ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପଣ୍ଡଲୋଇସ୍ଥିତ ଶ୍ୟାମ୍ ମେଟାଲିକ୍ସରେ ଲୋଡର ମେସିନ୍ ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ୨୪ ଘଣ୍ଟା ନପୂରୁଣୁ ପୁଣିଥରେ ଦୁର୍ଘଟଣା ଘଟି ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ଝାରସୁଗୁଡ଼ା ଜିଲ୍ଲା ଏକତାଲି ଗ୍ରାମର ବସନ୍ତ ମେହେର(୩୦) ବୋଲି ଜଣାପଡ଼ିଛି। ଏସମ୍ପର୍କରେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଥିବା ସମୟରେ ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ବସନ୍ତ ଶ୍ୟାମ୍ ମେଟାଲିକ୍ସରେ ବିଦ୍ୟୁତ୍ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ପ୍ଲାଣ୍ଟ ଛାତରେ ଛିଡ଼ା ହୋଇ ସେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିବା ଯୋଗୁଁ ସେ ତଳକୁ ଖସି ପଡ଼ିଥିଲେ। ଏହି ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସହକର୍ମୀମାନେ ତାଙ୍କୁ ବୁର୍ଲା ଡାକ୍ତରଖାନା ଆଣିଥିଲେ। ମାତ୍ର କାଜୁଆଲଟିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଦୂଷଣ ଓ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଏହି କାରଖାନାରେ ସତର୍କତା ଓ ନିରାପତ୍ତା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉନଥିବାରୁ ବାରମ୍ବାର ଦୁର୍ଘଟଣା ଓ ଜୀବନହାନି ଘଟୁଛି ବୋଲି କର୍ମଚାରୀମାନେ ଅଭିଯୋଗ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/shyam-metalics.jpg)