ସମ୍ବଲପୁର : ମାଁ ସମଲେଶ୍ବରୀ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ‘ସମଲେଇ’ ଯୋଜନା ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମତ୍ସ୍ୟ ବିଭାଗର କର୍ମଚାରୀମାନଙ୍କ କ୍ବାଟର୍ସ ଭଂଗାରୁ ଆରମ୍ଭ ହୋଇଛି। ଆଜି ୪ଟି ଘର ଭଂଗାଯାଇଛି। ତହସିଲଦାର ଲକ୍ଷ୍ମଣ ଅମାତ, ଆସିଷ୍ଟାଣ୍ଟ କଲେକ୍ଟର ପ୍ରଶାନ୍ତ ସାହୁ, ଆଦିତ୍ୟ ପଣ୍ଡା, ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଜେସିବି ମେସିନ ସହାୟତାରେ ଘର ଭଂଗାଯାଇଥିଲା।
ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ପୂର୍ବରୁ ଗତକାଲି ଜିଲ୍ଲା ପ୍ରଶାସନର ଏକ ଅଫିସର ଦଳ ଗତକାଲି ଏହି ସମଗ୍ର ଅଂଚଳ ନିରୀକ୍ଷଣ କରିଥିଲେ। ଆଗାମୀ ଦିନରେ ସମ୍ବଲପୁର ମହାନଗର ନିଗମର କେତେକ କ୍ବାଟର୍ସ ସହିତ ଅନ୍ୟ ବିଭାଗର ଘର ମଧ୍ୟ ଭଂଗାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଐତିହ୍ୟ କରିଡର୍ ୩୯ ଏକର ଜାଗାରେ ବିକଶିତ କରାଯିବ। ଏହାଦ୍ବାରା ପ୍ରାୟ ୨୦୦ ପରିବାର ପ୍ରଭାବିତ ହେବେ। ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପରେ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଭକ୍ତ ନିବାସ ନିର୍ମାଣ, ମହାନଦୀ ସହ ସଂଯୋଗ ପାଇଁ ସୁନ୍ଦର ପାଦଚଲା ଓଭର୍ବ୍ରିଜ୍ ନିର୍ମାଣ, ମହାନଦୀରେ ଆଳତି ପାଇଁ ପ୍ଲାଟ୍ଫର୍ମ, ନଦୀ ସମ୍ମୁଖର ବିକାଶ ଓ ଶ୍ମଶାନର ବିକାଶ ଆଦି ଯୋଜନା ରହିଛି।
ପ୍ରଥମ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଶହେ କୋଟି ଟଙ୍କା ଘୋଷଣା କରିଥିବ ବେଳେ ଏବେ ଏହି ପ୍ରକଳ୍ପରେ ପ୍ରାୟ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବା ଯୋଜନା ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍(ଓବିସିସି) ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ବାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/ae3d33e2-ba3c-46bf-a2c1-b627a55fbb2c.jpg)