ମୃତ ଠିକାଦାରଙ୍କ ନାଁରେ କାର୍ଯ୍ୟାଦେଶ : ଉଠାଇ ନେଲେ ଅଧ କୋଟି; ଆଉ ଅଧ କୋଟି ନେବାକୁ ମସୁଧା

ସିଏମସି ଆଇନ ବିଭାଗର ବାରଣ ପରେ ବି କମିସନରଙ୍କ ମୋହର, କାମ ତ ହେଇଛି, କିଏ କଲା ନ କଲା ଯାଏ ଆସେ ନାହିଁ: କମିସନର

କଟକ : ଠିକାଦାର ମୃତ। କିନ୍ତୁ ତାଙ୍କ ନାଁରେ ଇସ୍ୟୁ ହୋଇଛି କାର୍ଯ୍ୟାଦେଶ (ୱାର୍କ ଅର୍ଡର୍‌)। କଟକ ମହାନଗର ନିଗମରେ ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଚକିତ କଲା ଭଳି କଥାଟି ହେଉଛି, ଠିକାଦାରଙ୍କ ମୃତ୍ୟୁ ପରେ ତାଙ୍କ ନାଁରେ ଗୋଟିଏ କି’ ଦୁଇଟି ନୁହେଁ, ଚାରିରୁ ଅଧିକ କାର୍ଯ୍ୟାଦେଶ ଇସ୍ୟୁ ହୋଇଛି। ବିଲ୍‌ ବି ହୋଇଛି। ପ୍ରାୟ ଅଧ କୋଟି ଟଙ୍କା ପୂର୍ବରୁ ଉଠାଇ ନିଆଯାଇଥିବା ଅଭିଯୋଗ ହେଉଥିବା ବେଳେ ଏବେ ଆଉ ଅଧ କୋଟିରୁ ଅଧିକ ଟଙ୍କା ଉଠାଣ ପାଇଁ ଜୋରଦାର ଉଦ୍ୟମ ଚାଲିଛି। କିନ୍ତୁ ଏ କାମ ପାଇଁ ମୃତ ଠିକାଦାରଙ୍କ ସହିତ କିପରି ଚୁକ୍ତିନାମା ହେଲା, ତାର ଉତ୍ତର କେହି ଦେଇପାରୁନାହାନ୍ତି। ବିନା ଚୁକ୍ତିନାମାରେ ମୃତ ଠିକାଦାରଙ୍କ ନାଁରେ କାର୍ଯ୍ୟାଦେଶ ଇସ୍ୟୁ କରାଯାଇ କୋଟିଏରୁ ଅଧିକ ଟଙ୍କା ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ମୃତ ଠିକାଦାରଙ୍କ ନାଁରେ କେଉଁ ନିୟମ ବଳରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଦେଶ ଜାରି କଲେ ଏବଂ ଆଇନ ବିଭାଗର ବାରଣ ସତ୍ତ୍ବେ କମିସନର କିପରି ବିଲ୍‌ କଲେ; ତାହା ଏବେ ବଡ଼ ପ୍ରଶ୍ନର ବିଷୟ ହୋଇଛି। ଭିଜିଲାନ୍‌ସ ତଦନ୍ତ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହେଉଥିବା ବେଳେ ଅନ୍ୟପଟେ ସିଏମ୍‌ସିରେ କିଭଳି ସବୁ ସରକାରୀ ନିୟମକୁ ଜଳାଞ୍ଜଳି ଦିଆଯାଇ ଭୂତ ଠିକାଦାରଙ୍କ ନାଁରେ ଉନ୍ନୟନମୂଳକ କାମ ଦର୍ଶାଯାଇ ଅର୍ଥ ଆତ୍ମସାତ କରାଯାଉଛି, ତାହା ସୂଚାଇ ଦେଉଛି।

ଘଟଣାଟି ହେଉଛି ଏହିପରି। ସହର ଉପକଣ୍ଠ ଉତ୍ତମାପୁରର ବାସିନ୍ଦା ଠିକାଦାର ଧୀରେନ୍ଦ୍ର ସାମଲଙ୍କ ୨୦୧୭ ଜୁନ୍‌ ୨ତାରିଖରେ ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କ ନାଁରେ ମୃତ୍ୟୁର ଛଅ ଦିନ ପରେ ଅର୍ଥାତ୍ ଜୁନ୍ ୮ତାରିଖରେ କାର୍ଯ୍ୟାଦେଶ ବାହାରିଛି। ୪୦ନମ୍ବର ୱାର୍ଡ ଯୋବ୍ରା ନିଗମାନନ୍ଦ ପରମହଂସ ପ୍ରାର୍ଥନା ହଲ୍ ମରାମତି ନିମନ୍ତେ ଏହି ୱାର୍କ ଅର୍ଡର୍ ବାହାରିଛି ଏବଂ ସଂପୃକ୍ତ ୱାର୍ଡର ସହକାରୀ ଯନ୍ତ୍ରୀଙ୍କଠୁ ନେଇ ଉପ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ-୧ ଏହାକୁ ଅନୁମୋଦନ କରିଛନ୍ତି। କିନ୍ତୁ ବିଲ୍‌ ବେଳକୁ ମୃତ ଠିକାଦାରଙ୍କ ନାଁରେ କିପରି କାମ ହେଲା, ତାକୁ ନେଇ ପୂର୍ବତନ ମେୟର ମୀନାକ୍ଷୀ ବେହେରା ତନାଘନା କରିଥିଲେ। ବିଲ୍‌ରେ ଅନୁମୋଦନ ମାରିବା ପୂର୍ବରୁ ଆଇନ ବିଭାଗର ପରାମର୍ଶ ପାଇଁ ଫାଇଲ୍‌ ପଠାଇଥିଲେ। ଆଇନ ବିଭାଗ ମୃତ ଠିକାଦାରଙ୍କ ନାଁରେ କାର୍ଯ୍ୟାଦେଶକୁ ସଂପୂର୍ଣ୍ଣ ବେଆଇନ ଏବଂ ଆଇନ ବିରୋଧୀ ଦର୍ଶାଇଥିଲା। ଏ କଥା ବି ଫାଇଲ୍‌ରେ ଉଲ୍ଲେଖ କରିଥିଲା କି’, ଯେଉଁ ଅଧିକାରୀ ନିୟମକୁ ଉଲ୍ଲଂଘନ କରି କାର୍ଯ୍ୟାଦେଶ ଜାରି କରିଛନ୍ତି, ସେମାନଙ୍କ ବିରୋଧରେ ୧୯୫୯, ଓଡ଼ିଶା ଗଭର୍ଣ୍ଣମେଣ୍ଟ୍‌ ସର୍ଭାଣ୍ଟ୍‌ସ କଣ୍ଡକ୍ଟ୍‌ ରୁଲ୍‌-୩ ପାଳନ ଖିଲାପ ପାଇଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଗତ ଜାନୁଆରିରେ ଏଭଳି କଡ଼ା ଟିପଣୀ ଲେଖି ଆଇନ ବିଭାଗ ଫାଇଲ୍‌ ଫେରାଇ ଦେଇଥିବା ବେଳେ କମିସନର ଶ୍ରୀ ନାୟକ କିନ୍ତୁ ଗତ ଏପ୍ରିଲ୍ ୨୭ତାରିଖରେ ବିଲ୍‌ ପଇଠ ପାଇଁ ଫାଇଲ୍‌ରେ ମୋହର ମାରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ୨୦୧୭, ଜୁନ୍‌ ୨ତାରିଖରେ ମୃତ୍ୟୁବରଣ କରିଥିବା ଧୀରେନ୍ଦ୍ର ସାମଲଙ୍କ ନାଁରେ କେଉଁ ନିୟମ ବଳରେ ମୃତ୍ୟୁର ଛଅ ଦିନ ପରେ ୱାର୍କ ଅର୍ଡର ଇସ୍ୟୁ ହେଲା? ଯନ୍ତ୍ରୀ କେଉଁ ବ୍ୟକ୍ତି ସହିତ କାମ ପାଇଁ ଚୁକ୍ତିନାମା କଲେ? ବିଲ୍ କରିବାକୁ ଆଇନ ବିଭାଗ ବାରଣ ସତ୍ତ୍ବେ କମିସନର କିପରି ଅନୁମୋଦନ ଦେଲେ। ଏହି ଅନୁମୋଦନ ଦିଆଯିବା ପୂର୍ବରୁ ସିଏମ୍‌ସି ପ୍ରଶାସକ ଦାୟିତ୍ବରେ ଥିବା ଆରଡିସି ଅନିଲ କୁମାର ସାମଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା କି? ଏଭଳି ଅନେକ ପ୍ରଶ୍ନ ଏବେ କେବଳ ସାଧାରଣରେ ଉଠୁନାହିଁ; ବରଂ ଭିଜିଲାନ୍‌ସ ତଦନ୍ତର ଅପେକ୍ଷା ରଖୁଛି।

ଅନ୍ୟପକ୍ଷରେ କମିସନର ଶ୍ରୀ ନାୟକ କହିଛନ୍ତି ଯେ ଇଏ ଏକ ମାମୁଲି କଥା। ଏଥିରେ ସିଏମ୍‌ସିର କିଛି ଆର୍ଥିକ କ୍ଷତି ଘଟିନାହିଁ। କାମ ହୋଇଛି। କିଏ କଲା ନ କଲା ତାହା ବଡ଼ କଥା ନୁହେଁ। କାମ ଯଦି ହୋଇଛି, ତା’ହେଲେ ପେମେଣ୍ଟ ଦେବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। କିନ୍ତୁ ମୃତ ଠିକାଦାରଙ୍କ ନାଁରେ କିପରି କାର୍ଯ୍ୟାଦେଶ ଇସ୍ୟୁ ହେଲା ବୋଲି ପ୍ରଶ୍ନ ହେବାରୁ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ବରଂ କହିଛନ୍ତି, କାମ ତ ହେଇଛି। କିଛି ଅନିୟମିତତା ହେଇନାହିଁ। ତେଣୁ କିଏ କାମ କଲା ବୋଲି କାହିଁକି ପ୍ରଶ୍ନ ଉଠୁଛି। ଆଇନ ବିଭାଗର ବାରଣ ସଂପର୍କରେ ପ୍ରଶ୍ନ ହେବାରୁ କିଏ କ’ଣ ଲେଖିଦେଲେ ଏବଂ ତାକୁ ଧରି ବସିଲେ କିଛି କାମ ହେଇପାରିବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର