ଆଶୀର୍ବାଦ ରାଇସ ମିଲ୍‌ରେ ଶ୍ରମିକଙ୍କ ମେରୁଦଣ୍ଡ ଭାଙ୍ଗିବା ଘଟଣା : ଠକିଦେଲେ ମିଲ୍‌ ମାଲିକ, କାର୍ଯ୍ୟନୁଷ୍ଠାନ ପାଇଁ କୁନ୍ଥକୁନ୍ଥ ଶ୍ରମ ବିଭାଗ

ବ୍ୟାସନଗର : ପାଣିକୋଇଲି ଥାନା ଅନ୍ତର୍ଗତ ଧନପୁର ନିକଟରେ ଥିବା ଆଶୀର୍ବାଦ ରାଇସ୍‌ ମିଲ୍‌ରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଦୁର୍ଘଟଣାର ଶିକାର ହୋଇ ସଂପୂର୍ଣ୍ଣ ଅକର୍ମଣ୍ୟ ହୋଇପଡ଼ିଛନ୍ତି। ମିଲ୍‌ ମାଲିକ କ୍ଷତିପୂରଣ ନଦେଇ ଠକି ଦେଇଥିବା ବେଳେ ଶ୍ରମ କାର୍ଯ୍ୟାଳୟ କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ ହେଉଛି। ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗର ୨୦ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ଗୋଟିଏ ପାଦ ବି ଆଗକୁ ବଢ଼ିନି। ଫଳରେ ଶ୍ରମିକ ଉପେନ୍ଦ୍ର ସାହୁଙ୍କ ପରିବାର ଭାଗ୍ୟକୁ ନିନ୍ଦି କାଳ କାଟୁଛନ୍ତି।

ଯାଜପୁର ସଦର ଥାନା ଅନ୍ତର୍ଗତ ରୁଦ୍ରପୁର ଗ୍ରାମର ଉପେନ୍ଦ୍ର ସାହୁ। ସୁସ୍ଥ ଥିବାବେଳେ ଶହେ କିଲୋ ଓଜନର ଚାଉଳ ଏବଂ ଧାନ ବସ୍ତାକୁ ଆରମରେ ଉଠାଇ ପାରୁଥିଲେ। କାମ କରିବା ଶକ୍ତି ହିଁ ତାଙ୍କର ପରିଚୟ ଥିଲା। ଆଶୀର୍ବାଦ ରାଇସ୍‌ ମିଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୧୯ ଏପ୍ରିଲ ୨ତାରିଖରେ ଦୁର୍ଘଟଣାର ଶିକାର ହେଲେ। ଟ୍ରକ୍‌ରୁ ଧାନବସ୍ତା ଓହ୍ଲାଉଥିବା ବେଳେ ବସ୍ତାଗୁଡ଼ିକ ହଠାତ୍‌ ଖସିପଡ଼ିଥିଲା। ଧାନବସ୍ତା ତଳେ ଚାପି ହୋଇଗଲେ ଉପେନ୍ଦ୍ର। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ୧୭ଦିନ ଧରି ଚିକିତ୍ସା ପରେ ଘରକୁ ଫେରିଥିଲେ। ତେବେ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ଅଣ୍ଟା ସଳଖି ଠିଆ ହେବା ଏବେ କଷ୍ଟକର। ଆଉ କୌଣସି କାମ କରିପାରୁ ନାହାନ୍ତି। ଦୁର୍ଘଟଣା ପରେ ଅକର୍ମଣ୍ୟ ହୋଇ ପଡ଼ିଥିବା ଉପେନ୍ଦ୍ର ପ୍ରଭାବଶାଳୀ ମିଲ୍‌ ମାଲିକଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ। ତେବେ ସହାୟତା ବଦଳରେ ଧମକ ଦେଇ ଘଉଡ଼ାଇ ଦେଇଥିଲେ ଆଶୀର୍ବାଦ୍‌ ରାଇସ୍‌ ମିଲ୍‌ ମାଲିକ ପର୍ଶୁରାମ ଦାସ। ପରିବାରର ଏଭଳି ଦୟନୀୟ ସ୍ଥିତିରେ ଉପେନ୍ଦ୍ରଙ୍କ ପତ୍ନୀ ପର ଘରେ କାମ କରି ପରିବାର ଚଳାଉଛନ୍ତି। ଉପେନ୍ଦ୍ରଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୫୦ ପ୍ରତିଶତ ଅକ୍ଷମ ପ୍ରମାଣ ପତ୍ର ମିଳିଛି। ତେବେ ଏହି ଭିନ୍ନକ୍ଷମ ପ୍ରମାଣପତ୍ର ତାଙ୍କର କୌଣସି କାମରେ ଲାଗିନି।

ମିଲ୍‌ ମାଲିକଙ୍କ ସହାୟତା ଦେବାକୁ ରୋକ୍‌ଠୋକ୍‌ ମନା କରିବା ପରେ ଗତ ଫେବ୍ରୁଆରି ୨୪ ତାରିଖରେ ଶ୍ରମ କାର୍ଯ୍ୟଳୟର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ ଉପେନ୍ଦ୍ର। ପତ୍ନୀଙ୍କ ସହ ଆସି ଚିକିତ୍ସା ସଂପର୍କରେ କାଗଜପତ୍ର ଦାଖଲ କରିବା ସହ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଥିଲେ। ତେବେ ଶ୍ରମ ଆୟୁକ୍ତ କିମ୍ବା ଶ୍ରମ ଅଧିକାରୀ ସେ ଦିନ ନଥିଲେ। ଗ୍ରାମାଞ୍ଚଳ ଶ୍ରମ ଇନ୍‌ସପେକ୍ଟର ଗୋପାଳକୃଷ୍ଣ ମଙ୍ଗରାଜ ଉପେନ୍ଦ୍ରଙ୍କ ଅଭିଯୋଗ ଶୁଣି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଉପେନ୍ଦ୍ରଙ୍କୁ ଆଉ କିଛି କାଗଜପତ୍ର ସଂଗ୍ରହ ପାଇଁ କହି ଘରକୁ ପଠାଇ ଦେଇଥିଲେ। ଅପାଠୁଆ ଉପେନ୍ଦ୍ର ଶ୍ରମ ବିଭାଗରେ କେଉଁ ସବୁ କାଗଜପତ୍ର ଦାଖଲ କରାଯିବ ଏବଂ ସେଗୁଡ଼ିକ କେଉଁଠୁ ଯୋଗାଡ଼ କରିବେ ସେହି ଚିନ୍ତାରେ ଅଛନ୍ତି। ଅଣ୍ଟା ସଳଖି ଠିଆ ହୋଇ ପାରୁନଥିବା ବେଳେ କାଗଜପତ୍ର ଯୋଗାଡ଼ ପାଇଁ କିଭଳି ଯିବି ବୋଲି ଉପେନ୍ଦ୍ର ଓଲଟି ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ଶ୍ରମ ବିଭାଗ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍‌ ରହିଛି।

ଏ ସଂପର୍କରେ ଗ୍ରାମାଞ୍ଚଳ ଶ୍ରମ ଇନ୍‌ସପେକ୍ଟର ଶ୍ରୀ ମଙ୍ଗରାଜଙ୍କୁ ଯୋଗାଯୋଗ କରାଯିବାରେ ଉପେନ୍ଦ୍ରଙ୍କ କାଗଜପତ୍ର ଯାଞ୍ଚ କରିବା ପରେ ଆଉ କିଛି ଅଧିକ ପ୍ରମାଣପତ୍ର ଦେବାକୁ କହିଥିଲୁ। କ୍ଷତିପୂରଣ ପ୍ରସଙ୍ଗ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କ୍ଷମତା ପରିସରରେ ଅଛି। କାଗଜପତ୍ର ପ୍ରସ୍ତୁତ କରି ଶ୍ରମ ଆୟୁକ୍ତଙ୍କୁ ହସ୍ତାନ୍ତର ପରେ ମାମଲା ରୁଜୁ କରାଯିବ ଏବଂ ମିଲ୍‌ ମାଲିକଙ୍କୁ ନୋଟିସ୍‌ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର