ନୂଆପଡ଼ା: ହାଇଦ୍ରାବାଦରୁ ନିଜ ଘର ଓଡ଼ିଶାର ନୂଆପଡ଼ା ଫେରିବା ସମୟରେ ଅଚାନକ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ। ସ୍ୱାମୀଙ୍କ ମୃତ ଶବ ୬୩ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ପଡ଼ିରହିଥିଲା। ଆଉ ତାଙ୍କ ସ୍ତ୍ରୀ ଶବର କିଛି ଦୂରରେ କାନ୍ଦିକାନ୍ଦି ବସିଥାନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ବୋରିଗୁମ୍ମା ଥାନା ଅନ୍ତର୍ଗତ କସାଗୁଡା ଗ୍ରାମ ନିକଟରେ ଦେଖିବାକୁ ମିଳିଥିଲା।
ମୃତ ବ୍ୟକ୍ତିଜଣକ ଶ୍ୟାମ ଭୋଇ ବୋଲି ଜଣାପଡ଼ିଥିବା ବେଳେ ସେ ନୂଆପଡ଼ା ଜିଲାର ସିନାପାଲି ବ୍ଲକର ଗଣ୍ତାବାହାଲି ଗ୍ରାମର। ସେ ଓ ତାଙ୍କ ସ୍ତ୍ରୀ କ୍ଷୀର ଭୋଇ ହାଇଦ୍ରାବାଦର ଏକ ଇଟାଭାଟି ମାଲିକଙ୍କ ପାଖରେ ଦୀର୍ଘ ୬ମାସ ହେବ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗତ କିଛି ଦିନ ହେବ ଶ୍ୟାମଙ୍କ ଦେହ ଖରାପ ହେଇଥିଲା । ଏତିକି ବେଳେ ମାଲିକ ତାଙ୍କୁ ନିଜ ଘରକୁ ଫେରିଯିବା ପାଇଁ କହିଥିଲେ।

Advertisment

publive-imageସେମାନେ ସେଠାରେ କାର୍ଯ୍ୟ କରୁଥିବା ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହିତ ଗତ ମଙ୍ଗଳବାର ଦିନ ହାଇଦ୍ରାବାଦ ଠାରୁ ନିଜ ଗ୍ରାମ ଅଭିମୁଖେ ବାହାରି ଥିଲେ। ଆଜି ସକାଳୁ ସକାଳୁ ଏକ ବସ ଯୋଗେ ଛତିଶଗଡ଼ -ଓଡିଶା ସୀମାରେ ପହଞ୍ଚି ଥିଲେ। ଚାନ୍ଦିଲି ଠାରୁ ଏକ ଅଟୋ ଯୋଗେ ଓଡ଼ିଶା ଆସିବା ବେଳେ ଅଧା ବାଟରେ ଶ୍ୟାମଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା। ଫଳରେ ଅଟୋ ଚାଳକ ଜଣକ ତାଙ୍କୁ କସଗୁଡ଼ା ନିକଟରେ ଓହ୍ଲାଇ ଚାଲିଯାଇଥିଲେ। କିଛି ସମୟ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାଟି ସନ୍ଧ୍ୟା ୪ଟା ବେଳେ ଘଟିଥିବା ବେଳେ ସନ୍ଧ୍ୟା ୬ଘଣ୍ଟା ସମୟରେ ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରାଇତା, ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ପହଞ୍ଚି ସେମାନଙ୍କୁ ପିପି କୀଟ ପ୍ରଦାନ କରି ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିଜ ଗ୍ରାମକୁ ପଠାଇଛନ୍ତି ।