ଓଡ଼ିଶାର ଉନ୍ନତି ହେଲେ ଭାରତର ବିକାଶ ହେବ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱାର୍କ ଷ୍ଟେସନ ଓ ଭାଷା ପ୍ରୟୋଗଶାଳା ଉଦଘାଟିତ

କୋରାପୁଟ: ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବାକୁ ସେ ସମବେତ ବିଶ୍ବବିଦ୍ୟାଳୟ ସମୂହକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ “ରାଜ୍ୟର ଗୌରବମୟ ଇତିହାସକୁ ମନେ ପକାଇ ରାଜ୍ୟର ଭାଷାର ବିକାଶ ପାଇଁ କାର୍ଯ୍ୟ କରିବା ଦରକାର। ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷପୂର୍ତ୍ତି ହେବ। ‌ସେତେବେଳକୁ ଓଡ଼ିଶା ସମ୍ପୂର୍ଣ୍ଣ ବିକଶିତ ହେବା ଆଶା ରହିଛି। ହେଲେ ସେଥିପାଇଁ ଆମକୁ ଉଦ୍ୟମ କରିବାକୁ ପଡିବ। ଏବେଠୁ ଆମେ ଓଡ଼ିଶାର ବିକାଶ ପାଇଁ ଉଦ୍ୟମ କରିବା ଆବଶ୍ୟକ। ଓଡ଼ିଶାର ଉନ୍ନତି ହେଲେ ଭାରତର ବିକାଶ ହେବ। କେନ୍ଦ୍ରୀୟ ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହା କହିଛନ୍ତି।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱାର୍କ ଷ୍ଟେସନ ଓ ଭାଷା ପ୍ରୟୋଗଶାଳା ଉଦଘାଟନ କରି ଶ୍ରୀ ପ୍ରଧାନ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିକାଶର ଅଗ୍ରଦୂତ ଭାବେ କାର୍ଯ୍ୟ କରିବାକୁ ପଡିବ । ଆମେ ଭବିଷ୍ୟତ ପାଇଁ ଅଧିକ ଦାୟିତ୍ୱ ସହ କାମ କରିବା ଉଚିତ। କୋରାପୁଟ ଜିଲ୍ଲା ଚାଉଳ ଓ ମାଣ୍ଡିଆ ସମେତ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଷ୍ଟ୍ରବେରୀ ଉତ୍ପାଦନ କରୁଛି। ଏହା ହେଉଛି ବିକାଶର ପ୍ରକୃତି । ବିଶ୍ୱବିଦ୍ୟାଳୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାମଗ୍ରିକତାର ସହ କାର୍ଯ୍ୟ କରିବା ଉଚିତ ଯାହାଦ୍ୱାରା ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ଶିକ୍ଷା ହାସଲ ହୋଇପାରିବ “। ସେ ଆହୁରି ମଧ୍ୟ କହିଥିଲେ ଯେ “ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଠ୍ୟକ୍ରମରେ ସ୍ଥାନୀୟ ଭାଷା ଏବଂ ଉପଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ଠିକ୍ ଭାବରେ ଶିକ୍ଷିତ ହୋଇପାରିବେ । ସେ ନିଶ୍ଚିତ କରିଥିଲେ ଯେ ଏହି କାର୍ଯ୍ୟରେ ଏନସିଇଆରଟି ବିଶ୍ୱବିଦ୍ୟାଳୟକୁ ସହଯୋଗ କରିବ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ନୂତନ ଉଦ୍ଭାବନ ବିକଶିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଏବଂ ନାଲ୍କୋ ସହ ମିଶି କାର୍ଯ୍ୟ କରିବ” । ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ନେତୃତ୍ୱରେ ଭବିଷ୍ୟତରେ ଅଧିକ ସଂଖ୍ୟକ ଅଧ୍ୟାପକଙ୍କ ସହ ବିଶ୍ୱବିଦ୍ୟାଳୟ ଏକ ଉଚ୍ଚ ସୋପାନରେ ପହଞ୍ଚିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ବରିଷ୍ଠ ଅଧିକାରୀମାନଙ୍କ ଗହଣରେ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରି ପାଛୋଟି ନେଇଥିଲେ। ଅପରାହ୍ନରେ ସେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଶ୍ୱବିଦ୍ୟାଳୟର ୱାର୍କ ଷ୍ଟେସନ ଓ ଭାଷା ପ୍ରୟୋଗଶାଳା ଉଦଘାଟନ କରିବା ପରେ ପରେ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ସେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ସମାବେଶକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।

ପ୍ରଫେସର ଚକ୍ରଧର ତ୍ରିପାଠୀ ତାଙ୍କ ଅଭିଭାଷଣରେ ବିଶ୍ୱବିଦ୍ୟାଳୟ ପାଇଁ ଭୀମ ଭୋଇ ଚେୟାରକୁ ଅନୁମୋଦନ କରିଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଭୀମ ଭୋଇ ଭାରତୀୟ ଭକ୍ତି ଆନ୍ଦୋଳନ ସମୟରେ ଅନ୍ୟତମ ଅଗ୍ରଣୀ ସନ୍ଥ କବି ଥିଲେ । ସର୍ବଦା ସେ ନିଜ ବଳିଦାନରେ ମଧ୍ୟ ବିଶ୍ୱର ଉନ୍ନତି ପାଇଁ ଚିନ୍ତା କରୁଥିବା ସନ୍ଥ କବିଭୀମ ଭୋଇଙ୍କ ଚିନ୍ତାଧାରାକୁ ବିଶ୍ଵ ଅନୁସରଣ କରିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ମଲ୍ଟି ଡିସିପ୍ଲିନାରୀ ଅଧ୍ୟୟନ ପାଇଁ କାର୍ଯ୍ୟ କରିବ। ବିଶ୍ୱବିଦ୍ୟାଳୟ ତଥା ସମାଜର ଉନ୍ନତି ପାଇଁ ମାନ୍ୟବର ମନ୍ତ୍ରୀ ଆମକୁ ମାର୍ଗଦର୍ଶନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କୋରାପୁଟ ଅଞ୍ଚଳର ଦୁଇ ବିଶିଷ୍ଟ ବ୍ୟକ୍ତି ସ୍ୱାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନ କର୍ମୀ କୃଷ୍ଣ ସିଂହ ଏବଂ ବିଶିଷ୍ଟ ବୁଣାକାର ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୋବର୍ଦ୍ଧନ ପାନିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପରେ ପରେ ସେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଓଡ଼ିଆ ଅଧ୍ୟାପିକା ରୁଦ୍ରାଣୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିଦର୍ଶନ ସମୟରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ, ଅଧ୍ୟାପକ- ଅଧ୍ୟାପିକା ଓ ଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର