କାମ କରିପା‌ରିବେ ପ୍ରବାସୀ ଶ୍ରମିକ : ରାଜ୍ୟ ମଧ୍ୟରେ ନିଜ କର୍ମସ୍ଥଳୀକୁ ଯାଇ ପାରିବେ, ରାଜ୍ୟ ବାହାରକୁ ଯିବାକୁ ଅନୁମତି ନାହିଁ

ନୂଆଦିଲ୍ଲୀ : କରୋନା ଲକ୍‌ଡାଉନ୍‌‌ ଯୋଗୁଁ ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର ନିୟମ କୋହଳ କରିଛନ୍ତି। ଆସନ୍ତାକାଲିଠାରୁ ଏହି ଶ୍ରମିକମାନେ ଅଟକିଥିବା ରାଜ୍ୟ ଭିତରେ କାର୍ଯ୍ୟ କରିପାରିବେ। ସେମାନଙ୍କର ସ୍କ୍ରିନିଂ କରାଯିବ। ସ୍କ୍ରିନିଂରେ ଯଦି ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ନପାଏ ତାହେଲେ ସେମାନେ ସେମାନଙ୍କ କାର୍ଯ୍ୟସ୍ଥଳୀକୁ ଫେରିଯାଇପାରିବେ। କିନ୍ତୁ ସେମାନଙ୍କୁ ରାଜ୍ୟ ବାହାରକୁ ଯିବା ପାଇଁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ। ଆଜି ଏସଂପର୍କରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ କରୋନା ଭୂତାଣୁ ବ୍ୟାପିବା ଯୋଗୁଁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ, କୃଷି ଏବଂ ନିର୍ମାଣ ଆଦି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ସେମାନଙ୍କ କାର୍ଯ୍ୟସ୍ଥଳୀରୁ ପଳାଇଥିଲେ। ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ରିଲିଫ ଶିବିରରେ ରଖାଯାଇଥିଲା। କିନ୍ତୁ ସଂକ୍ରମିତ ଅଞ୍ଚଳ ବାହାରେ ୨୦ ତାରିଖରୁ ଅନେକ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଆଶ୍ରୟସ୍ଥଳୀରେ ଅଟକ ରହିଥିବା ସେସବୁ ଶ୍ରମିକଙ୍କୁ ଶିଳ୍ପ ପ୍ରତିଷ୍ଠାନ, ନିର୍ମାଣ, ଉତ୍ପାଦନ, କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏ ଆଦି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ। ତେବେ ସେମାନଙ୍କୁ ଏହି କାର୍ଯ୍ୟ କରିବାକୁ ଅନୁମତି ଦେବା ବେଳେ ପୂର୍ବରୁ ଜାରି ହୋଇଥିବା ଉପଦେଶାବଳୀ ବା ମାନକ କର୍ମ ସମ୍ପାଦନ ପ୍ରକ୍ରିୟା (ଏସ୍‌ଓପି)କୁ ପାଳନ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ଗୃହ ମନ୍ତ୍ରାଳୟ କହିଛି। ଏସ୍‌ଓପି ଅନୁଯାୟୀ, ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଅଟକ ରହିଥିବା ଶ୍ରମିକ, ରାଜ୍ୟ ଭିତରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ସ୍ଥାନୀୟ ପ୍ରଶାସନ ନିକଟରେ ପଞ୍ଜୀକରଣ କରାଯିବ। ଏଥିସହିତ ସେମାନଙ୍କର କେଉଁ କାର୍ଯ୍ୟ ପାଇଁ ଦକ୍ଷତା ରହିଛି ତାହାକୁ ଦେଖାଯିବ।

ଯଦି କିଛି ଶ୍ରମିକ ରାଜ୍ୟ ଭିତରେ କାର୍ଯ୍ୟ କରୁଥିବା ସ୍ଥାନକୁ ଫେରିଯିବା ପାଇଁ ଚାହିବେ ତାହେଲେ ସେମାନଙ୍କର ସ୍କ୍ରିନିଂ କରାଯିବ। ଯଦି ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବ ତାହେଲେ ସେମାନଙ୍କୁ ସେମାନଙ୍କ ପୂର୍ବ ସ୍ଥଳୀକୁ ନିଆଯାଇ ପାରିବ। ଏଥିପାଇଁ ବସର ବ୍ୟବସ୍ଥା କରାଯିବ। ବସ୍‌ରେ ଯାତ୍ରା ସମୟରେ ସେମାନଙ୍କ ନିରାପଦ ସାମାଜିକ ଦୂରତା ରକ୍ଷା ସହିତ ନେବାକୁ ହେବ। ଯେଉଁ ବସ୍‌ରେ ସେମାନଙ୍କୁ ନିଆଯିବ ସେଗୁଡ଼ିକୁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶୋଧନ କରାଯିବ। ଯାତ୍ରା ସମୟରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଖାଦ୍ୟ ଏବଂ ପାଣି ଆଦି ଯୋଗାଇ ଦେବ ବୋଲି ପରାମର୍ଶ ଦିଆଯାଇଛି।

ତେବେ କେନ୍ଦ୍ର ସରକାର ଏହା ସହିତ ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ପରିସ୍ଥିତିରେ ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଯିବାଲାଗି ଅନୁମତି ଦିଆଯିବ ନାହିଁ। ତେବେ ଯେଉଁ ରାଜ୍ୟରେ ସେମାନେ ଅଟକ ରହିଛନ୍ତି ସେଠାର ସରକାର ସେମାନଙ୍କର ପଞ୍ଜୀକରଣ କରାଇବେ ଏବଂ ‌େସମାନଙ୍କୁ ଉପଯୁକ୍ତ କାମରେ ନିୟୋଜିତ କରିପାରିବେ।

ସମ୍ବନ୍ଧିତ ଖବର