ବିଧାନସଭାରେ କଥା କଟାକଟି

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ବୁଧବାର ଦିନ ବିଭିନ୍ନ ପ୍ରସଙ୍ଗରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏକ ସ୍ବାଧିକାର ଭଙ୍ଗ ନୋଟିସ୍‌ ପ୍ରସଙ୍ଗରେ ବାଚସ୍ପତିଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତାଙ୍କ କଥା କଟାକଟି ହୋଇଥିଲା। ପୁଣି ଲିଖିତ ବକ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ବି ହୋଇଥିଲା। ସେହିପରି କହିବାକୁ ସୁଯୋଗ ଦେବାକୁ ନେଇ ଶାସକ ଓ ବିରୋଧୀ ବି ମୁହାମୁହିଁ ହୋଇଥିଲେ। ଫଳରେ ବିଧାନସଭାର ଶୂନ୍ୟକାଳ ଆଜି ସରଗରମ ହୋଇଥିଲା।

The New Indian Express

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ସ୍ବାଧିକାର ଭଙ୍ଗ ନୋଟିସ୍ ଗୃହରେ ଉପସ୍ଥାପନ କରିବାକୁ ଚାହିଥିଲେ। କିନ୍ତୁ ବାଚସ୍ପତି କହିଥିଲେ, ଆପଣ ଆଜି ନୋଟିସ୍ ଦେଇଇଛନ୍ତି। ମୁଁ ତାହାକୁ ଅନୁଧ୍ୟାନ କଲା ପରେ ଆପଣଙ୍କୁ କହିବା ପାଇଁ ସୁଯୋଗ ଦେବି। ଶ୍ରୀ ମିଶ୍ର ଏହାକୁ ଗ୍ରହଣ କରି ନଥିଲେ। ସେ କହିଥିଲେ, ମୁଁ ନୋଟିସ୍‌କୁ ଗୃହରେ ଉପସ୍ଥାପନ କରିବି। ଆପଣ ତାହାକୁ ଗ୍ରହଣ କରିବେ କି ନକରିବେ, ତାହା ଆପଣ ପରେ ନିଷ୍ପତ୍ତି ନେବେ। କିନ୍ତୁ ଉପସ୍ଥାପନ କରିବା ପାଇଁ ଅନୁମତି ଦେବାରେ ଅସୁବିଧା କେଉଁଠି? ବାଚସ୍ପତି କହିଥିଲେ, ମୁଁ ଅନୁଧ୍ୟାନ କରି ନିଶ୍ଚିତ ଭାବେ ସୁଯୋଗ ଦେବି। ଶ୍ରୀ ମିଶ୍ର ପାଲଟା ଯୁକ୍ତି କରିଥିଲେ, ଗୃହର ନିୟମ ଅନୁଯାୟୀ ଗୃହ ଭିତରେ କେହି ତାଙ୍କ ବକ୍ତବ୍ୟ ପଢ଼ିକି ଦେଇପାରିବେ ନାହିଁ। ତଥାପି ବାଚସ୍ପତି ଅନୁମତି ଦେଇପାରୁଛନ୍ତି। କିନ୍ତୁ ସ୍ବାଧିକାର ଭଙ୍ଗ ନୋଟିସ୍ ପାଇଁ କାହିଁକି ଅନୁମତି ଦେଉନାହାନ୍ତି? ମୁଁ ଏଇ ଅଧିବେଶନରେ ମଧ୍ୟ ପୂର୍ବରୁ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛି ଓ ଆପଣ ସେହିଦିନ ଉପସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏଥର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କିତ ନୋଟିସ୍ ହୋଇଥିବାରୁ ଆପଣ ଭିନ୍ନ ଆଭିମୁଖ୍ୟ ନେଉଛନ୍ତି। ଏହା ଆଦୌ ଠିକ୍ ନୁହେଁ। ତେବେ ବାଚସ୍ପତି କହିଥିଲେ, ନିଶ୍ଚିତ ଭାବେ ସୁଯୋଗ ଦେବି। କିନ୍ତୁ ଅନୁଧ୍ୟାନ କରିବାକୁ କିଛି ସମୟ ନେଉଛି। ଏହା ପରେ ଶ୍ରୀ ମିଶ୍ର ବସିପଡ଼ିଥିଲେ।

ସ୍ବାଧିକାର ଭଙ୍ଗ ନୋଟିସ୍ ପ୍ରସଙ୍ଗରେ ନରସିଂହ-ବାଚସ୍ପତି
ଲିଖିତ ବକ୍ତବ୍ୟକୁ ନେଇ ଜୟନାରାୟଣ-ନିରଞ୍ଜନ-ନରସିଂହ
କହିବାକୁ ସୁଯୋଗ ଦେବା ପ୍ରସଙ୍ଗରେ ବି ଯୁକ୍ତିତର୍କ

ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, ବିଧି ପରମ୍ପରା ଅନୁଯାୟୀ ଆପଣ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ୍ ଉପସ୍ଥାପନ କରିବାକୁ ସୁଯୋଗ ଦେବା କଥା। ଆପଣ ଗ୍ରହଣ କରିବେ କି ନାହିଁ ତାହା ଭିନ୍ନ କଥା। କିନ୍ତୁ ଉପସ୍ଥାପନ କଲେ କି ଅସୁବିଧା ମୁଁ ବୁଝିପାରୁନି। ଆପଣ ତାହାକୁ ପରେ ବିଚାର କରିବେ। ବାଚସ୍ପତି କହିଥିଲେ, ମୁଁ ଅନୁଧ୍ୟାନ କରି ତାଙ୍କୁ ସୁଯୋଗ ଦେବି ବୋଲି କହିସାରିଛି।

ଲିଖିତ ବକ୍ତବ୍ୟ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଥିଲେ, ଗୃହର ବିଧିବ୍ୟବସ୍ଥାର ଉଲ୍ଲଂଘନ କରାଯାଉଛି। ଲିଖିତ ଭାଷଣ ପଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଆବେଦନ କରିଥିଲେ କି? ଯଦି ଆବେଦନ କରିଥିଲେ, ଗୃହରେ ତାହାକୁ ଉପସ୍ଥାପନ କରାଯାଉ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲା ବେଳେ ଏହି ପ୍ରସଙ୍ଗରେ ଜବାବ ଦେଇ କହିଥିଲେ, ଗୃହରେ ବାରମ୍ବାର ବିରୋଧୀ ଦଳ ଏହି କଥା ଉଠାଉଛନ୍ତି। ଗୃହ ପରିଚାଳନା କରିବା ବେଳେ ଯଦି କୌଣସି ପ୍ରସଙ୍ଗରେ ଆମ ନିୟମରେ କିଛି ବ୍ୟବସ୍ଥା ନାହିଁ, ତେବେ ଆମେ ଲୋକସଭାର ପରିଚାଳନା ପଦ୍ଧତି ଅନୁକରଣ କରୁ। ଏଥିରେ ସ୍ପଷ୍ଟ ଅଛି ଯେ ଅନ୍ୟ ସଭ୍ୟଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଲା ବେଳେ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କାଗଜ ପଢ଼ିପାରିବେ। ଏଥିରେ କିଛି ଅସଙ୍ଗତି ନାହିଁ। ମୁଁ ତ ପୁଣି ୨ ଘଣ୍ଟା ବଜେଟ୍ ପଢ଼ିଲି। ସେତେବେଳେ ତ କିଏ ଅଭିଯୋଗ କଲେନି? ମୁଁ କ’ଣ ବିନା କାଗଜରେ ୨ ଘଣ୍ଟା ବଜେଟ୍ ପଢ଼ିପାରିଥା’ନ୍ତି କି? ଶ୍ରୀ ପୂଜାରୀଙ୍କୁ ପ୍ରତିବାଦ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗୋଟିଏ କାଗଜକୁ ରେଫର୍ କରିବା କିମ୍ବା ବଜେଟ୍ ପଢ଼ିବା ମାନେ ନୁହେଁ ଲିଖିତ ବକ୍ତବ୍ୟ ପଢ଼ିବା। ଏଥିପାଇଁ ଗୃହରେ ପୂର୍ବରୁ ନିଷ୍ପତ୍ତି ହୋଇଥିବାର ଲିଖିତ କାଗଜ ଅଛି। ବାଚସ୍ପତି ଏହାକୁ ଅନୁଧ୍ୟାନ କରିବାକୁ ସେ କହିଥିଲେ।

ଗୃହରେ ଶୂନ୍ୟକାଳରେ କହିବା ପାଇଁ ସୁଯୋଗ ଦିଆଯିବା ପ୍ରସଙ୍ଗରେ ବି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇ ସ୍ବାଧିକାର ଭଙ୍ଗ ନୋଟିସ୍ ଉପସ୍ଥାପନ କରିବାକୁ ଚାହିଥିଲେ। କିନ୍ତୁ ବାଚସ୍ପତି ସୁଯୋଗ ନ ଦେବାରୁ ସେ ବସିପଡ଼ିଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିବା ପାଇଁ ଠିଆ ହୋଇଥିଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଲା ମାତ୍ରେ ବିଜେପି ସଭ୍ୟମାନେ ଖପା ହୋଇଥିଲେ। ବିରୋଧୀ ଦଳ ନେତାଙ୍କୁ ଆଗେ ସୁଯୋଗ ନଦେଇ କାହିଁକି ମନ୍ତ୍ରୀଙ୍କୁ ଦିଆଗଲା ବୋଲି ପ୍ରତିବାଦ କରିଥିଲେ। ଏହା ପରେ ବାଚସ୍ପତି ମନ୍ତ୍ରୀଙ୍କୁ ବସିବା ପାଇଁ କହି ବିରୋଧୀ ଦଳ ନେତାଙ୍କୁ ଡାକିଲେ। ବିରୋଧୀ ଦଳ ନେତା କହିସାରିଲା ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ହାତ ଟେକିବାରୁ ବାଚସ୍ପତି ସୁଯୋଗ ଦେଲେ। କଂଗ୍ରେସ ସଭ୍ୟମାନେ ଏହାର ପ୍ରତିବାଦ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଆଗେ ସୁଯୋଗ ଦେବାକୁ ଦାବି କରିଥିଲେ। ବାଚସ୍ପତି ପୁନର୍ବାର ମନ୍ତ୍ରୀଙ୍କୁ ବସିବାକୁ କହି ନରସିଂହ ମିଶ୍ରଙ୍କୁ କହିବାକୁ ଡାକିଲେ। ଶ୍ରୀ ମିଶ୍ର କହିଥିଲେ, ‘ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ବିରୋଧୀ ଦଳ ନେତା ଓ ତା’ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ସୁଯୋଗ ଦିଆଯିବା କଥା। ଏ ପରମ୍ପରା ଭାଙ୍ଗିବା ଉଚିତ ନୁହେଁ।’ ପରେ ଶାସକ ଦଳ ବରିଷ୍ଠ ସଭ୍ୟ ଅରୁଣ ସାହୁ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଶୂନ୍ୟକାଳରେ ବିରୋଧୀ ଦଳ ଅଧିକ ସୁଯୋଗ ପାଆନ୍ତୁ ମନା ନାହିଁ। କିନ୍ତୁ ଆମକୁ ଆଦୌ ନ ଦେଲେ କେମିତି ହେବ?

ସମ୍ବନ୍ଧିତ ଖବର