ମୂଳ ନକ୍ସା ବଦଳିବ : ଏପ୍ରିଲ୍‌ ସୁଦ୍ଧା ଐତିହ୍ୟ କରିଡର୍‌ର ପୂର୍ଣ୍ଣାଙ୍ଗ ରୂପରେଖ

ମହାପ୍ରସାଦ ସେବନ ନିମନ୍ତେ ୫ ହଜାର ଲୋକ ବସିବାକୁ ମଣ୍ଡପ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ନିକଟରେ ୫ ହଜାର ଶ୍ରଦ୍ଧାଳୁ ବସି ମହାପ୍ରସାଦ ଖାଇବା ପରି ଏକ ବିଶାଳ ମଣ୍ଡପ ନିର୍ମାଣ କରାଯିବ। ଯଜ୍ଞ, ଧ୍ୟାନ ଆଦି ପାଇଁ ସ୍ବତନ୍ତ୍ର ସ୍ଥାନ ରହିବ। ମନ୍ଦିର ନିକଟରେ ସଂକୀର୍ତ୍ତନ ପାଇଁ ମଧ୍ୟ ଏକ ସ୍ଥାନ ରହିବ। ପୁରୀରେ ପ୍ରସ୍ତାବିତ ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ରେ ଏମିତି ତିନିଟି ନୂଆ କାମ ଯୋଡ଼ା ହୋଇଛି। ଐତିହ୍ୟ କରିଡର୍‌ ଉପରେ ପ୍ରଥମ ପର୍ଯ୍ୟାୟ ମାନସ ମନ୍ଥନ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପୂର୍ବରୁ ହୋଇଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟ ବୈଠକ ଭୁବନେଶ୍ବରର ସେତୁ ଭବନରେ ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଗଜପତିଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଦେଇଥିବା ଏହି ତିନିଟି ପ୍ରସ୍ତାବକୁ ଆପାତତଃ ଗ୍ରହଣ କରାଯାଇଛି। ଏହା ସହ ଏପ୍ରିଲ୍‌ ପ୍ରଥମ ସପ୍ତାହ ସୁଦ୍ଧା ଐତିହ୍ୟ କରିଡର୍‌ର ରୂପରେଖ ଚୂଡ଼ାନ୍ତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ତଥା ପୂର୍ତ୍ତ ସଚିବ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି। ତାହା ପରେ କାମ ଆରମ୍ଭ କରି ଦୁଇ ବର୍ଷ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜିର ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଗବେଷକ ଓ ସେବାୟତଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ। କରିଡର୍‌ ପାଇଁ ପ୍ରସ୍ତୁତ ନକ୍ସାରେ ଆଉ କି କି ପରିବର୍ତ୍ତନ କରାଯିବ, ତାହା ଉପରେ ମତାମତ ନିଆଯାଇଥିଲା। ରଘୁନାଥ ମହାପାତ୍ର ଶ୍ରୀମନ୍ଦିର ନିକଟରେ ହେଉଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଉତ୍କଳୀୟ କଳାର ଛାପ ଦେଖିବାକୁ ମିଳୁ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ଦିଗ ପ୍ରତି ପ୍ରଶାସନ ଯତ୍ନବାନ ହେବାକୁ ଦୃଢ଼ ଦାବି କରିଥିଲେ। ଶ୍ରୀ ମହାପାତ୍ରଙ୍କ ପରାମର୍ଶ ଗ୍ରହଣ କରାଯାଇ ଏଥି ପ୍ରତି ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଗଣମାଧ୍ୟମକୁ କହିଥିଲେ। ଶ୍ରୀମନ୍ଦିର ସମ୍ମୁଖ ଭାଗ ଦେଇ ସ୍ବର୍ଗଦ୍ବାର ଯିବା ନିମନ୍ତେ ଏକ କରିଡର୍‌ ପ୍ରସ୍ତୁତ କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। କହିଥିଲେ ଯେ ରଥଖଳା ସମେତ ରଥ ସମ୍ପର୍କିତ ସମସ୍ତ କାର୍ଯ୍ୟ ଓ ପରମ୍ପରା ଯେଉଁ ସ୍ଥାନରେ ହୁଏ, ସେଠାରେ ସେସବୁକୁ ରଖାଯିବା ଉଚିତ୍। ମନ୍ଦିର ଚାରିକଡ଼େ ରହୁଥିବା ବିଭିନ୍ନ ସାହି ମଧ୍ୟରେ ଯାତାୟତ ଯେପରି ସ୍ବାଭାବିକ ଭାବେ ଚାଲିବ, ସେ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଥିଲା। ସଦସ୍ୟମାନେ ଆଶଙ୍କା ପ୍ରକାଶ କରିଥିଲେ ଯେ ଐତିହ୍ୟ କରିଡର ନିର୍ମାଣ ହେଲେ ବହୁଦିନ ଧରି ଚାଲି ଆସୁଥିବା ପରମ୍ପରା ଭଙ୍ଗ ହୋଇପାରେ। ବିଶେଷକରି ସାହି ପରମ୍ପରା ଅନୁସାରେ ଅରୁଣ ସ୍ତମ୍ଭ ଆଗରେ ମୃତ୍ୟୁ ପରେ ଶେଷ ଦର୍ଶନ କରିବା ତଥା ଦେବତା ଓ ଚଳନ୍ତି ପ୍ରତିମାମାନଙ୍କ ପହଣ୍ଡି ହେବାରେ ଅସୁବିଧା ହେବ। ବୈଠକରେ ହେରିଟେଜ୍ କରିଡର୍‌ର ପ୍ଲାନ୍ ପ୍ରସ୍ତୁତ କରିଥିବା ଭୂମିପୁତ୍ର କମ୍ପାନି ପକ୍ଷରୁ ଏକ ଉପସ୍ଥାପନା ଦିଆଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ଗଜପତି ମହାରାଜା କହିଥିଲେ ଯେ ଐତିହ୍ୟ କରିଡର୍‌ ଉପରେ ମଝିରେ ମଝିରେ ଏମିତି ଆଲୋଚନା ଚାଲିବ। ୭୫ ମିଟର ସ୍ଥାନରେ କାମ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି, ମହିମା ଓ ପରମ୍ପରାକୁ ଆଗେଇ ନେବା ସହ ମହାପ୍ରଭୁଙ୍କ ସୁନାମ ସାରା ବିଶ୍ବରେ ଯେମିତି ପ୍ରଚାର ହେବ, ସେ ଦିଗରେ କାର୍ଯ୍ୟ କରାଯାଉଛି।

ମୁଖ୍ୟ ପ୍ରଶାସକ କହିଥିଲେ ଯେ ହେରିଟେଜ୍ କରିଡର୍‌ ପ୍ଲାନ୍ ପ୍ରସ୍ତାବ ଉପରେ ବର୍ତ୍ତମାନ ସୁଦ୍ଧା ୨୩୧ ଲୋକଙ୍କ ମତାମତ ଇମେଲ୍‌ ଜରିଆରେ ଆସିଛି। ଗଜପତି ମହାରାଜା, ସେବାୟତ ଓ ଅନ୍ୟମାନେ ମଧ୍ୟ ମତାମତ ରଖିଛନ୍ତି। ଏକ ସ୍ବତନ୍ତ୍ର କମିଟି କରାଯାଇ ମତାମତ ଯାଞ୍ଚ୍ କରାଯିବ। ଆହୁରି ମତାମତ ମଧ୍ୟ ନିଆଯିବ। ଗବେଷକ, ପରିଚାଳନା କମିଟି ସଦସ୍ୟ, ପୂର୍ବତନ ସଦସ୍ୟ ଓ ଅନ୍ୟ ଜଣାଶୁଣା ଲୋକଙ୍କ ସହ ଆଲୋଚନା କରୁଛୁ। ମାର୍ଚ୍ଚ ଶେଷ ସପ୍ତାହ କିମ୍ବା ଏପ୍ରିଲ୍‌ ପ୍ରଥମ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପାଇଁ ଯୋଜନା ରଖିଛୁ। ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଦର୍ଶନ କରି ଫେରିବେ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। କରିଡର ପାଇଁ ଶ୍ରୀମନ୍ଦିର ନୀତି, ପରମ୍ପରାରେ କୌଣସି ପରିବର୍ତନ ହେବ ନାହିଁ। ଏପରିକି ପହଣ୍ଡି ଓ ଚଳନ୍ତି ପ୍ରତିମା ପହଣ୍ଡି ପୂର୍ବପରି ବଳବତ୍ତର ରହିବ।

ସମ୍ବନ୍ଧିତ ଖବର