ଦ୍ଵିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବେଳେ ଅଘଟଣ, ପେଟରେ ମୋଟର ବେରିଂ ପଶିଯିବାରୁ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଚାଲୁଥିବା ବେଳେ ଆଜି ସକାଳ ପ୍ରାୟ ୯ଟାରେ ଅଘଟଣ ଘଟିଛିl ବାଲୁଘାଟ ଅଞ୍ଚଳରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କର ମୃତ୍ୟୁ ହୋଇଛି l ମୃତ ଶ୍ରମିକ ଜଣକ ହେଲେ ଝାଡ଼ଖଣ୍ଡର ଗଡ଼ବା ଜିଲ୍ଲା ଆଞ୍ଚଳବାଡି ଗ୍ରାମର ମୁମତାଜ ଆନସାରୀ ( ୨୭)l ସେ ବାରବିକ ପ୍ରୋଜେକ୍ଟ ଲିମିଟେଡ ନାମକ କମ୍ପାନି ଅଧୀନରେ ଡିଜେଲ୍ ମେକାନିକ୍ ଭାବେ କାର୍ଯ୍ୟ କରୁଥିଲେ ।
ସୂଚନା ଅନୁସାରେ ସକାଳୁ ପାଣି ପାଇଁ ଖରାପ ଥିବା ମୋଟରକୁ ଷ୍ଟାର୍ଟ କରୁଥିଲେ l ହଠାତ ମୋଟର ବେରିଂ ଭାଙ୍ଗି ତାଙ୍କ ପେଟ ଭିତରେ ପଶିଯାଇଥିଲା l ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିବାରକୁ ସମସ୍ତ କ୍ଷତି ପୁରଣ ଦିଆଯିବ ବୋଲି କମ୍ପାନି ତରଫରୁ ସୂଚନା ମିଳିଛି l


ଅନ୍ୟପଟେ ଘଟଣାସ୍ଥଳରେ ରଘୁନାଥପାଲି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଲକ ଡାଉନ ସମୟରେ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ କେଉଁ ପରିସ୍ଥିତିରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଚାଲୁ ରହିଥିଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର