ବାହାର ରାଜ୍ୟରୁ ମୟୂରଭଞ୍ଜ ଫେରୁଥିବା ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ପ୍ରସଙ୍ଗ : ପର୍ଯ୍ୟଟନ ସାଜିପାରେ ବିକଳ୍ପ ଶିଳ୍ପ, କୃଷିକ୍ଷେତ୍ରର ବିକାଶ ଦାବି

ବାରିପଦା : କଣ କରିବେ ବାହାର ରାଜ୍ୟରୁ ମୟୂରଭଞ୍ଜକୁ ଫେରୁଥିବା ହଜାର ହଜାର ଯୁବଗୋଷ୍ଠୀ। କଣ ହେବ ସେମାନଙ୍କର ରୋଜଗାରପନ୍ଥା। ବେକାର ହୋଇ ବସିରହିଲେ ବଢ଼ିବ ଅପରାଧ। ଏନେଇ ଉଦ୍‌ବେଗ ପ୍ରକାଶ କରିଛି ‘ସରକାର ମୋତେ ରୋଜଗାର ଦିଅ ଅଭିଯାନ’। କରୋନା ମୁକାବିଲା ନିମନ୍ତେ ଲକ୍‌ଡାଉନ ପରେ ବାହାର ରାଜ୍ୟକୁ ଯାଇଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କର ଘର ବାହୁଡ଼ା ପଞ୍ଜିକରଣ ଓଡ଼ିଶା ବିକାଶର ଅସଲ ଚିତ୍ର ଉପରୁ ପରଦା ହଟାଇ ଦେଇଛି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ ଫେରିବା ନିମନ୍ତେ ପ୍ରାୟ ୪୦ ହଜାରରୁ ଅଧିକ ଯୁବକ ଯୁବତୀମାନେ ପ୍ରଶାସନ ନିକଟରେ ନାମ ପଞ୍ଜିକରଣ କରିଥିବାର ଜଣାପଡ଼ିଛି।

ଜିଲ୍ଲାରେ କଳ କାରଖାନା ନ ଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଯୁବକ ଯୁବତୀଙ୍କ ଘର ବାହୁଡ଼ା ସହିତ ଲକ୍ ଡ଼ାଉନର ପ୍ରଭାବ ଜିଲ୍ଲାବାସୀଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ମୟୂରଭଞ୍ଜ ଜିଲ୍ଲାର ଗରୀବ ଜନସାଧାରଣ ଦୁଇ ବେଳା ଆହାର ଜୁଟାଇବା ନିମନ୍ତେ ସଂଗ୍ରାମ ଚଳାଇଛନ୍ତି । ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର କ୍ଷମ କରାଇ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ ଜିଲ୍ଲାର ସରକାର ମୋତେ ରୋଜଗାର ଦିଅ ଅଭିଯାନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଟି ପୃଥକ ପୃଥକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ବିକଳ୍ପ ରୋଜଗାରର ଉତ୍ସ ଭାବରେ ପର୍ଯ୍ୟଟନ ଶିଳ୍ପର ବିକାଶ ସାଙ୍ଗକୁ କୃଷିକ୍ଷେତ୍ରର ଉନ୍ନତି ଯୁବଗୋଷ୍ଠୀଙ୍କୁ ରୋଜଗାରର ମାଧ୍ୟମ ଦେବ। ଏହାକୁ ଗୁରୁତ୍ବ ଦେବାକୁ ସଂଗଠନ ପକ୍ଷରୁ କୁହାଯାଇଛି। ଏନେଇ ଅଭିଯାନର ଆବାହକ କଳିଙ୍ଗ କେଶରୀ ଜେନା, ରାକେଶ ସିଂ, ଭଞ୍ଜସେନା ସଭାପତି ପିଣ୍ଟଉ ମାଇତି, ଜିଲ୍ଲା ସଂଯୋଜକ ରାକେଶ ବେହେରା, ବାଜୁନ ହାଁସଦାଃ, ରାକେଶ ମହାନ୍ତି ପ୍ରମୁଖ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର