ବାରିପଦା: ୨୦୨୪ ସୁଦ୍ଧା ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙକା ବ୍ୟୟରେ ମେଗା ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏଥିସହ ବସୁଧା ଯୋଜନା ବି କାର୍ଯ୍ୟକାରୀ ହେଉଛି। ତେବେ ଠିକାସଂସ୍ଥାର ମନମାନି ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ବସୁଧା ଯୋଜନା ଓ ମେଗା ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲିଛି। ବସୁଧା ଯୋଜନାରେ ଟେଣ୍ଡର ସରି କାମ ଆରମ୍ଭ ହୋଇଥିଲେ ବି ଏହା ଶେଷ ହେବାକୁ କେତେ ବର୍ଷ ଲାଗିବ ତାହା ବିଭାଗ ମଧ୍ୟ କହି ପାରୁନାହିଁ। ସେହିଭଳି ମେଗା ପ୍ରକଳ୍ପ କାମ ବିଳମ୍ବରେ ଆରମ୍ଭ ହୋଇଥିବେ ବେଳେ ଏଯାଏ ମାତ୍ର ୩୦ ପ୍ରତିଶତ କାମ ହୋଇଛି। ଫଳରେ ୨୦୨୪ ସୁଦ୍ଧା କାମ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା କାମ ଶେଷ ହୋଇ ପାରିବ ନାହିଁ, ଆହୁରି ୬ରୁ ୮ ମାସ ଲାଗିଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ତେଣୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜର ସବୁ ଗାଁକୁ ବିଶୁଦ୍ଧ ପାଣି ଯୋଗାଣ ବ୍ୟବସ୍ଥା ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇ ସାରିଲାଣି।
ସୂଚନାଯୋଗ୍ୟ; ଜିଲ୍ଲାର ୨୬ ବ୍ଲକ୍ରେ ଗ୍ରାମାଞ୍ଚଳରେ ୨୮ ହଜାର ୯୬ଟି ନଳକୂଅ ରହିଛି। ସେଥି ମଧ୍ୟରୁ ଶତାଧିକ ନଳକୂଅରୁ ପାଣି ବାହାରୁ ନାହିଁ। ୫୬୬ଟି ସ୍ଥାନରେ ପାଇପ୍ ଯୋଗେ ଗାଁକୁ ଜଳଯୋଗାଣ ପ୍ରକଳ୍ପ ରହିଛି। ହେଲେ ବିଦ୍ୟୁତ କାଟ୍ ହେଉ କି ଲୋଭୋଲଟେଜ୍; ସବୁ ପ୍ରକଳ୍ପ କାମ କରୁନି। ବେତନଟୀ, ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡ଼ା, କରଞ୍ଜିଆ, ଶୁକୃଳି, ରରୁଆଁ, ବିଶୋଇ, ଠାକୁରମୁଣ୍ଡା, ଯଶିପୁର, ତିରିଂ ଆଦି ବ୍ଲକ୍ରେ ପୂର୍ବ ଅପେକ୍ଷା ପାଣି ସମସ୍ୟା କିଛିଟା ସୁଧୁରିଛି। ଅନ୍ୟ ବ୍ଲକ୍ରେ ଏବେ ବି ଉତ୍କଟ ଜଳାଭାବ ଲାଗିରହିଛି। ୨ ହଜାର ୧୫୯ ରାଜସ୍ବ ଗାଁ ଓ ୪୨୪ଟି ପଡ଼ା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ସରକାରୀ ଭାବେ ଜଣାପଡ଼ିଛି। ଏସବୁ ଗାଁକୁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ୧ ହଜାର ୫୪୬ କୋଟି ବ୍ୟୟରେ ମେଗା ପ୍ରକଳ୍ପ କାମ ଆରମ୍ଭ ହୋଇଛି। ହେଲେ ଏଯାଏ ମାତ୍ର ୩୦ ପ୍ରତିଶତ କାମ ହୋଇଛି। ସେହିଭଳି ବସୁଧା ଯୋଜନାରେ ଜିଲ୍ଲାରେ ମୋଟ୍ ୫୨୪ଟି ପ୍ରକଳ୍ପ ହେବାର ଅଛି। ସେଥିରୁ ୫୧୧ଟିର ଟେଣ୍ଡର ସରିଛି। ବାକି ୧୩ଟିର ଟେଣ୍ଡର ବି ହୋଇ ପାରିନାହିଁ। ବିଳମ୍ବରେ ଟେଣ୍ଡର ହେବାରୁ ପାଇପ୍ ବିଛାଇବା କାମ ଧିମେଇଯାଇଛି। ତେବେ ୨୦୨୪ ସୁଦ୍ଧା ନୁହେଁ, ସବୁ ଗାଁରେ ବିଶୁଦ୍ଧ ପାଣି ଯୋଗାଣ ନିମନ୍ତେ ଆଉ କିଛି ମାସ ଅଧିକ ଲାଗିବ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ଆଶୋକ କୁମାର ମିଶ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/33.jpg)
