ସମ୍ବଲପୁର : ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସମଲେଇ ଯୋଜନାର ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ହୀରାକୁଦ ଡ୍ୟାମ୍‌, ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ଡ୍ୟାମ୍‌ ତଳ ଦ୍ବୀପକୁ କିଭଳି ପର୍ଯ୍ୟଟକଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରାଯାଇପାରିବ, ସେ ଦିଗରେ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ସନ୍ଧ୍ୟାରେ ସପତ୍ନୀକ ମାଁ ସମଲେଶ୍ବରୀଙ୍କ ଦର୍ଶନ ପରେ ଗଣମାଧ୍ୟମକୁ କହିଛନ୍ତି।

Advertisment

ମାଁ ସମଲେଶ୍ବରୀଙ୍କ ଦର୍ଶନ ପରେ ଦର୍ଶକମାନଙ୍କ ଗହଣରେ କିଛିଦିନ ତଳେ ଆରମ୍ଭ ହୋଇଥିବା ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ କାର୍ଯ୍ୟକ୍ରମ ଦେଖିବା ସହିତ ଏହାର ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର । ଗଣମାଧ୍ୟମକୁ ସେ ଆହୁରି କହିଥିଲେ, ସମଲେଇ ଯୋଜନାର ବିଭିନ୍ନ କାମ ଏବେ ଜୋରସୋରରେ ଚାଲିଥିବା ବେଳେ ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ପରିକ୍ରମା ପଥ ଏବଂ ମହାନଦୀ ଘାଟରେ ଆଳତି ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ନଦୀର ପାଣି ଯେମିତି ସବୁ ସମୟରେ ସମଲେଶ୍ବରୀ ମନ୍ଦିର ପାଖ ଘାଟରେ ରହିପାରିବ, ସେହି ବ୍ୟବସ୍ଥା କରାଯିବ। ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ହୀରାକୁଦ ଡ୍ୟାମ୍‌ ତଳେ ଥିବା ଏକ ଦ୍ବୀପକୁ ଏକ ସେତୁ ସହିତ ସଂଯୋଗ କରାଯିବ। ‌ଏହି ସେତୁ ବୁର୍ଲା ଓ ହୀରାକୁଦକୁ ସଂଯୋଗ କରିବ। ଡେବ୍ରିଗଡ଼ ଅଭାରଣ୍ୟ ଅଂଚଳର ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟ ସରକାର ସମ୍ବଲପୁର ବିକାଶକୁ ଗୁରୁତ୍ବ ଦେଉଛନ୍ତି। ସବୁ ବଡ଼ ପ୍ରକଳ୍ପଗୁଡ଼ିକ ଯେମିତି ଠିକ୍‌ ସମୟରେ ସଂପୂର୍ଣ୍ଣ ହେବ, ସେଦିଗରେ ଗୁରୁତ୍ବ ଦିଆଯାଉଛି। ସମଲେଶ୍ବରୀ ମନ୍ଦିର ଦର୍ଶନ ବେଳେ ଉତ୍ତରାଂଚଳ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ବି.ଗଂଗାଧର ପ୍ରମୁଖ ଉପସ୍ଥିତ ଥିଲେ। ସମେଲଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଭାପତି ସଂଜୟ ବାବୁ ତାଙ୍କୁ ସ୍ବାଗତ କରିଥିଲେ।