ଗୋଛାକାଟି ଫେରୁଥିବା ବେଳେ ଶ୍ରମିକ ମୃତ, ତିନିଦିନ ପରେ ବି ପାଖ ମାଡ଼ିଲାନି କେନ୍ଦୁପତ୍ର ବିଭାଗ

ଦେଓଗାଁ : କେନ୍ଦୁପତ୍ର ଗୋଛା କାଟି ଫେରୁଥିବା ସମୟରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁତୁର୍ଲା ପଞ୍ଚାୟତ ମୁରସିଂହ ଗାଁର ଶ୍ରମିକ ମଧୁ ସେଠ (୫୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ତିନିଦିନ ବିତିଥିଲେ ମଧ୍ୟ କେନ୍ଦୁପତ୍ର ବିଭାଗର କୌଣସି ଅଧିକାରୀ ତାଙ୍କ ପରିବାର ପାଖରେ ପହଞ୍ଚି ନାହାନ୍ତି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ଗତ ଗୁରୁବାର ଏହି ଗାଁର ଶ୍ରମିକ ମଧୁ ସେଠ ଗୋଛା କାଟିବାକୁ ଅନ୍ୟ ଶ୍ରମିକମାନଙ୍କ ସହ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଗୋଛା କାଟି ଫେରିବା ବେଳେ ହଠାତ୍‌ ମୂର୍ଚ୍ଛା ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସାହଯ୍ୟରେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଶ୍ରୀ ସେଠଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗାଁ ମାଶାଣିରେ ତାଙ୍କ ଶେଷ କୃତ୍ୟ କରାଯାଇଥିଲା। ତାଙ୍କ ପୁଅ ପୁଅ ନିରଞ୍ଜନ ମୁଖାଗ୍ନି ଦେଇଥିଲେ। ଇତିମଧ୍ୟରେ ୩ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଅଧିକାରୀ କି ସ୍ଥାନୀୟ ଚେକର, ମୁନ୍ସି ମୃତକଙ୍କ ପରିବାର ଲୋକଙ୍କୁ ଭେଟି ନାହାନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପରିବାର ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର