ଶ୍ରୀମନ୍ଦିରର ୪ ଦ୍ବାର କାମ ଶେଷ

ମୁମ୍ବାଇରେ ଚାଲିଛି ରୁପା ଚାଦର କାମ, ସପ୍ତାହେ ଭିତରେ ପହଞ୍ଚିବ
ଅଗ୍ରଗତି ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଶ୍ରୀମନ୍ଦିର ରୁପା ଦ୍ବାର କାମରେ ବେଶ୍‌ ଅଗ୍ରଗତି ଦେଖିବାକୁ ମିଳିଛି। ମୁମ୍ବାଇରୁ ଆସିଥିବା କାଠ କାରିଗରମାନେ ଇତିମଧ୍ୟରେ ବର୍ମା ଟିକ୍‌ରେ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ବାର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପଲିସ୍‌ ସହ ଅନ୍ୟାନ୍ୟ କାର୍ଯ୍ୟ ବି ପ୍ରାୟ ଶେଷ ହୋଇଛି। ଏହା ପରେ ସବୁ କବାଟରେ ମୁମ୍ବାଇରୁ ମାପରେ ତିଆରି ହୋଇ ଆସିଥିବା ସ୍ବତନ୍ତ୍ର ଷ୍ଟିଲ୍‌ ଫ୍ରେମ(କଳଙ୍କିବିହୀନ) ଫିଟିଂ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ମୁମ୍ବାଇରୁ ୮ଟି ଦ୍ବାର ପାଇଁ ୮ଟି ଷ୍ଟିଲ୍‌ଫ୍ରେମ ପ୍ରସ୍ତୁତ ହୋଇ ଆସିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଏହି କାମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। କାଠ କାରିଗରଙ୍କ ସହ କବାଟ ନିର୍ମାଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ନିର୍ମାଣ ପାଇଁ ପ୍ରସ୍ତୁତ ନକ୍ସା ବି ଦେଖିଛନ୍ତି। ନକ୍ସା ଅନୁଯାୟୀ ନିର୍ମାଣ କାର୍ଯ୍ୟ ହେଉଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି।

ଶ୍ରୀମନ୍ଦିରର ୮ଟି ଦ୍ବାରରେ ରୁପା ଚାଦର ଲଗାଇବାକୁ ଯୋଜନା କରାଯାଇଥିବାବେଳେ ଇତିମଧ୍ୟରେ ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, କଳାହାଟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ନୃସିଂହ ମନ୍ଦିର ଦ୍ବାର, ମହାଲକ୍ଷ୍ମୀ ମନ୍ଦିର ଦ୍ବାର ଆଦି ରହିଛି। ରଥଯାତ୍ରା ସମୟରେ ୪ ପ୍ରମୁଖ ଦ୍ବାର ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, କଳାହାଟ ଦ୍ବାର ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। କାରଣ ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ଚାଲୁଛି। କିନ୍ତୁ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିଥାନ୍ତି। ଏହି ସମୟରେ ଶ୍ରୀମନ୍ଦିର ଖାଲି ପଡ଼ିଥାଏ। ଯଦ୍ବାରା ବିନା କୌଣସି ବାଧାରେ ଏହି ସମୟରେ ଦ୍ବାର ଲଗାଇବା ସୁବିଧା ହେବ। ଏଥିପାଇଁ ୨୦, ୨୧ ଓ ୨୨ ତାରିଖ, ଏହି ତିନି ଦିନ ଭିତରେ ଚାରି ପ୍ରମୁଖ ଦ୍ବାର ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, କଳାହାଟ ଦ୍ବାର ନିର୍ମାଣ ସରିଥିଲା। ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ଆଜି ଏହା ଶେଷ ହୋଇଛି।

ସମ୍ବନ୍ଧିତ ଖବର