ଦଶପଲ୍ଲା : ରାଜ୍ୟରେ ବିଦ୍ୟୁତ୍ ଦାୟିତ୍ବ ଟାଟା ପାୱାର ହାତକୁ ଯିବା ପରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଉଦ୍ବେଗଜନକ ହୋଇପଡ଼ୁଛି। ଆକାଶରେ ମେଘ ଢାଙ୍କିଲେ ବିଭିନ୍ନ ବାହାନା ଦେଖାଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ କରାଯାଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ଚାଲିଛି। ଏପଟେ ବିଦ୍ୟୁତ୍ ସମସ୍ୟାରେ ସୁଧାର ଆଣିବା ତଥା ସହରାଞ୍ଚଳ ଭଳି ଆଦିବାସୀ ବହୁଳ ବଣଜଙ୍ଗଲ ମଧ୍ୟରେ ଥିବା ଗାଁଗହଳିରେ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ଦଶପଲ୍ଲା ବ୍ଲକ୍ର କୁଲୁରୁକୁମ୍ପା ପଞ୍ଚାୟତସ୍ଥିତ ତାକୁଡ଼ାଠାରେ ନିର୍ମାଣ କରାଯାଉଥିବା ୩୩/୧୨ କିଲୋ ଭୋଲଟେଜ୍ର ସବ୍ଷ୍ଟେସନ ନିର୍ମାଣ କାର୍ଯ୍ୟ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି।
ଏହି ସବ୍ଷ୍ଟେସନ ନିର୍ମାଣ ହେଲେ ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ର ପ୍ରାୟ ୧୦ରୁ ଅଧିକ ଆଦିବାସୀ ବହୁଳ ପଞ୍ଚାୟତବାସୀ ଉପକୃତ ହୋଇପାରିବା ନେଇ ଲକ୍ଷ୍ୟ ରଖାଯାଇଛି। ହେଲେ ସମୟ ଅବଧିକୁ ଇତି ମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ଏହା ଅଧପନ୍ତରିଆ ପଡ଼ିରହିଛି। ପ୍ରଶାସନିକ ଅବହେଳା ହେଉ କି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ବର୍ଷ ପରେ ବର୍ଷ ବିତି ଚାଲିଥିବା ବେଳେ ନିର୍ମାଣ କାର୍ଯ୍ୟରେ କୌଣସି ଅଗ୍ରଗତି ଦେଖାଦେଉନାହିଁ। ଏପଟେ ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ବହୁଳ ପଞ୍ଚାୟତବାସୀ ଏହାକୁ ମୁଖ୍ୟ ପ୍ରସଙ୍ଗ ଉଠାଇ ରାଜରାସ୍ତାକୁ ଓହ୍ଲାଇବା ନେଇ ସଜବାଜ ହେଉଛନ୍ତି।
/sambad/media/post_attachments/wp-content/uploads/2021/10/sub.jpg)
ସୂଚନା ଅନୁଯାୟୀ ଏହି ସବ୍ଷ୍ଟେସନରୁ ଦଶପଲ୍ଲା ବ୍ଲକ୍ର ବାଣିଗୋଛା, କୁଲୁରୁକୁମ୍ପା, କୁଜାମେଣ୍ଢି, ଟାକରା, ଘୁଗୁଡିପଡା, ତୁମାଣ୍ତି, ଚଢ଼େୟାପଲ୍ଲୀ, କଳସାଖମଣ, ଦୁଡ଼ା ଏବଂ ଗଣିଆ ବ୍ଲକ୍ର ବଡ଼ସିଲିଙ୍ଗା ଭଳି ଉପାନ୍ତ ଅଂଚଳଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରାଯିବା ନେଇ ପରିକଳ୍ପନା କରାଯାଇଛି। ଏସବୁ ପଞ୍ଚାୟତରେ ବର୍ଷ ବର୍ଷ ଧରି ବିଦ୍ୟୁତ୍ ସମସ୍ୟା ଲାଗି ରହିବା ସହ ଅନେକ ଗାଁକୁ ବିଦ୍ୟୁତ୍ ସେବା ଅପହଞ୍ଚ ହୋଇ ରହିଛି। ଯାହାକୁ ନେଇ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ୩୩/୧୨ କିଲୋ ଭୋଲ୍ଟେଜର ଏହି ସବ୍ଷ୍ଟେସନ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା। ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ୍ (ଓପିଡିସିଏଲ୍) ପକ୍ଷରୁ ୨୦୧୫ ମସିହା ଅଗଷ୍ଟ ମାସରେ ଏହାର ଟେଣ୍ତର ହୋଇଥିଲା। ହେଲେ ଏହି କାର୍ଯ୍ୟକୁ ଗୁପ୍ତା ପାୱାର ଇନ୍ଫାଷ୍ଟ୍ରକଚର୍ ଲିମିଟେଡ୍ କରୁଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରାଯାଉଛି। ୨୦୧୬ ଜୁନ୍ ମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୧୭ ଡିସେମ୍ବର ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଅବଧି ରହିଥିଲା। ଏହି ସବ୍ଷ୍ଟେସନରେ ୫ ଏମ୍ପିୟର ୨ଟି ଟ୍ରାନ୍ସଫରମର ସଂଯୋଗ କରାଯିବା ସହ ୩ଟି ଫିଡର୍ ବାହାରିବା ପାଇଁ ଯୋଜନା ରହିଛି। ଏହାର ତାରଟଣା ସହ ଆଉ ୩୦ ପ୍ରତିଶତ କାର୍ଯ୍ୟ ବକେୟା ଥିବା ବିଭାଗୀୟ ଅଧିକାରୀଙ୍କଠାରୁ ଜଣାପଡ଼ିଛି। ଯାହାକି ଆସନ୍ତା ୨ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଥିବା କୁହାଯାଉଥିବା ବେଳେ ତାହା କେବେ ସରିବ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/sub2.jpg)