ଆରମ୍ଭ ହେବ ଶ୍ରୀମନ୍ଦିର ଦ୍ୱାରରେ ରୁପା ଚାଦର କାମ

ପୁରୀରେ ପହଞ୍ଚିଲେ ମୁମ୍ବାଇର ୬ ଜଣିଆ କାରିଗର ଦଳ

୮ ଦ୍ୱାର ପାଇଁ ପହଞ୍ଚିଲା ୧୩୦ ଖଣ୍ଡ ବର୍ମା ଟିକ୍‌
ମାସେ ଭିତରେ ଶେଷ ହେବ ଦ୍ୱାର କାମ

ପୁରୀ : ବହୁଦିନର ପ୍ରତୀକ୍ଷା ପରେ ଶେଷରେ ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲାଗିବାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲାଗିବା ପୂର୍ବରୁ ଏହି ଦ୍ବାର ସମ୍ପୂର୍ଣ୍ଣ ନୂଆ ଭାବେ ତିଆରି ହେବ। ଏଥିପାଇଁ ସ୍ବତନ୍ତ୍ର ବର୍ମା ଟିକ୍‌ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଇଥି ମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ମୁମ୍ବାଇର ୬ଜଣିଆ କାରିଗର ଦଳ ବି ପୁରୀରେ ପହଞ୍ଚିଛନ୍ତି। ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ମିଳିବା ପରେ ସମସ୍ତଙ୍କୁ ନୀଳାଦ୍ରି ଭକ୍ତ ନିବାସରେ ରଖାଯାଇଛି। ଦିନେ ଦୁଇ ଦିନ ଭିତରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଶ୍ରୀମନ୍ଦିରର ୮ଟି ଦ୍ବାରକୁ ରୁପା ଚାଦରରେ ଆଚ୍ଛାଦିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ବାର ଜୟ-ବିଜୟ ଦ୍ବାର, କଳାହାଟ ଦ୍ବାର, ସାତପାହାଚ ଦ୍ବାର ଓ ବେହେରଣ ଦ୍ବାରକୁ ରୁପାରେ ଆଚ୍ଛାଦିତ କରିବାକୁ ଯୋଜନା କରାଯାଇଥିଲା। ପରେ ପରିଚାଳନା କମିଟି ଓ ଛତିଶାନିଯୋଗର ପ୍ରସ୍ତାବକ୍ରମେ ମା’ ବିମଳା, ନୃସିଂହ ଦେବଙ୍କ ମନ୍ଦିର ଦ୍ବାର ସମେତ ୪ଟି ଦ୍ବାରକୁ ରୁପାରେ ଆଚ୍ଛାଦିତ କରିବାକୁ ଯୋଜନା କରାଯାଇଛି। ଦ୍ବାରର ଉଭୟ ପାର୍ଶ୍ବରୁ ମୋଟା ରୁପା ଆସ୍ତରଣ ଦେବାକୁ ସ୍ଥିର କରାଯାଇଥିଲା। ଏଥିପାଇଁ ପ୍ରାୟ ୨୩୫୦ କେଜି ରୁପା ଆବଶ୍ୟକ ଥିବାବେଳେ ମୁମ୍ବାଇର ଜଣେ ଭକ୍ତ ଏହି ରୁପା ଦାନସୂତ୍ରରେ ଦେଉଛନ୍ତି। କିନ୍ତୁ ପୁରୁଣା କବାଟରେ କେବଳ ରୁପା ଚାଦର ଦେଇଦେଲେ, ଏହା ଅସୁନ୍ଦର ଦିଶିବ ବୋଲି ପରିଚାଳନା କମିଟି, ଛତିଶାନିଯୋଗ ପ୍ରସ୍ତାବ ଦେବା ପରେ ୮ଟି ଯାକ ଦ୍ବାର ପୁଣିଥରେ ନୂଆ କାଠରେ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଦ୍ବାରର ସ୍ଥାୟୀତ୍ବ ପାଇଁ ସ୍ବତନ୍ତ୍ର ବର୍ମା ଟିକ୍‌ରେ ଏହା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ଏହି ଦ୍ବାର ସବୁ କେଉଁ ଶୈଳୀରେ ନିର୍ମାଣ ହେବ ସେ ନେଇ ପ୍ରଶ୍ନ ଉଙ୍କି ମାରିବା ପରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷଣାରତ ବିଶେଷଜ୍ଞ ଓ ବରିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ବିସ୍ତୃତ ଆଲୋଚନା କରି କଳିଙ୍ଗ ଶୈଳୀ ଛାପ ଏଥିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ରୁପା ଚାଦର ଉପରେ କେଉଁଭଳି ଚିତ୍ର ରହିବ, ‌ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକୁ ପୂର୍ଣ୍ଣ ରୂପ ଦେବା ପାଇଁ ୧୭ଜଣିଆ କମିଟି ବି ଗଠନ କରାଯାଇଥିଲା। କିନ୍ତୁ କାମରେ ବିଳମ୍ବ ଯୋଗୁ ଏ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। କିନ୍ତୁ ଆଜି ମୁମ୍ବାଇରୁ ୬ଜଣିଆ କାରିଗର ଦଳ ପହଞ୍ଚିବା ପରେ ପୁଣିଥରେ ଆଶା ଉଜ୍ଜୀବିତ ହୋଇଛି।

ମିଳିଥିବା ସୂଚନା ମୁତାବକ, ମୁମ୍ବାଇର ଏହି ସ୍ବତନ୍ତ୍ର କାରିଗର ଦଳଙ୍କୁ ଦାତା ନିଜେ ପଠାଇଥିବାବେଳେ ଏମାନେ ମାସେ ଭିତରେ ୮ଟି ଯାକ ଦ୍ବାର କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ୍‌ ରଥଯାତ୍ରା ଭିତରେ ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାରଣ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନେକ ନୀତିକାନ୍ତି ହେଉଛି। ଏ ଭିତରେ କଳାହାଟ ଦ୍ବାର, ଜୟ-ବିଜୟ ଦ୍ବାର, ସାତପାହାଚ ଦ୍ବାର, ବେ‌ହେରଣ ଦ୍ବାର କାମ କରିବା ସମ୍ଭବ ନୁହେଁ। ଏଣୁ ଯଥାଶୀଘ୍ର କାମ ସାରି ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ସମସ୍ତ ନୂଆ ଦ୍ବାର ଲଗାଇବାକୁ ଯୋଜନା କରାଯାଇଛି। କାରିଗରମାନେ ନୀଳାଦ୍ରି ଭକ୍ତ ନିବାସରେ ରହି କାମ କରିବେ। କାମ ଶେଷ ପରେ ଏହାକୁ ଶ୍ରୀମନ୍ଦିରରେ ଫିଟିଂ କରାଯିବ। ୮ଟି ଯାକ ଦ୍ବାରର ଡିଜାଇନ୍‌ ବି କାରିଗରମାନଙ୍କୁ ଦିଆ ସରିଥିବାବେଳେ ଖୁବଶୀଘ୍ର ଏମାନେ କାମ ଆରମ୍ଭ କରିବାକୁ ଯାଉଛନ୍ତି। ଦାତା କାଠ ଦେଇ ସାରିଥିବାବେଳେ ଦ୍ବାର ତିଆରି ପାଇଁ ଆବଶ୍ୟକ ଅନ୍ୟାନ୍ୟ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ।

ସମ୍ବନ୍ଧିତ ଖବର