ଲୋୟର ସୁକ୍‌ତେଲ କାମ ଚାଲିଛି, ଠିକ୍ ସମୟରେ ସରିବ: ମନ୍ତ୍ରୀ

ଜଳ ଆୟୋଗରେ ଦ୍ବିତୀୟ ସଂଶୋଧିତ ବ୍ୟୟ ଅଟକଳ ପୁନଃ ଉପସ୍ଥାପନ କରାଯିବ
୨୦୨୩-୨୪ ସୁଦ୍ଧା ସରିବ କାର୍ଯ୍ୟ

ଭୁବନେଶ୍ବର : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଡିପିଆର୍‌ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ବାରା ୧୯୯୭ ମସିହାରେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପର ପ୍ରଥମ ସଂଶୋଧିତ ବ୍ୟୟ ଅଟକଳ ୨୦୦୯ ମସିହାରେ ସିଡବ୍ଲ୍ୟୁସିଙ୍କ ଦ୍ବାରା ମଞ୍ଜୁରିପ୍ରାପ୍ତ ହୋଇଛି। ଏହାର ଦ୍ବିତୀୟ ସଂଶୋଧିତ ବ୍ୟୟ ଅଟକଳକୁ ସିଡବ୍ଲ୍ୟୁସି ଫେରାଇଛନ୍ତି। ସିଡବ୍ଲ୍ୟୁସିଙ୍କ ପରାମର୍ଶ ଉପରେ ବିଚାର କରି ଉପରୋକ୍ତ ପ୍ରସ୍ତାବକୁ ପୁନଃ ଉପସ୍ଥାପନ କରିବା ପାଇଁ ଅାବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କେଉଁ ସମୟସୀମା ମଧ୍ୟରେ ପ୍ରସ୍ତାବ ପଠାଯିବ, ସେ ସମ୍ପର୍କିତ ପ୍ରଶ୍ନକୁ ମନ୍ତ୍ରୀ ଏଡ଼ାଇ ଯାଇଛନ୍ତି। ‌କିନ୍ତୁ ଏହା ଦ୍ବାରା ଲୋୟର୍‌ ସୁକ୍‌ତେଲ କାମ ପ୍ରଭାବିତ ହୋଇ ନାହିଁ। କାମ ଚାଲିଛି ଓ ଚାଲିବ। ଠିକ୍ ସମୟରେ କାର୍ଯ୍ୟ ସାରିବା ପାଇଁ ସରକାରଙ୍କର ନିର୍ଦ୍ଦେଶ ଅଛି ବୋଲି ମନ୍ତ୍ରୀ କହିଛନ୍ତି।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂହ ସାଲୁଜା, ମୁକେଶ ମହାଲିଙ୍ଗ ଓ ଅଧିରାଜ ପାଣିଗ୍ରାହୀ ଲୋୟର ସୁକ୍‌ତେଲ ଓ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସଂକ୍ରାନ୍ତରେ ପୃଥକ ପୃଥକ ଲିଖିତ ପ୍ରଶ୍ନ କରିଥିଲେ। ଲୋୟର ସୁକ୍‌ତେଲ ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପକୁ ୧୯୯୯ ମସିହାରେ ୨୧୭.୧୩ କୋଟି ଟଙ୍କା ଅଟକଳରେ ଯୋଜନା କମିସନ୍‌ ମଞ୍ଜୁର କରିଥିଲେ। ୧୯୯୯-୨୦୦୦ରେ ପ୍ରକଳ୍ପକୁ ଏଆଇବିପି ‌ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା। ୨୦୦୯-୧୦ରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ସହାୟତା ଦେବା ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ସମୟରେ ପ୍ରକଳ୍ପର ବ୍ୟୟ ଅଟକଳ ୨୪୪୮.୦୯ କୋଟି ଟଙ୍କା ହୋଇଛି। ଏହି ପ୍ରକଳ୍ପରେ ସ୍ପିଲ୍‌ୱେର ୭୨% ଓ ଡ୍ୟାମ୍‌ର ୪୩% କାର୍ଯ୍ୟ ‌େଶଷ ହୋଇଛି। ୨୦୨୩-୨୪ ସୁଦ୍ଧା ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୪ଟି ବ୍ଲକ୍‌ରେ ଖରିଫ ଋତୁରେ ୨୭୦୫୬ ହେକ୍ଟର ଓ ରବି ଋତୁରେ ୧୩୩୬୯ ହେକ୍ଟର ଜମିରେ ଜଳସେଚିତ ହେବ।

ପ୍ରକଳ୍ପର ବିଳମ୍ବ ପାଇଁ ମନ୍ତ୍ରୀ କାରଣ ଦର୍ଶାଇଛନ୍ତି ଯେ ପ୍ରଭାବିତ ଲୋକଙ୍କ ପ୍ରତିବାଦ ଓ ପ୍ରକଳ୍ପ ସ୍ଥଳରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିବାରୁ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ସମୟରେ ବନ୍ଦ ହେବା‌ ସହ ବିଳମ୍ବ ହୋଇଛି। ସେମାନେ ଅାଇନଗତ ଭାବେ ଉପଯୁକ୍ତ କ୍ଷତିପୂରଣ ପାଇଲା ପରେ ମଧ୍ୟ ଜମି ବାବଦରେ ଅଧିକ କ୍ଷତିପୂରଣ ଓ ଥଇଥାନ ସହାୟତା ଦାବି କରିଥିଲେ। ତେବେ କାମ ତ୍ବରାନ୍ବିତ କରିବା ପାଇଁ ଏବେ ସମସ୍ତ ଉଦ୍ୟମ ଜାରି ରହିଛି।

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଦ୍ବାରା ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୫ଟି ବ୍ଲକ୍‌ରେ ଖରିଫ ଋତୁରେ ୨୬୯୧୦ ହେକ୍ଟର ଏବଂ ରବି ଋତୁରେ ୧୧୯୬୦ ହେକ୍ଟର ଜମିରେ ଜଳସେଚିତ ହେବ। ଜଳସମ୍ପଦ ବିଭାଗ ଦ୍ବାରା ସରକାରଙ୍କ ନିୟମ ଅନୁଯାୟୀ ଲୋୟର ଇନ୍ଦ୍ର ପ୍ରକଳ୍ପର ୧୦୦୬୨ ଜଣ ବିସ୍ଥାପିତ ପରିବାରଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇଛି। ପିଡିଆର୍‌ଆର୍‌ ପଦବି ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଉଚ୍ଛେଦ କରାଯାଇଛି। ଏହି ପଦବିର ସମସ୍ତ ଦାୟିତ୍ବ ବର୍ତ୍ତମାନ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ ଦ୍ବାରା ସମ୍ପନ୍ନ କରାଯିବ। କିଛି ବିସ୍ଥାପିତ ପରିବାରଙ୍କ ପ୍ରାପ୍ୟ ସମ୍ପର୍କିତ ଦାବିର ବର୍ତ୍ତମାନ ତଦନ୍ତ କରାଯାଉଛି। ଏହାର ଯଥାଶୀଘ୍ର ତଦନ୍ତ କରାଯାଇ ନିୟମ ମୁତାବକ ନିଷ୍ପତ୍ତି ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର