମଗାର୍ଡଙ୍କ ଘରେ ଜଣେ ପୁଲିସ ଅଧିକାରୀ କାଠ ମହଜୁଦ କରିଥିଲେ ବୋଲି ଚର୍ଚ୍ଚା ହେଉଛି।

କେନ୍ଦୁଝର ବନଖଣ୍ଡର ଏହି ନୟାକୋଟ ଅଞ୍ଚଳ କାଠ ମାଫିଆଙ୍କ ପାଇଁ ଭୂସ୍ବର୍ଗ। ପୂର୍ବରୁ ଏହି ଅଞ୍ଚଳର ଚୋରା କାଠ ବେପାରୀଙ୍କୁ ପୁଳିସ ସହଯୋଗ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଯେଉଁଥି ପାଇଁ କେନ୍ଦୁଝର ସୀମା ବଣେଇ ଅଞ୍ଚଳରେ ମୂଲ୍ୟବାନ ଜଙ୍ଗଲ ଦିନକୁ ଦିନ ପଦା ହେବାରେ ଲାଗିଛି।

ଏ ସଂପର୍କରେ ଡିଏଫଓ ଏଚଡି ଧନରାଜଙ୍କୁ ପଚାରିବାରୁ ଚଢ଼ଉ ବେଳେ ୬୦ ଖଣ୍ଡ କାଠ ଜବତ ହୋଇଛି। ଏ ସଂପର୍କିତ କାଗଜପତ୍ର ଉକ୍ତ ପୁଲିସ କର୍ମଚାରୀ ଦେଖାଇ ପାରି ନ ଥିଲେ। ତିନି ଦିନ ମଧ୍ୟରେ କାଗଜପତ୍ର ଦାଖଲ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଏହାପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର