ଶ୍ରୀମନ୍ଦିର କଳାହାଟ ଦ୍ବାର କାମ ଆରମ୍ଭ: ଜିଲ୍ଲା ଟ୍ରେଜେରିରୁ ଆସିଲା ୫ କ୍ବିଣ୍ଟାଲ୍‌ ରୁପା

ପୁରୀ : ଶ୍ରୀମନ୍ଦିର ପ୍ରମୁଖ ଦ୍ବାର କୁହାଯାଉଥିବା କଳାହାଟ ଦ୍ବାରର ରୁପା ଛାଉଣୀ କାମ ଶନିବାରଠାରୁ କାମ ଆରମ୍ଭ ହୋଇଛି। ଏହି ଦ୍ବାରରେ ଲାଗିବାକୁ ଥିବା ପ୍ରାୟ ୫ କ୍ବିଣ୍ଟାଲ୍‌ ରୁପା ଆଜି ଜିଲ୍ଲା ଟ୍ରେଜେରିରୁ ଶ୍ରୀମନ୍ଦିର ପ୍ରଶାସନର ନୀଳାଦ୍ରି ଭକ୍ତ ନିବାସକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ଟ୍ରେଜେରି‌ରେ ରହିବାର ୯ ମାସ ପରେ ଆଜି କଡ଼ା ସୁରକ୍ଷା ବଳୟରେ ଏହା ସ୍ଥାନାନ୍ତର ହୋଇଛି। ଯେଉଁଥିରେ ରୁପାର ପ୍ଲେଟ୍‌, ଡିଜାଇନ୍‌ ସରିଥିବା ରୁପାର ବ୍ଲକ ସବୁ ରହିଛି। ୫ଟି ଛୋଟ ଓ ୬ଟି ବଡ଼ ବାକ୍ସ, ଏପରି ୧୧ଟି ବାକ୍ସରେ ସୁରକ୍ଷିତ ରଖାଯାଇଥିବା ଏହି ରୁପା ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରେ ରହିଛି। କଳାହାଟ ଦ୍ବାରରେ ରୁପା ଛାଉଣୀ କାମ ଶେଷ ପରେ ରଥଯାତ୍ରା ସମୟରେ ପୁରୁଣା ଦ୍ବାର ଖୋଲି ରୁପା ଆଛାଦିତ ନୂଆ କଳହାଟ ଦ୍ବାର ଲାଗିବାକୁ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ପରିଚାଳନା କମିଟି ଓ ପ୍ରତ୍ନତତ୍ତ୍ବ ବିଭାଗ ଅନୁମତିକ୍ରମେ ଶ୍ରୀମନ୍ଦିରର ୮ଟି ଦ୍ବାର ରୁପା ଛାଉଣୀ କରିବାକୁ ନିଷ୍ପତ୍ତି ନେଇଥିଲା ମନ୍ଦିର ପ୍ରଶାସନ। ରୁପା ଛାଉଣୀ ହେବାକୁ ଥିବା ଦ୍ବାର ବି ନୂଆ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ରିଲାଏନ୍ସ ଜୁଏଲାରି ଏ ବାବଦକୁ ପ୍ରାୟ ୨୩୫୦ କେଜି ରୁପା ଓ ଆବଶ୍ୟକ କାଠ ଯୋଗାଇ ଦେଇଥିଲା। ସ୍ବତନ୍ତ୍ର ବର୍ମାଟିକ୍‌ରେ ତିଆରି ହୋଇଥିଲା ୮ଟି ଦ୍ବାର। ଆଠ ଦ୍ବାରର ଦାନ ରୁପା ସୁରକ୍ଷିତ ରଖିବା ପାଇଁ ନୀଳାଦ୍ରି ଭକ୍ତ ନିବାସରେ ସ୍ବତନ୍ତ୍ର ଷ୍ଟ୍ରଙ୍ଗ ରୁମ ତିଆରି ହୋଇଥିଲା। ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଇତିମଧ୍ୟରେ ୭ଟି ଦ୍ବାର ଯଥା, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହଚ ଦ୍ବାର, ବେହରଣ ଦ୍ବାର, ପ୍ରଭୁ ଆଦିନୃସିଂହ, ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ପ୍ରବେଶ ଦ୍ବାର ନୂଆ ବର୍ମା କାଠରେ ନିର୍ମାଣ ପରେ ରୁପା ଆଚ୍ଛାଦିତ ହୋଇ ଲାଗି ସାରିଛି। ସମୟ ଅଭାବରୁ କେବଳ କଳାହାଟ ଦ୍ବାର କାମ ବାକି ରହିଥିଲା। କଳାହାଟ ଦ୍ବାର ପାଇଁ ନୂଆ ଦ୍ବାର, ରୁପା ତିଆରି କାମ ଶେଷ ହୋଇଥିବା ବେଳେ କେବଳ ଲାଗିବା ବାକି ରହିଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ଗତବର୍ଷ ଅକ୍ଟୋବର ୪ ତାରିଖରେ ଏହି ରୁପା ଟିଣ ବାକ୍ସରେ ଭର୍ତ୍ତି କରି ଟ୍ରକ ଯୋଗେ ଜିଲ୍ଲା ଟ୍ରେଜେରିକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରତି ବାକ୍ସରେ ୨ଟି ଲେଖାଏଁ, ମୋଟ ୨୪ଟି ତାଲା ପଡ଼ିଥିବାବେଳେ ସବୁକୁ ଜଉମୁଦରେ ସିଲ୍‌ କରାଯାଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ଯେ ଆଜି କଳାହାଟ ଦ୍ବାର ପାଇଁ ପ୍ରାୟ ୫ଶହ କେଜି ରୁପା ଜିଲ୍ଲା ଟ୍ରେଜେରିରୁ ପୁଣି ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି। ଦୈନନ୍ଦିନ ନୀତିକାନ୍ତ ଚାଲିଥିବାରୁ ସାଧାରଣ ଦିନରେ ଏହି ଦ୍ବାର ଲଗାଇବା ସମ୍ଭବ ନୁହେଁ। ଅନ୍ୟପଟେ ଏହି ଦ୍ବାର ଲଗାଇବା ପାଇଁ ଅଧିକ ସମୟ ଆବଶ୍ୟକ ପଡ଼ୁଥିବାରୁ ଚଳିତବର୍ଷ ରଥଯାତ୍ରାରେ ଏହାକୁ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକ୍ରମେ ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଏହାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର