ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ
ପ୍ରଣବଙ୍କୁ ସମାଲୋଚନା କଲେ ଲଳିତେନ୍ଦୁ
ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତ ପଦାରେ ପଡ଼ିଛି : ବିଜେପି ଓବିସି ମୋର୍ଚ୍ଚା

Advertisment

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟିଲା ପରେ ଏହାକୁ ନେଇ ରାଜନୈତିକ ବୟାନଯୁଦ୍ଧ ଆରମ୍ଭ ହୋଇଛି। ଗତକାଲି ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ଆାରୋପ ଲଗାଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟାକୁ ଶୁକ୍ରବାର ଦିନ ସମାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ତାଙ୍କୁ ମଧ୍ୟ ପାଲ୍‌ଟା ଜବାବ ଦେଇଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।

ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାସ ଟ୍ବିଟ୍‌ କରି କହିଛନ୍ତି ଯେ ଭାଇ, ଆପଣ ଜଣେ କେନ୍ଦ୍ରମନ୍ତ୍ରୀ। ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି ସଂରକ୍ଷଣ ନିଶ୍ଚିତ କରିବାକୁ ଆପଣ ବିଫଳ ହେଲେ? ବର୍ତ୍ତମାନ ସୁପ୍ରିମକୋର୍ଟ ମତଦାନ ପାଇଁ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣ ନୀତିକୁ ଅଗ୍ରାହ୍ୟ କରିଛନ୍ତି।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଆପଣଙ୍କ ଦଳ ଗତ ସାଢ଼େ ସାତ ବର୍ଷ ହେବ କେନ୍ଦ୍ରରେ କ୍ଷମତାରେ ଅଛି। ଓବିସି ସଂରକ୍ଷଣ କେବେବି ପ୍ରାଥମିକତା ପାଇଛି କି ? ଭାରତରେ ଓବିସି ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଆପଣ କାହିଁକି କେନ୍ଦ୍ରୀୟ ଆଇନ ଆଣି ଏଥି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରୁନାହାନ୍ତି? ଓବିସିଙ୍କ ପାଇଁ ଆପଣଙ୍କର ପ୍ରତିବଦ୍ଧତା କେଉଁଠାରେ ଅଛି? ଓବିସିଙ୍କ ପ୍ରତି ଆପଣ ଓ ଅପଣଙ୍କ ସରକାରଙ୍କର (କେନ୍ଦ୍ର ଓ ମଧ୍ୟପ୍ରଦେଶ) ପ୍ରତିବଦ୍ଧତାର ଆତ୍ମସମୀକ୍ଷା କରନ୍ତୁ। ମୋର ଅନୁରୋଧ ଦୟାକରି ରାଜନୀତି କରିବା ବନ୍ଦ କରନ୍ତୁ। ଦେଶ ଜାଣିଛି ମଧ୍ୟପ୍ରଦେଶରେ ସରକାର କେମିତି ଗଠନ ହୋଇଛି; ଆମେ ଓଡ଼ିଶାରେ ଜନମତ ପାଇଛୁ। ଆପଣ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ଭୟଭୀତ ଅଛନ୍ତି। କିନ୍ତୁ ଆମେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଚାହୁଁଛୁ। ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ। ଆମେ ୫୦% ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ। ବିଜେଡିରେ ସଂରକ୍ଷିତ ଟିକଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ। ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଶ୍ରୀ ଦାସ ଆହ୍ବାନ କରିଛନ୍ତି। ସଂରକ୍ଷଣକୁ ନେଇ ରାଜନୀତି ନକରି ଓବିସିଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣ ନୀତିକୁ ନିଶ୍ଚିତ କରିବା ପାଇଁ ଏକାଠି ଉଦ୍ୟମ କରିବାକୁ ସେ କହିଛନ୍ତି।

ଶ୍ରୀ ଦାସଙ୍କୁ ଜବାବ ଦେଇ ବିଜେପି ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି ଯେ ଆପଣ ଭଲ ଭାବେ ଓବିସି ନିୟମକାନୁନ ପଢ଼ିନାହାନ୍ତି। ଧର୍ମେନ୍ଦ୍ର ଭାଇ ଜଣେ ଓବିସି ନେତା ଭାବେ ସାରା ଦେଶରେ ପରିଚିତ। ତାଙ୍କ ଉପରେ ଟିପ୍ପଣୀ ଦେବା ପୂର୍ବରୁ ଆପଣ ଥରେ ଭାବିବା ଉଚିତ। ଓବିସିଙ୍କ ହିତ ପାଇଁ ସଂରକ୍ଷଣରେ ମଧ୍ୟପ୍ରଦେଶ ସରକାର ଯେଭଳି ପଦକ୍ଷେପ ନେଇଛନ୍ତି, ଆପଣଙ୍କ ଦଳ କିମ୍ବା ଆପଣଙ୍କ ମୁଖ୍ୟମନ୍ତ୍ରୀ ୨୧ ବର୍ଷ ଧରି ସେଭଳି ଭାବି ନାହାନ୍ତି। କେନ୍ଦ୍ର ସରକାର ମଧ୍ୟ ଓବିସିଙ୍କ କ୍ଷେତ୍ରରେ ଯାହା କରୁଛନ୍ତି ତାହାକୁ ଭଲ ଭାବେ ଆପଣ ବିଶ୍ଳେଷଣ କରନ୍ତୁ। ନିକଟ ଅତୀତରେ ମେଡିକାଲ ଶିକ୍ଷାନୁଷ୍ଠାନ ସହ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଓଡ଼ିଶା ଜନସଂଖ୍ୟାର ପ୍ରାୟ ୫୪ ପ୍ରତିଶତ ଓବିସି ବର୍ଗ ଥିଲା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ଓବିସି ବର୍ଗର ୩୫ ପ୍ରତିଶତରୁ ଅଧିକ ଲୋକଙ୍କୁ ପ୍ରାର୍ଥୀ କରି ଉଦାହରଣ ସୃଷ୍ଟି କରିଛି। ମିଛ ଡିଣ୍ଡିମ ନ ପିଟି ଓବିସି ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ, ଯୁବବର୍ଗଙ୍କୁ ଚାକିରିରେ ଓ ରାଜନେତାଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ଆଇନଗତ ଲଢ଼େଇ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ମହାପାତ୍ର। ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦେବା ପାଇଁ ସୁପ୍ରିମକୋର୍ଟରେ ଲଢ଼େଇ କରିବାକୁ ସେ କହିଛନ୍ତି।

ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତ ଆଜି ପଦାରେ ପଡ଼ିଛି। ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଶାସକ ଦଳ ତଫରୁ ବାରମ୍ବାର ଭ୍ରମାତ୍ମକ ବୟାନବାଜୀ କରାଯାଉଛି। ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଇ ନିଜ ଦଳରେ ସଂରକ୍ଷଣ ଦେବୁ ବୋଲି କହି ଶାସକ ବିଜେଡି କଟା ଘା’ରେ ଚୂନ ମାରୁଛି। ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସେ ପ୍ରଶ୍ନ କରିଛନ୍ତି ଯେ ବହୁ ପୂର୍ବରୁ ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ପାଇଁ ‘ଟ୍ରିପଲ୍‌ ଟେଷ୍ଟ’ ସମ୍ପର୍କରେ ଉଲ୍ଲେଖ କରିଥିଲା ବେଳେ ରାଜ୍ୟ ସରକାର ଟେଷ୍ଟରେ ଫେଲ୍‌ ହେଲେ କାହିଁକି ? ବିଳମ୍ବରେ ଗଠିତ ଓବିସି କମିସନ୍‌ଙ୍କୁ ଉପଯୁକ୍ତ କ୍ଷମତା ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ କାହିଁକି ? ଗତ ଦୁଇ ବର୍ଷ ମଧ୍ୟରେ ଓବିସି କମିସନ୍ କି କି କାର୍ଯ୍ୟ କରିଛନ୍ତି?

ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ରିଭ୍ୟୁ ପିଟିସନ୍ ଦାଖଲ ନ କରି ନିଜ ଦଳରେ ସଂରକ୍ଷଣ ଦେବୁ ବୋଲି କହି ବିଜେଡି ପଛୁଆ ବର୍ଗଙ୍କୁ ଭୂଆଁ ବୁଲାଉଛି କାହିଁକି ? ଯଦି ରାଜ୍ୟ ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କ ସଂଖ୍ୟାର ତଥ୍ୟ ନାହିଁ, ତେବେ କେଉଁ ଆଧାରରେ ଜାତି ପ୍ରମାଣପତ୍ର ଓ ନିଯୁକ୍ତି ପ୍ରକ୍ରିୟା ଚାଲିଆସୁଛି?