ଭୁବନେଶ୍ବର: ନୂଆବର୍ଷର ପ୍ରଥମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀମାନେ ସାମୂହିକ ଦାୟିତ୍ବର ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ୬/୭ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି। ଅଧିକାରୀମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ ଆୟୋଜନ କରାଯାଇଛି। ତେଣୁ ଓଡ଼ିଶା ଅନ୍ୟ ରାଜ୍ୟ ଠାରୁ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦେବାକୁ ସେ  ପରାମର୍ଶ ଦେଇଥିଲେ। ଶ୍ରୀ ମାଝୀ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ, ଆମ ପାଖରେ ଅନେକ ଆହ୍ୱାନ ଓ ସୁଯୋଗ ରହିଛି। ସାମୂହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ସମସ୍ତ କାର୍ଯ୍ୟ ସଫଳତାର ସହ କରାଯାଇ ପାରିବ। ନିକଟରେ ନୌସେନା ଦିବସ, ଡିଜିପି ସମ୍ମିଳନୀ ଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଛି। ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି।

Advertisment

ନୂଆବର୍ଷରେ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଅନ୍ୟ ରାଜ୍ୟଠାରୁ ଓଡ଼ିଶାର ପ୍ରଦର୍ଶନ ଭଲ ହେବା ଦରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଫୋକସ୍‌ ରହିଛି। ଗତ ଛଅ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ତିନି ଥର ଓଡ଼ିଶା ଆସିବା ସହ ଜାନୁଆରି ମାସରେ ଦୁଇ ଥର ଆସିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଜାରି ରହିଛି। ତେଣୁ ଏହି ସୁଯୋଗର ମଧ୍ୟ ସଦ୍‌ବ୍ୟବହାର କରି ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ ଆଗେଇବାକୁ ସେ ପରାମର୍ଶ ଦେଇଥିଲେ। 
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଚଳିତ ବର୍ଷ ଓଡ଼ିଶା ପାଇଁ ଏକ ପ୍ରଗତିର ବର୍ଷ ହେବ। ୨୦୩୬ ଓ ୨୦୪୭ ପାଇଁ ଆମର ଯେଉଁ ସଂକଳ୍ପ ଅଛି, ସେ ଦିଗରେ ସମସ୍ତେ ମିଳିମିଶି କାମ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ, ରାଜ୍ୟର ଅଧିକାରୀମାନେ ଦକ୍ଷ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିବାରୁ ଏବଂ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ନୂଆବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଆଜି ଅଧିକାରୀ ଓ କର୍ମଚାରୀମାନେ ବିନା ଫୁଲତୋଡ଼ାରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।