ଭୁବନେଶ୍ବର : ହୋଟେଲ୍‌, ରେସ୍ତୋରାଁ ବନ୍ଦ। ହାତ ବାନ୍ଧି ବସିଛନ୍ତି ଲକ୍ଷାଧିକ କର୍ମଚାରୀ। କାମ ନାହିଁ କି ଦରମା ନାହିଁ। ଅଟୋ, ବସ୍ ଚଳାଚଳ ବନ୍ଦ। ଡ୍ରାଇଭର୍‌, କଣ୍ଡକ୍ଟର୍‌ ଓ ହେଲ୍‌ପର୍‌ମାନେ ଘରେ ବସିଛନ୍ତି। ସପିଙ୍ଗ୍ ମଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ, ବଡ଼ ସୋ'ରୁମ୍ ବନ୍ଦ। କର୍ମଚାରୀମାନଙ୍କ ରୋଜଗାର ନାହିଁ। ସିନେମା, ଧାରାବାହିକ ସୁଟିଂ ବନ୍ଦ। ସିନେମା ହଲ୍‌ ବନ୍ଦ। କଳାକାର, କର୍ମଚାରୀ ଓ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ଲୋକମାନେ ରୋଜଗାର ହରାଇଛନ୍ତି। ପର୍ଯ୍ୟଟନ ସ୍ଥଳୀ ବନ୍ଦ। ତାହା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ରୋଜଗାରଶୂନ୍ୟ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ମଧ୍ୟ ବିକଳ ସ୍ଥିତି। ରାଜ୍ୟର ବହୁ ଶିଳ୍ପାଞ୍ଚଳ ଏବେ ଖାଁ ଖାଁ।

Advertisment

ଏମିତି ଯେଉଁ କ୍ଷେତ୍ରକୁ ଚାହିଲେ ଉତ୍କଟ ସ୍ଥିତି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଚାଲିଛନ୍ତି। ଉଭୟ ମାଲିକ ଓ କର୍ମଚାରୀ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। କିଛି କିଛି ବ୍ୟବସାୟିକ ସଂସ୍ଥା ବିକ୍ରି କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କଲେଣି। କରୋନାର ପ୍ରଥମ ଲହର ମାଡ଼ରୁ ମୁକୁଳି ନ ଥିଲା ବେଳେ ଦ୍ବିତୀୟ ଲହର ସେମାନଙ୍କୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିପକାଇଛି। ନିକଟ ଭବିଷ୍ୟତରେ ସ୍ଥିତି ସୁଧୁରିବାର କୌଣସି ଲକ୍ଷଣ ବି ଦେଖାଯାଉନି, ଯାହା କି ଅଧିକ ଚିନ୍ତାର କାରଣ ପାଲଟିଛି।

ରାଜ୍ୟରେ ମେ' ମାସରେ ଦୁଇ ପର୍ଯ୍ୟାୟ ଲକ୍‌ଡାଉନ୍‌କୁ ଲୋକମାନେ ଯେ କୌଣସି ଉପାୟରେ ସମ୍ଭାଳି ନେଇଗଲେ। କିନ୍ତୁ ଜୁନ୍‌ରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମସ୍ତଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଲାଣି। ମେ' ମାସ ସାରା ସବୁ ବନ୍ଦ ଥିବାରୁ ଚାକିରି କରିଥିବା ଲୋକମାନଙ୍କୁ ଦରମା ମିଳିନାହିଁ। ବଜାର ବନ୍ଦ ଥିବାରୁ ଛୋଟ ଛୋଟ ଦୋକାନୀମାନେ ବି ରୋଜଗାର ହରାଇଛନ୍ତି। ଜୁନ୍ ମାସରୁ କାମ ସ୍ବାଭାବିକ କରି ରୋଜଗାର କରିବା ଆଶା ସେମାନଙ୍କର ପୂରଣ ହୋଇପାରି ନାହିଁ। ରୋଜଗାରର ସବୁ ବାଟ ବନ୍ଦ ହୋଇଯାଇଥିବାରୁ ଲୋକମାନେ ଆଶାତୀତ ଭାବେ ସମସ୍ୟା ଭୋଗୁଛନ୍ତି। ଏପରିକି ଅନେକ ନିମ୍ନ ମଧ୍ୟବିତ୍ତ ପରିବାରରେ ଦୁଇ ଓଳି ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲାଣି। ସ୍କୁଲ୍‌ ଫି ଦେବା ପରି ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବାକୁ ବି ଲୋକ ଅସମର୍ଥ ହୋଇପଡ଼ିଛନ୍ତି। ରୋଜଗାର କିଛି ନ ଥିଲା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ଆଗାମୀ ଦିନରେ ଏହା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।

ମହାମାରୀକୁ ରୋକିବା ପାଇଁ ଲକ୍‌ଡାଉନ୍‌ର ସମ୍ପ୍ରସାରଣ ନିହାତି ଜରୁରୀ ବୋଲି ବିଶେଷଜ୍ଞ ଯୁକ୍ତି ବାଢ଼ିଲେ। ସରକାର ସେହି ଯୁକ୍ତିକୁ ଗ୍ରହଣ କଲେ, ତୃତୀୟ ଦଫାରେ ଲକ୍‌ଡାଉନ୍ ବଢ଼ାଇଲେ। ଏହି ଦଫାରେ ଯେ ଲକ୍‌ଡାଉନ୍ ସମୟସୀମା ଶେଷ ହେଲା, ତାହା ମଧ୍ୟ ନୁହେଁ। ଆଗକୁ ସ୍ଥିତି ଦେଖି କଟକଣା ଜାରି ରଖାଯାଇପାରେ। କିନ୍ତୁ ମହାମାରୀ ଯେମିତି ବ୍ୟାପୁଛି, ଲୋକଙ୍କ ଜୀବିକା ସେମିତି ହାତରୁ ଖସି ଖସି ଚାଲିଛି। ଆଗକୁ ଲକ୍‌ଡାଉନ୍ କଟକଣା କୋହଳ ହେବା ସହ ସରକାର ବ୍ୟାପକ ନିଯୁକ୍ତି ସୁ‌ଯୋଗ ସୃଷ୍ଟି କରୁଥିବା କ୍ଷେତ୍ର ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ଘୋଷଣା ନ କଲେ ନିଯୁକ୍ତି କ୍ଷେତ୍ର ସ୍ବାଭାବିକ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସେଣ୍ଟର୍‌ ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦେଶରେ ଏପ୍ରିଲ୍‌ ମାସରେ ବେରୋଜଗାରୀ ହାର ୮% ଥିଲା ବେଳେ ମେ' ମାସରେ ତାହା ୧୨% ହୋଇଯାଇଛି। ଏହି ସମୟରେ ୧ କୋଟିରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୭ ଲକ୍ଷରୁ ଅଧିକ ହେବ। ଯଦିଓ ବର୍ତ୍ତମାନ ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି କରାଯାଇ ନାହିଁ, ତେବେ ବିଭିନ୍ନ ରାଜ୍ୟ ସରକାର ଲକ୍‌ଡାଉନ୍ ‌କରିଥିବାରୁ ତାହାର ସିଧା ପ୍ରଭାବ ଲୋକଙ୍କୁ ରୋଜଗାର ଉପରେ ପଡ଼ିଛି।

ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ସରକାର ଲକ୍‌ଡାଉନ୍ କଟକଣାରୁ କିଛି କ୍ଷେତ୍ରକୁ ବାଦ୍ ଦେଇଛନ୍ତି। କିନ୍ତୁ ଏପରି ଢଙ୍ଗରେ କଟକଣା ଲଗାଯାଇଛି ଯେ ଏହି କ୍ଷେତ୍ରଗୁଡ଼ିକରେ ନିୟୋଜିତ ଲୋକ ବି ହାତ ବାନ୍ଧି ବସିଛନ୍ତି। ଗ୍ୟାରେଜ୍, ଗାଡ଼ି ପାର୍ଟସ୍‌ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସକାଳୁ ଗାଡ଼ି ନେଇ ବାହାରିବାକୁ ମନା। ଗାଡ଼ି ନେଇ ବାହାରିଲେ ପୁଲିସ୍‌ ନାଲି ଆଖି ଦେଖାଉଛି। ସେହିପରି ନିର୍ମାଣ କାର୍ଯ୍ୟକୁ କଟକଣାରୁ ବାଦ୍ ଦିଆଯାଇଛି। କିନ୍ତୁ ନିର୍ମାଣ ସାମଗ୍ରୀ ଦୋକାନ ସବୁ ଦିନ ୧୧ଟା ଯାଏ ହିଁ ଖୋଲୁଛି। ଫଳରେ ନିର୍ମାଣ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। କେବଳ ସରକାରୀ ନିର୍ମାଣ କାର୍ଯ୍ୟ ଉଣା ଅଧିକେ ଜାରି ରହିଥିଲା ବେଳେ ଘରୋଇ ସ୍ତରରେ ଏହି କାମ୍ ଏକ ପ୍ରକାର ଠପ୍ ହୋଇଯାଇଛି। ନିର୍ମାଣ ଶ୍ରମିକମାନେ ହାତ ବାନ୍ଧି ବସିଛନ୍ତି।

ଆଉ ଏକ ଅଦ୍ଭୂତ କଟକଣା ଲୋକଙ୍କୁ ନାକେଦମ୍ କରୁଛି ଓ ବ୍ୟବସାୟୀଙ୍କୁ ଅସହାୟ କରିଦେଇଛି। ସରକାର ନିୟମ କରିଛନ୍ତି ଯେ ଚାଲି ଚାଲି ଘର ପାଖରେ ୫୦୦ ମିଟର ଭିତରେ ଯାହା କିଣାକିଣି କରିବେ। ଏଠି ପ୍ରଶ୍ନ ଉଠୁଛି, ସବୁଆଡ଼େ ଘର ପାଖର ୫୦୦ ମିଟର ଭିତରେ ସବୁ ଜିନିଷ ଉପଲବ୍ଧ ହେଉଛି କି? ବିଶେଷ କରି ସବୁ ଗଳିକନ୍ଦିରେ ଆମିଷ ଦୋକାନ ରହିଛି କି ? ଆଉ ଯଦି ଗାଡ଼ି ବାହାର କରି କିଛି ବାଟ ଦୂରକୁ ଯାଇ କିଣାକିଣି କଲେ ପୁଲିସ୍‌ ମାଡ଼ି ବସୁଛି। ଏହା ଫଳରେ ଦୋକାନୀମାନେ ଠିକ୍ ଭାବେ ବ୍ୟବସାୟ କରିବାର ସୁଯୋଗ ପାଉ ନାହାନ୍ତି। ଦୋକାନ ଖୋଲୁଥିଲେ ବି ବହୁ ସାମଗ୍ରୀ ନଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି। ଉଭୟ ଖୁଚୁରା ଓ ପାଇକାରୀ ବ୍ୟବସାୟୀମାନେ ଭୀଷଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।